ଗୁରୁବାର ଦିନ ଦେଶର ୧୦ ଟି ରାଜ୍ୟରେ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ଏନଆଇଏ ଏକ କାଳୀନ ଗୋଟିଏ ସଂଗଠନର ବିଭିନ୍ନ ଅଫିସ ଉପରେ ଚଢାଉ କରିଥିଲା । ଯାହା ଭିତରେ ଏହି ସଂଗଠନର ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା । ସଂଗଠନର ନାମ ହେଉଛି ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ-ସର୍ଟକଟରେ ପିଏଫ୍ଆଇ । ଚଢ଼ାଉ ସହିତ ଏନଆଇଏ ପିଏଫ୍ଆଇର ଅଧ୍ୟକ୍ଷ ଓଏମଏ ସଲାମକୁ ମଧ୍ୟ ଗିରଫ କରିଛି । ତେବେ କ’ଣ ପାଇଁ ଏହି ସଂଗଠନ ଏନଆଇଏର ରାଡାର ଭିତରକୁ ଆସିଥିଲା ? କିଏ ଏହି ସଲାମ ? ଆସନ୍ତୁ ଜାଣିବା ପିଏଫଆଇର ଡିଏନଏ କ’ଣ । କାହିଁକି ଏହାକୁ ଭାରତର ଅଖଣ୍ଡତା ପାଇଁ ବିପଜ୍ଜନକ ବୋଲି ମନା ଯାଉଛି ।
କେବେ ପ୍ରତିଷ୍ଠା ହୋଇଥିଲା ପିଏଫଆଇ ?
୨୦୦୬ ମସିହାରେ ପିଏଫଆଇ ଆତ୍ମପ୍ରକାଶ କରିଥିଲା । ୨୦୦୬ ମସିହାରେ ଦକ୍ଷୀଣ ଭାରତର ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟର ନୂଆ ଅବତାର ଥିଲା ପିଏଫଆଇ । କେରଳର କାଲିକଟରୁ ଏହାର ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାର ମୁଖ୍ୟାଳୟ ଦିଲ୍ଲୀର ସାହିନବାଗରେ ରହିଛି । ଦେଶର ୨୩ ରାଜ୍ୟରେ ସଂଗଠନ ଥିବା ଦାବି କରେ ପିଏଫଆଇ । ୧୯୯୨ ମସିହାରେ ବାବ୍ରି ମସଜିଦ ଧ୍ୱଂସ ପରେ ଦକ୍ଷୀଣ ଭାରତରେ ରାଷ୍ଟ୍ରୀୟ ବିକାଶ ମୋର୍ଚ୍ଚା,କର୍ଣ୍ଣାଟକ ଫୋରମ୍ ଫରେ ଡିଗ୍ନିଟି ଓ ତାମିଲନାଡୁରେ ମନିଥା ନୀତି ପାସାରୀ ଭଳି ସଂଗଠନ ମୁଣ୍ଡ ଟେକିଥିଲେ । ୨୦୦୬ରେ ଏହି ତିନି ସଂଗଠନର ବିଲୟ ହୋଇ ପିଏଫଆଇର ଜନ୍ମ ହୋଇଥିଲା ।
ସଂଗଠନର ମୁଖ୍ୟ ଓମା ସାଲାମ କିଏ ?
ପିଏଫଆଇର ମୁଖ୍ୟ ହେଉଛି ଓମା ସଲାମ । ପୁରା ନାମ ହେଉଛି ମହମ୍ମଦ ଅବଦୁଲ ସଲାମ ଓବନଗଲ । ପିଏଫଆଇରେ ତାକୁ ଓଏମଏ ସଲାମ କିମ୍ବା ଓମା ସଲାମ ନାମରେ ଜଣା ଯାଏ । କେରଳ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀରୁ ଭାରତର ସବୁଠାରୁ ମୌଳବାଦୀ ଇସଲାମିକ ସଂଗଠନର ମୁଖ୍ୟ ଭାବେ ଓମା ସଲାମର ଯାତ୍ରା ବେସ ବିବାଦୀୟ । ୨୦୨୦ ଡିସେମ୍ବର ମାସରେ କେରଳ ସରକାର ତାକୁ ଚାକିରିରୁ ବରଖାସ୍ତ କରିଥିଲେ । ସଂଦିଗ୍ଧ ଗତିବିଧିରେ ଲିପ୍ତ ରହିବା ସହିତ ବିଦେଶରୁ ଚାନ୍ଦା ଆଦାୟ ଅଭିଯୋଗରେ ସଲାମକୁ ଚାକିରିରୁ ବରଖାସ୍ତ କରାଯାଇଥିଲା । ବିନା ପୂର୍ବ ଅନୁମତିରେ ସଲାମ ବିଦେଶ ଯାଇଥିବା ଅଭିଯୋଗ ମଧ୍ୟ ରହିଛି । ପିଏଫଆଇ ମଧ୍ୟପ୍ରାଚ୍ୟର ମୁସଲିମ୍ ରାଷ୍ଟ୍ରଙ୍କଠାରୁ ଚାନ୍ଦ ସଂଗ୍ରହ କରିଥାଏ । ଏହି ଚାନ୍ଦାକୁ ଆତଙ୍କବାଦୀ ଗତିବିଧି ପାଇଁ ବ୍ୟବହାର କରାଯାଏ ବୋଲି ଅଭିଯୋଗ ହୁଏ ।
ଲଭ୍ ଜିହାଦଠାରୁ ହିଜବ ବିବାଦ,,ସବୁଥିରେ ପିଏଫଆଇ ଛାପ
ପିଏଫଆଇକୁ ଅନେକ ସମୟରେ ବ୍ୟାନ୍ କରିବାକୁ ଦାବି ଉଠିଛି । ୨୦୧୨ ମସିହାରେ ପ୍ରଥମେ ଏହାକୁ ପ୍ରତିବନ୍ଧିତ କରିବାକୁ ଦାବି କରାଯାଇଥିଲା । କିନ୍ତୁ ତତ୍କାଳୀନ କଂଗ୍ରେସ ସରକାର ଏହି ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ । ୨୦୧୭ ମସିହାରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଏହି ସଂଗଠନକୁ ପ୍ରତିବନ୍ଧିତ କରିବାକୁ ଦାବି କରିଥିଲେ । ସେହିଭଳି ଆସାମ ସରକାର ମଧ୍ୟ ଏହାକୁ ବ୍ୟାନ କରାଯିବା ସପକ୍ଷରେ ଥିଲେ । କେରଳରେ ଅନେକ ହିନ୍ଦୁବାଦୀ ନେତାଙ୍କ ହତ୍ୟା ପଛରେ ପିଏଫଆଇର ହାତ ଥିବା ଅଭିଯୋଗ ହୁଏ । କର୍ଣ୍ଣାଟକରୁ ମଧ୍ୟ ସେହିଭଳି ଅଭିଯୋଗ ଆସୁଛି । ଲଭ୍ ଜିହାଦର ଦୁଇଟି ମାମଲାରେ ପିଏଫଆଇର ସଂପୃକ୍ତି ଥିବାର ପ୍ରମାଣ ମିଳିଥିଲା । କର୍ଣ୍ଣାଟକରେ ଗତ କିଛି ଦିନ ଧରି ଚାଲିଥିବା ହିଜବ କାଣ୍ଡ ପଛରେ ପିଏଫଆଇ ମୁଖ୍ୟ ରଣନୀତିକାର ବୋଲି କୁହାଯାଏ ।