ପ୍ରଧାନମନ୍ତ୍ରୀ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଯେଉଁ ହଟ୍ ଲାଇନରେ କଥା ହୁଅନ୍ତି ତାହା ପ୍ରକୃତରେ କ’ଣ ?
ଗତବର୍ଷ ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ସେତେବେଳ ମିଡିଆରେ ଖବର ଆସିଥିଲା ଯେ, ଦୁଇ ଦେଶ ମଧ୍ୟରେ ବିବାଦ ଭିତରେ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହଟ୍ ଲାଇନରେ ଆଲୋଚନା ହୋଇଛି । ପାକିସ୍ତାନ ସହିତ ବିବାଦ କାଳରେ ମଧ୍ୟ ହଟଲାଇନକୁ ନେଇ ମଝିରେ ମଝିରେ ଏମିତି ଖବର ଆସେ । ଭାରତୀୟ ପ୍ରଧାନମନ୍ତ୍ରୀ ଓ ପାକ୍ ପ୍ରଧାନମନ୍ତ୍ରୀ ହଟଲାଇନରେ କଥା ହୋଇଛନ୍ତି ବୋଲି ଆପଣ ଅନେକ ଥର ଖବର କାଗଜରେ ପଢିଥିବେ । ତେବେ ଏହି ହଟ୍ ଲାଇନ୍ କ’ଣ ? କେମିତି ଏହା କାମ କରିଥାଏ ?
ଦୁଇ ଦେଶ ମଧ୍ୟରେ ହଟଲାଇନ୍ ସେବା କ’ଣ ?
ହଟଲାଇନ୍ ଅର୍ଥାତ ପଏଣ୍ଟ୍ ଟୁ ପଏଣ୍ଟ୍ କମ୍ୟୁନିକେଶନର ସେହି ଲିଙ୍କ୍ ଯେଉଁଥିରେ କଲ୍ ସ୍ୱୟଂକୃତ ଭାବେ ପୂର୍ବରୁ ନିର୍ଧାରିତ ନମ୍ବରକୁ ଲାଗିଥାଏ । ଏହାର ବ୍ୟବହାରକାରୀଙ୍କୁ ଅତିରିକ୍ତ କିଛି କରିବାକୁ ପଡିନଥାଏ । ଏଥିପାଇଁ ଏକ ଡେଡିକେଟେଡ୍ ଫୋନ୍ ଥାଏ । ଏଥିପାଇଁ କୌଣସି ପ୍ରକାରର ରୋଟାରି ଡାଏଲ କିମ୍ବା କି-ପ୍ୟାଡର ଆବଶ୍ୟକତା ନଥାଏ । ହଟଲାଇନକୁ ଆପଣ ଅଟୋମେଟିକ୍ ସିଗନାଲିଂ, ରିଙ୍ଗଡାଉନ୍ କିମ୍ବା ଅଫ୍ ହୁକ୍ ସର୍ଭିସ ଭାବେ ମଧ୍ୟ ଦେଖି ପାରିବେ । ହଟଲାଇନ୍ ନମ୍ବର ଡାଏଲ କରିବାକୁ ୟୁଜରଙ୍କୁ କିଛି ମଧ୍ୟ କରିବାକୁ ପଡିନଥାଏ । ଅର୍ଥାତ୍ ରିସିଭର ଉଠାଇଲା ମାତ୍ରେ ଫୋନ୍ ମନକୁ ମନ କେନେକ୍ଟ ହୋଇଥାଏ । ଏଥିପାଇଁ କୌଣସି ନମ୍ବର ଡାଏଲ କରିବାକୁ ପଡିନଥାଏ ।
କେଉଁ କେଉଁ ଦେଶ ମଧ୍ୟରେ ରହିଛି ହଟ୍ ଲାଇନ୍ ସେବା ?
