ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ପରି ବୋମାରେ ଉଡାଇ ଦିଆଯିବ ବୋଲି ଧମକ ମିଳିଛି । ରାହୁଲଙ୍କୁ ତାଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ହିଁ ବୋମା ଦ୍ୱାରା ଆକ୍ରମଣ କରାଯିବ । ମହାରାଷ୍ଟ୍ରର ନାଶିକ ପୋଲିସ ଏହି ସୂଚନା ପାଇବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାହୁଲଙ୍କ ବାସଭବନର ସୁରକ୍ଷା ବୃଦ୍ଧି କରିଛି । ଏଥିସହ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ କଡାକଡି କରିବାକୁ ଦିଲ୍ଲୀ ପୋଲିସ, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସକୁ କୁହାଯାଇଛି । ସମ୍ପ୍ରତି ରାହୁଲ ଗାନ୍ଧୀଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି । ମାର୍ଚ୍ଚ ୨ ରେ ତାଙ୍କର ନ୍ୟାୟ ଯୋଡୋ ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରୁଛି ।
ବଢାଗଲା ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥା
ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ୨୪ ଆକବର ରୋଡରେ ତାଙ୍କ ବାସଭବନର ସୁରକ୍ଷା ବୃଦ୍ଧି କରାଯାଇଛି । ତାଙ୍କ ବାସଭବନ ନିକଟରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ସାଧା ପୋଷାକରେ ପୋଲିସ ନିୟୋଜିତ ହୋଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମହାରାଷ୍ଟ୍ର ପୋଲିସ ଏବଂ ଦିଲ୍ଲୀ ପୋଲିସକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁସନ୍ଧାନ ପାଇଁ ସ୍ୱତନ୍ତ୍ର ସେଲ ନିୟୋଜିତ କରାଯାଇଛି । ରାହୁଲ ଗାନ୍ଧୀଙ୍କ ପାଖରେ ବର୍ତ୍ତମାନ ଜେଡ ପ୍ଲସ ସୁରକ୍ଷା ଅଛି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ନିକଟରେ ୧୦ରୁ ଅଧିକ ଏନଏସଜି କମାଣ୍ଡୋ ଏବଂ ପୋଲିସ କର୍ମଚାରୀଙ୍କ ସମେତ ୫୫ତାଲିମପ୍ରାପ୍ତ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ କମାଣ୍ଡୋ ୨୪ ଘଣ୍ଟା ବ୍ୟକ୍ତିଙ୍କ ଚାରିପାଖରେ କଡା ନଜର ରଖିବେ ।