ଗୁରୁବାର ଅଚାନକ ଖବର ଆସେ ଯେ,ସେପ୍ଟେମ୍ବର 18 ତାରିଖରୁ 22 ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ । ଏହି ଖବର ଆସିବା ବେଳକୁ ମୁମ୍ବାଇରେ ବିରୋଧୀ ମେଣ୍ଟ ଇ.ଣ୍ଡି.ଆର 68 ନେତା ଡେରା ପକାଇ ସାରିଲେଣି । ହୋଟେଲ ହୟାତର ଦାମୀ କରିଡରରେ ଦେଶର ନାମିଦାମୀ ନେତାଙ୍କ ଗହଳି ଲାଗି ସାରିଲାଣି । ଏହାରି ଭିତରେ ମୋଦି ସରକାରର ଏହି ବୋମା ବିସ୍ଫୋରଣ ବିରୋଧୀ ମେଣ୍ଟ ସହିତ ପୁରା ଦେଶକୁ ଚମକାଇ ଦେଇଥିଲା । କାରଣ ହେଉଛି ନିକଟ ଅତିତରେ ଏମିତି ସ୍ୱତନ୍ତ୍ର ଅଧିବେଶନ ବସି ନାହିଁ । ତେଣୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅଧିବେଶନ ପଛର କାରଣ ଖୋଜା । ଅବଶ୍ୟ ଶିବସେନା ନିଜ ହିନ୍ଦୁତ୍ୱ ଇମେଜକୁ ଅଧିକ ତୀକ୍ଷଣ ଓ ଅସରଦାର କରିବାକୁ କହିଥିଲା,ଗଣେଷ ଉତ୍ସବ ବେଳେ ଏମିତି ସ୍ୱତନ୍ତ୍ର ଅଧିବେଶନ ହିନ୍ଦୁ ଭାବାବେଗ ସହିତ ଖେଳ । କିନ୍ତୁ କାରଣ ଖୋଜୁଥିବା ଅନୁସଂଧାନୀ କହୁଛନ୍ତି ସ୍ୱତନ୍ତ୍ର ଅଧିବେଶନ ପଛରେ ମଧ୍ୟ ରହିଛି ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର । ଗ୍ରହ-ନକ୍ଷତ୍ରଙ୍କ ଚଳନ ଅନୁସାରେ ଏହି 4 ଦିନ ଶୁଭ ଥିବାରୁ କାଳେ ମୋଦି ସରକାର ନୂଆ ସଂସଦର ପ୍ରଥମ ଅଧିବେଶନ ଡାକିଛନ୍ତି । ଏହା ସହିତ ଆଉ କିଛି କାରଣ ମଧ୍ୟ ଗଣା ଯାଉଛି । ଯେମିତି ବିରୋଧୀ ମେଣ୍ଟକୁ ନିରସ୍ତ୍ର ଓ ହତାସ କରିବାକୁ ସରକାର କାଳେ ୱାନ୍ ନେଶନ,ୱାନ୍ ଇଲେକ୍ସନ ବିଲ୍ ଆଣିବେ । ଏହି ବିଲ୍ ଦ୍ୱାରା ଗୋଟିଏ ସମୟରେ ଦେଶର ସବୁ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନ ହେବ । ବିରୋଧୀଙ୍କ ଅଭିଯୋଗ ଗୋଟିଏ ସମୟରେ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନ ହେଲେ ବିଜେପିର ଇଲେକ୍ସନ୍ ମେସିନାରି ଆଗରେ ବାକି ଦଳ କିଛି କରିପାରିବେ ନାହିଁ । କାରଣ କେବଳ ପାଣ୍ଠି ନୁହେଁ ଲୋକବଳରେ ବି ବିଜେପି ଆଗରେ ଅଛି । ତେବେ ଆସନ୍ତୁ ନଜର ପକାଇବା ଗୋଟିକ ପରେ ଗୋଟିଏ ସବୁ କାରଣ ଉପରେ,ଯେଉଁଥିପାଇଂ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥାଇପାରେ।
ଶୁଭ ଦିନରେ ନୂଆ ସଂସଦର ପ୍ରଥମ ଅଧିବେଶନ !