- ଭାରତ-ଆମେରିକା
- ଭାରତ-ଚୀନ୍
- ଭାରତ-ପାକିସ୍ତାନ
- ଆମେରିକା-ଇଂଲଣ୍ଡ
- ଋଷ-ଚୀନ୍
- ଋଷ-ଫ୍ରାନ୍ସ
- ଆମେରିକା-ଚୀନ୍
- ଋଷ-ଇଂଲଣ୍ଡ
- ଚୀନ୍-ଜାପାନ
- ଉତ୍ତର କୋରିଆ-ଦକ୍ଷୀଣ କୋରିଆ
ଭାରତ-ପାକିସ୍ତାନ୍ ହଟଲାଇନ୍ ସେବା
ଭାରତ ଓ ପାକିସ୍ତାନ ମଧ୍ୟରେ ହଟଲାଇନରେ ବାର୍ତ୍ତାକୁ ନେଇ ଅଧିକାଂଶ ସମୟରେ ଖବର ଆସିଥାଏ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପରେ ଏହି ହଟଲାଇନ୍ ସେବା ଆରମ୍ଭ ହୋଇଥିଲା । ଏହି ହଟଲାଇନ୍ ଇସଲାମାବାଦ ସ୍ଥିତ ପାକ୍ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଡାଇରେକ୍ଟୋରେଟ୍ ଜେନରାଲ ଅଫ୍ ମିଲିଟାରି ଅପରେସନ୍ସଙ୍କ ଜରିଆରେ ନୂଆଦିଲ୍ଲୀ ସ୍ଥିତ ସଚିବାଳୟ ସହ ଯୋଡି ହୋଇଛି । ଏହି ହଟଲାଇନ୍ ଜରିଆରେ ଦୁଇ ଦେଶର ସେନା ଜେନରାଲ ମାନେ କଥା ହୋଇଥାନ୍ତି । ଏହା ଯୋଗାଯୋଗର ସବୁଠାରୁ ସୁରକ୍ଷିତ ମାଧ୍ୟମ ବୋଲି କୁହାଯାଏ । ୧୯୭୧ ପରେ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ୧୯୯୧ରେ ଏହାର ପ୍ରୟୋଗ ହୋଇଥିଲା । ଏହାପରେ ୧୯୯୭ରେ ଏହାକୁ ଦ୍ୱିତୀୟ ଥର ପାଇଁ ବ୍ୟବହାର କରାଯାଇଥିଲା । ୧୯୯୮ରେ ପୋଖରାନ ପରମାଣୁ ପରୀକ୍ଷଣ ପରେ ଦୁଇ ଦେଶ ମଧ୍ୟରେ ହଟଲାଇନ୍ ଜରିଆରେ ଆଲୋଚନା ହୋଇଥିଲା । ୧୯୯୯ ମସିହା କାରଗିଲ ଯୁଦ୍ଧ କାଳରେ ମଧ୍ୟ ଏହା ଜରିଆରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହେଉଥିଲା । ସେହିଭଳି ୨୦୦୧, ୨୦୦୨ ଓ ୨୦୦୮ରେ ଦୁଇ ଦେଶ ହଟଲାଇନକୁ ବ୍ୟବହାର କରିଥିଲେ ।
ଭାରତ-ଆମେରିକା ହଟଲାଇନ୍
୨୦୧୫ ପରଠାରୁ ଭାରତ ଓ ଆମେରିକା ମଧ୍ୟରେ ହଟଲାଇନ ଯୋଗାଯୋଗ ଆରମ୍ଭ ହୋଇଛି । ଏହି ସେବା ଦ୍ୱାରା ଦୁଇ ଦେଶର ଏନଏସଏ କୌଣସି ଦ୍ୱିତୀୟ ଚ୍ୟାନେଲ ବ୍ୟବହାର ଦ୍ୱାରା ପରସ୍ପର ସମ୍ପର୍କରେ ରହି ପାରୁଛନ୍ତି । ଏହା ସହିତ ଆମେରିକା ରାଷ୍ଟ୍ରପତି ଓ ଭାରତୀୟ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ହଟଲାଇନର ବ୍ୟବହାର କରନ୍ତି ।
ହଟଲାଇନରେ ଆମେରିକା-ଋଷ
ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ବଡ ସଂଘର୍ଷ ହଟଲାଇନ୍ କାରଣରୁ ହିଁ ଏଡାଇ ହୋଇଥିଲା । ଅନ୍ୟପକ୍ଷରେ ଆମେରିକା ଓ ଋଷ ମଧ୍ୟରେ ହଟଲାଇନ୍ ସେବା ଶୀତଳ ଯୁଦ୍ଧ ସରିବାର ୧୪ ବର୍ଷ ପରେ ଆରମ୍ଭ ହୋଇଥିଲା । ଶୀତଳ ଯୁଦ୍ଧ କାଳରେ ପରମାଣୁ ଯୁଦ୍ଧର ଆଶଙ୍କା ଭିତରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗର ବ୍ୟବସ୍ଥା ହୋଇଥିଲା । କିନ୍ତୁ ତାହା ହଟଲାଇନ୍ ସେବା ନଥିଲା । ଅନେକ ଉପନ୍ୟାସ ଓ ହଲିଉଡ୍ ଫିଲ୍ମରେ ଆମେରିକା ରାଷ୍ଟ୍ରପତି ଏକ ଲାଲ ରଙ୍ଗର ଟେଲିଫୋନ୍ ଦ୍ୱାରା ଋଷ ରାଷ୍ଟ୍ରପତିଙ୍କ ସହିତ ସିଧା କଥା ହେବାର ଦେଖା ଯାଇଛି କିନ୍ତୁ ତାହା ସତ୍ୟ ନୁହଁ । ଏହି ଦୁଇ ଦେଶର ରାଷ୍ଟ୍ରମୁଖ୍ୟ କେବେ ମଧ୍ୟ ଫୋନରେ କଥା ହିଁ ହୋଇନଥିଲେ ।