ପେଗାସାସ ମଧ୍ୟ ହାଇବ୍ରିଡ୍ ଯୁଦ୍ଧର ଏକ ଅସ୍ତ୍ର, ଜାଣନ୍ତୁ କେମିତି ମାଉସ ଓ କି’ବୋର୍ଡରେ ଲଢାଯାଏ ଯୁଦ୍ଧ
ଆମେରିକା ଓ ଅନ୍ୟ ଦେଶଙ୍କ ସରକାରୀ ତଥା ଘରୋଇ କମ୍ପାନୀଙ୍କ ଉପରେ ହୋଇଥିବା ରେମସୱେୟାର ଆକ୍ରମଣ ପରଠାରୁ ୱାଂସିଟନ ଓ ମସ୍କୋ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିଲାଣି । ଦୁଇ ପକ୍ଷ ଏଥିପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ବିଶେଷଜ୍ଞ ଏହିଭଳି ସାଇବର ଆଟାକକୁ ହାଇବ୍ରିଡ୍ ୱାର ବୋଲି କହିଥାନ୍ତି । ଏହି ହାଇବ୍ରିଡ୍ ଯୁଦ୍ଧର ଲକ୍ଷ୍ୟ ହେଉଛି ଶତ୍ରୁ ଦେଶକୁ ଭିତରୁ ଫମ୍ପା କରିଦେବା ।
ଭାରତ ସମେତ ଅନ୍ୟ କେତେକ ଦେଶରେ ପେଗାସାସ ଗୁଇନ୍ଦା କାଣ୍ଡ ମିଡିଆରେ ହେଡଲାଇନ୍ସ ହୋଇଛି । ଏହା ମଧ୍ୟ ଏକ ପ୍ରକାରର ହାଇବ୍ରିଡ୍ ଯୁଦ୍ଧ । ଆସନ୍ତୁ ଜାଣିବା ହାଇବ୍ରିଡ୍ ୱାର କ’ଣ ହୋଇଥାଏ ଓ କେଉଁ କେଉଁ ଦେଶ ଏଭଳି କାର୍ଯ୍ୟରେ ଲିପ୍ତଥିବା ଅଭିଯୋଗ ହୁଏ ।
ପ୍ରଥମେ ଜାଣନ୍ତୁ ହାଇବ୍ରିଡ୍ ୱାର୍ କ’ଣ ?
ହାଇବ୍ରିଡକୁ ସରଳ ଶବ୍ଦ ହେଉଛି ମିକ୍ସଚର । ଯେମିତି ମିକ୍ସଚର ବା ଚାନାଚୁରରେ ଅଲଗା ଅଲଗା ସାମଗ୍ରୀ ମିଶିଥାଏ, ସେହିଭଳି ହାଇବ୍ରିଡ୍ ୱାର ହେଉଛି ଅଲଗା ଅଲଗା ତରିକାରେ ଯୁଦ୍ଧ ଲଢିବା । ଏହାର ଅର୍ଥ ହେଉଛି ଆପଣ ଶତ୍ରୁ ସହିତ ଖୁଲମଖୁଲା ଯୁଦ୍ଧ ଲଢନ୍ତି ନାହିଁ ବରଂ ଆପଣ ଅପ୍ରତ୍ୟକ୍ଷ ଭାବେ ବିଭିନ୍ନ ଉପାୟରେ ଶତ୍ରୁକ ଦୁର୍ବଳ କରିଥାନ୍ତି ।
ଉଦାହରଣ ସ୍ୱରୁପ ଆପଣଙ୍କ ଶତ୍ରୁ ଦେଶରେ ଜନ ଅସନ୍ତୋଷ ରହିଛି । ଲୋକ ରାସ୍ତା ଉପରକୁ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏମିତିରେ ଆପଣ ମିଥ୍ୟା ସୂଚନା ଦେଇ ବିଦ୍ରୋହ ବା ବିକ୍ଷୋଭକୁ ଅଧିକ ଉତ୍ସକାଇ ପାରିବେ । ବିକ୍ଷୋଭକାରୀଙ୍କୁ ଏଭଳି ଉତ୍ସକାଇ ଗୋଟିଏ ଦେଶ ଆଉ ଗୋଟିଏ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିପାରିବ । ଏହିଭଳି ସୋସିଆଲ ମିଡିଆ, ସାଇବର ଆଟାକ, ଫେକ୍ ନ୍ୟୁଜ୍, ଟ୍ରେଡ୍ ରେଷ୍ଟ୍ରିକେସନ୍ସ ଓ ବାକି ଉପାୟ ଦ୍ୱାରା ଶତ୍ରୁ ରାଷ୍ଟ୍ରରେ ଅଶାନ୍ତି ସୃଷ୍ଟି କରାଯାଇ ପାରିବ । ଏଭଳି କରି ଗୋଟିଏ ଦେଶ ଆଉ ଗୋଟିଏ ଦେଶରେ ଦଙ୍ଗା ସୃଷ୍ଟି କରିବା ସହିତ ଅର୍ଥନୀତିକୁ ମଧ୍ୟ ଧ୍ୱଂସ କରି ଦେଇପାରେ । ଦଙ୍ଗା ସୃଷ୍ଟି କରିବା, ଅର୍ଥବ୍ୟବସ୍ଥାକୁ କ୍ଷତି ପହଂଚାଇବା ହେଉଛି ହାଇବ୍ରିଡ୍ ୱାର ।