କୁହାଯାଉଛି କି, ସ୍ବତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ଯଦିଓ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ । କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୌସୁମୀ ଅଧିବେଶନ ପୂର୍ବରୁ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ନୂଆ ଏବଂ ପୁରୁଣା ସଂସଦ ଭବନର ଫଟୋକୁ ପୋଷ୍ଟ କରିଥିଲେ । କୁହାଯାଉଥିଲା କି, ମୌସୁମୀ ଅଧିବେଶନ ପୂର୍ବରୁ ନୂତନ ସଂସଦ ଭବନରେ ଅଧିବେଶନ ବସିବ । କିନ୍ତୁ ଏହା ହୋଇନଥିଲା । ଶୁଭ ମୁହୂର୍ତ୍ତରେ ସଂସଦ ଭବନର ଉଦଘାଟନ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଅଧିବେଶନ ବସିନାହିଁ । ଏଣୁ ଚର୍ଚ୍ଚା ହେଉଛି କି ସ୍ବତନ୍ତ୍ର ଅଧିବେଶନ ଏହି ନୂଆ ସଂସଦ ଭବନରେ ୫ଦିନ ଧରି ଚାଲିପାରେ ।
ଜି 20 ବୈଠକ ଏବଂ ଚନ୍ଦ୍ରଯାନ ମିଶନ ମଧ୍ୟରେ ସଂଯୋଗ
ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ହେବ । ଯାହାକି ଦେଶ ପାଇଁ ବଡ଼ ଗୌରବର କଥା । ଶିଖର ସମ୍ମିଳନୀରେ ଦେଶର ବିକାଶକୁ ନେଇ ଆଲୋଚନା ହୋଇପାରେ । ସେପଟେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେବା ଦେଶ ପାଇଁ ଗୌରବର କଥା । ବିଶ୍ବର ପ୍ରଥମ ଦେଶଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏଣୁ ଏହି ସ୍ବତନ୍ତ୍ର ଅଧିବେଶନରେ ମୋଦି ସରକାର ଚନ୍ଦ୍ରଯାନ ମିଶନ ଏବଂ ଜି-୨୦ ବୈଠକ ସମ୍ପର୍କରେ ୧୮ରୁ ୨୨ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହୋଇପାରେ ।
ଡିସେମ୍ବରରେ ନିର୍ବାଚନ?
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆାଗୁଆ ନିର୍ବାଚନ ହେବ ଏକ ଦାବି କରିଥିଲେ । ଯାହାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ବିଜେପି ନେତାମାନେ ଅସ୍ବିକାର କରିଛନ୍ତି । ଏଣୁ ସ୍ବତନ୍ତ୍ର ଅଧିବେଶନରେ ସରକାର ବିଭିନ୍ନ କିଛି ଗୁରୁତ୍ବପୂର୍ଣ୍ଣ ବିଲ ପାସ କରିପାରନ୍ତି । ଏବଂ ବିଭିନ୍ନ ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଲୋଚନା ହେଉଛି ।
ୟୁସିସି, ଓ୍ବାନ ନେସନ, ଓ୍ବାନ ଇଲେକ୍ସନ୍ ଭଳି ବିଲ୍ ଆାଗତ କରିପାରନ୍ତି
କିଛି ମାସ ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି । ଏଣୁ ସ୍ବତନ୍ତ୍ର ଅଧିବେଶନରେ ଓ୍ବାନ ନେସନ, ଓ୍ବାନ ଇଲେକ୍ସନ୍ (ଏକ ଦେଶ-ଏକ ନିର୍ବାଚନ) ବିଲ୍ ଆଗତ କରିପାରନ୍ତି । ଯାହାର ଅର୍ଥ ହେଉଛି ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସମୟରେ ହେବ । ୟୁସିସି ମଧ୍ୟ ଲାଗୁ କରିପାରନ୍ତି ସରକାର । ଯାହାକି ପ୍ରଥମେ ଉତ୍ତରାଖଣ୍ଡରେ ଲାଗୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରି ଲୋକଙ୍କୁ ସରପ୍ରାଇଜ୍ ଦେଇପାରନ୍ତି । ଯେପରିକି ଗ୍ୟାସ ଦର କମିଥିଲା ସେହିଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ମଧ୍ୟ ନେଇପାରନ୍ତି । ଯାହାକି ସିଧା ସଳଖ ନିର୍ବାଚନ ପୂର୍ବରୁ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ ।
ମୁମ୍ବାଇରୁ ନଜର ହଟାଇବା ଲକ୍ଷ୍ୟ ?
ମୁମ୍ବାଇରେ ଇଣ୍ଡିଆ ପକ୍ଷରୁ ବିରୋଧୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସେଠାରେ ବିରୋଧୀ ମୋଦି ସରକାର ବିରୋଧରେ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହା ସହିତ ପୁରା ଦେଶର ନଜର ବିରୋଧି ମେଣ୍ଟ ଉପରେ ଅଛି । ଦେଶର ସବୁ ଖବର କାଗଜ,ନ୍ୟୁଜ୍ ଚ୍ୟାନେଲରେ ଏବେ କେବଳ ବିରୋଧୀ ମେଣ୍ଚ ବାବଦରେ ଖବର । ମିଡିଆରେ ବିରୋଧୀ ମେଣ୍ଟକୁ ମିଳୁଥିବା ପ୍ରଚାର ଉପରୁ ନଜର ହଟାଇବା ପାଇଁ ମଧ୍ୟ ଏହା ଏକ ଚାଲ ବୋଲି କୁହାଯାଉଛି । ଯେଉଁଥିରେ କିଛି ସତ୍ୟତା ଥିବା ଭଳି ଲାଗୁଛି । କାରଣ ସ୍ୱତନ୍ତ୍ର ଅଧିବେଶନ ଘୋଷଣା ସହିତ କିଛି ସମୟ ପାଇଁ ହେଉ ପଛେ ପୁରା ନ୍ୟାରେଟିଭ୍ ବଦଳି ଯାଇଥିଲା । ଏବେ ବିରୋଧୀ ମୋର୍ଚ୍ଚା ସହିତ ସରକାର ବି ମିଡିଆ ଲାଇମ୍ ଲାଇଟକୁ ଆସିଯାଇଛନ୍ତି । ଏହା ମୋଦି ସରକାରଙ୍କ ମିଡିଆ ମ୍ୟାନେଜମେଣ୍ଟର ଗୋଟିଏ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।