ଭାରତ କାହିଁକି ପାକିସ୍ତାନକୁ ଜାରି କଲା ନୋଟିସ ?
ସିନ୍ଧୁ ନଦୀ ଜଳ ସନ୍ଧିକୁ ନେଇ ପାକିସ୍ତାନକୁ ଭାରତ ନୋଟିସ ଜାରି କରିଛି । ସିନ୍ଧୁ ଜଳ ସନ୍ଧିର ନିୟମକୁ ପାକିସ୍ତାନ ମାନୁନଥିବାରୁ ଭାରତକୁ ନୋଟିସ ଜାରି କରିବାକୁ ପଡି଼ଲା ବୋଲି ସରକାର କହିଛନ୍ତି । ନିୟମ ଅନୁସାରେ ନୋଟିସ ଜାରି ହେବାର ତିନି ମାସ ବା ୯୦ ଦିନ ମଧ୍ୟରେ ପାକିସ୍ତାନକୁ ଭାରତ ସହିତ ଜଳସନ୍ଧିକୁ ନେଇ ଆଲୋଚନା କରିବାକୁ ପଡିବ । ସୂଚନାଯୋଗ୍ୟ ଯେ, ଭାରତରୁ ଉଦଗମ ହୋଇଥିବା ସିନ୍ଧୁ ନଦୀ ପାକିସ୍ତାନ ପାଇଁ ଗୁରୁତ୍ୱ ରଖେ । ପାକିସ୍ତାନର କୃଷି ସିନ୍ଧୁ ନଦୀର ଜଳ ଉପରେ ନିର୍ଭର କରିଥାଏ । ଦେଶ ବିଭାଜନ ସମୟରେ ନଦୀ ଜଳ ବଣ୍ଟନ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଅନେକ ସନ୍ଧି ମଧ୍ୟରୁ ସିନ୍ଧୁ ନଦୀ ଜଳ ସନ୍ଧି ଗୋଟିଏ ।
ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଛି । ଆଲୋଚନା ପାଇଁ ଭାରତ ପକ୍ଷରୁ ହୋଇଥିବା ଉଦ୍ୟମକୁ ପାକିସ୍ତାନ ନଜର ଅନ୍ଦାଜ କରିଛି । ୨୦୧୭ରୁ ୨୦୨୨ ମଧ୍ୟରେ ସ୍ଥାୟୀ ସିନ୍ଧୁ କମିଶନର ୫ ବୈଠକରେ ପାକିସ୍ତାନ ଏହାକୁ ନେଇ ଆଲୋଚନା କରିବାକୁ ମନା କରିଦେଇଥିଲା । ସିନ୍ଧୁ ଜଳ ସନ୍ଧିକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପାକିସ୍ତାନ ଭାରତର କିଶନଗଙ୍ଗା ଓ ରାତଲେ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଆପତି ଉଠାଇଥିଲା । ଏହାର ଯାଂଚ ପାଇଁ ପାକିସ୍ତାନ ଏକ ତଟସ୍ଥ ବିଶେଷଜ୍ଞ ନିଯୁକ୍ତ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ଏହାପରେ କିନ୍ତୁ ୨୦୧୬ରେ ପାକିସ୍ତାନ ନିଜ ପଟୁ ସେହି ଅନୁରୋଧକୁ ପ୍ରତ୍ୟାହାର କରିନେଇଥିଲା । କିନ୍ତୁ ଏକ ମଧ୍ୟସ୍ଥତା ଅଦାଲତ ତା’ ଅଭିଯୋଗ ଉପରେ ବିଚାର କରୁ ବୋଲି ପ୍ରସ୍ତାବ ଦେଇଥିଲା । ଏହାପରେ ଭାରତ ଏହି ମାମଲାରେ ଜଣେ ତଟସ୍ଥ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲା । ବିଶ୍ୱବ୍ୟାଙ୍କ ଭାରତର ଏହି ଅନୁରୋଧକୁ ୨୦୧୬ରେ ସ୍ୱୀକାର କରିଥିଲା ।
ଆପୋଷ ଆଲୋଚନା ପାଇଁ ଭାରତର ଉଦ୍ୟମକୁ ପାକିସ୍ତାନ ବାରମ୍ବାର ପ୍ରତ୍ୟାଖାନ କରିବା ପରେ ନୂଆଦିଲ୍ଲୀ ଏବେ ନୋଟିସ ଜାରି କରିଛି । ଏବେ ଆସନ୍ତୁ ଜାଣିବା ସିନ୍ଧୁ ଜଳ ସନ୍ଧି କ’ଣ ?
ସିନ୍ଧୁ ଜଳ ସନ୍ଧି କ’ଣ ?
ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧି ସ୍ୱାକ୍ଷରିତ ହୋଇଥିଲା । ଏହି ସନ୍ଧି ଅନୁସାରେ ସତଲେଜ୍,ବ୍ୟାସ ଓ ରାବିର ପାଣି ଭାରତ ବ୍ୟବହାର କରି ପାରିବ । ଅନ୍ୟପକ୍ଷରେ ସିନ୍ଧୁ,ଝେଲମ ଓ ଚେନାବର ପାଣି ପାକିସ୍ତାନ ବ୍ୟବହାର କରିବ । ୯ ବର୍ଷର ଆଲୋଚନା ପରେ ଭାରତ ଓ ପାକିସ୍ତାନ ଏହି ସନ୍ଧିରେ ୧୯୬୨ ମସିହାରେ ସ୍ୱାକ୍ଷର କରିତିଲେ । ଯେଉଁଥିରେ ବିଶ୍ୱବ୍ୟାଙ୍କ ମଧ୍ୟ ଜଣେ ଦସ୍ତଖତକାରୀ । ସନ୍ଧି ଅନୁସାରେ ଦୁଇ ଦେଶର ଜଳ କମିଶନର ବର୍ଷକୁ ଦୁଇଥର ସାକ୍ଷାତ କରିବେ ।