ହାଇବ୍ରିଡ୍ ୱାରର ଉତ୍ତର ଦେବାରେ ସବୁଠାରୁ ବଡ ସମସ୍ୟା ହେଉଛି ଅପରାଧୀକୁ ଚିହ୍ନଟ କରିବା । ହାଇବ୍ରିଡ୍ ୱାରଫେୟାରରେ ସରକାର ସାଧାରଣ ଲୋକଙ୍କ ସାହାଯ୍ୟ ନେଇଥାନ୍ତି । ସାଇବର ୱେୟାର ଫେୟାରରେ ଋଷ ଓ ଚୀନ ବଡ଼ ଖେଳାଳୀ ଭାବେ ଉଭା ହୋଇଛନ୍ତି । ଏହି ଦୁଇ ଦେଶଙ୍କ ପରେ ଅଛି ଉତ୍ତର କୋରିଆ ।
ହାଇବ୍ରିଡ୍ ଯୁଦ୍ଧ ଓ ଋଷ
ଋଷର ସାଇବର ୱେୟାର ଫେୟାର ଡକ୍ଟ୍ରିନକୁ ଆଲେକଜାଣ୍ଡାର ଡୁଗିନଙ୍କ ଭଳି ରାଜନୈତିକ ବିଶାରଦ ରୂପରେକ ଦେଇଥିଲେ । ଡୁଗିନଙ୍କ ପୁତିନଙ୍କ ମସ୍ତିଷ୍କ ବୋଲି କୁହାଯାଇଥାଏ । ସେ ମସ୍କୋ ବିଶ୍ୱବିଦ୍ୟାଳୟର ସୋସିଓଲଜି ପ୍ରଫେସର ଅଛନ୍ତି । ୨୦୧୪ରେ ଆମେରିକା ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ଋଷ ସହିତ ଚୀନ୍ ଓ ଇରାନ ଏଭଳି ହାଇବ୍ରିଡ୍ ଯୁଦ୍ଧରେ ଲିପ୍ତ ଥିବା ଅଭିଯୋଗ ହେଉଛି । ଚୀନ୍ ୨୦୨୦ରେ ଭାରତ ବିରୋଧରେ ଏଭଳି ଯୁଦ୍ଧ କରିଥିଲା । ଚୀନର କିଛି କମ୍ପାନୀ ଭାରତର ଭିଆଇପିଙ୍କ ଉପରେ ନଜର ରଖିଥିବା ଅଭିଯୋଗ ସେତେବେଳେ ହୋଇଥିଲା । ଋଷ ଆମେରିକା ସମେତ ୟୁକ୍ରେନ୍ ଓ ଜର୍ଜିଆ ବିରୋଧରେ ହାଇବ୍ରିଡ୍ ୱାରଫେୟାରରେ ଲିପ୍ତ ଥିବା ଅଭିଯୋଗ ହୁଏ ।
ହାଇବ୍ରିଡ୍ ଯୁଦ୍ଧ ପାଇଁ ଭାରତ କ’ଣ କରୁଛି ?
ହାଇବ୍ରିଡ୍ ଯୁଦ୍ଧର ମୁକାବିଲା ପାଇଁ ୟୁରୋପିୟାନ ୟୁନିୟନ ହାଇବ୍ରିଡ୍ ଫ୍ୟୁଜନ୍ ସେଲ ତିଆରି କରିଛି । ତେବେ ଭାରତ କଥା କହିଲେ ଦେଖିବାକୁ ମିଳିବ ଯେ, ଏହି ପ୍ରସଙ୍ଗରେ ଭାରତ ଚୀନଠାରୁ ପଛରେ ଅଛି । ଚୀନ୍ ୨୦୧୩ରେ ହିଁ ଥ୍ରି ୱେୟାର ଫେୟାର ଷ୍ଟ୍ରାଟେଜି ବା ଟିଡବ୍ଲୁଏସ୍ ଉପରେ କାମ ଆରମ୍ଭ କରିଥିଲା । ସୁରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ଚୀନର ରଣନୀତି ସ୍ପଷ୍ଟ ରହିଛି । ଚୀନର ରଣନୀତି ହେଉଛି ଦେଶ ଭିତରେ ଓ ବାହାରେ ତା’ ସମର୍ଥନରେ ମନୋଭାବ ସୃଷ୍ଟି କରିବା, ମନୋବୈଜ୍ଞାନିକ ଯୁଦ୍ଧ ଜରିଆରେ ଶତ୍ରୁକୁ ଏହା ବିଶ୍ୱାସ କରିବାକୁ ବାଧ୍ୟ କରିବା ଯେ, ଚୀନ ସେନା ଆଗରେ ସେମାନେ ଦୁର୍ବଳ ଓ ଲିଗାଲ ୱେୟାର ଫେୟାର ଜରିଆରେ ନିଜ ଦାବିକୁ ଶକ୍ତି ପ୍ରଦାନ କରିବା । ତେଣିକି ମାମଲା ଦକ୍ଷୀଣ ଚୀନ ସାଗରର ହେଉ କି ଲଦ୍ଦାଖର ।
ତେବେ ଏହାର ଅର୍ଥ କଦାପି ଏହା ନୁହେଁ ଯେ, ଭାରତ କିଛି ମଧ୍ୟ କରୁନାହିଁ । ଭାରତୀୟ ସୁରକ୍ଷା ଏଜେନ୍ସୀ ମଧ୍ୟ ହାଇବ୍ରିଡ୍ ୱେୟାରଫେୟାର ପାଇଁ ଭିତ୍ତିଭୂମି ତିଆରି କରୁଛନ୍ତି ।