କଲମ୍ବିଆ ସରକାର କୁଖ୍ୟାତ ଡ୍ରଗ୍ ମାଫିଆ ପାବ୍ଲୋ ଏସ୍କୋବାରର ହିପ୍ପୋ(ଜଳହସ୍ତୀ)ର ଫ୍ୟାମିଲି ପ୍ଲାନିଂ କରିଛନ୍ତି । ଏସ୍କୋବାର ୧୯୯୩ରେ ପୋଲିସ ଗୁଳିରେ ମରିବା ପୂର୍ବରୁ ନିଜ ପ୍ରାଇଭେଟ୍ ଚିଡିଆଖାନା ପାଇଁ ୪ଟି ଜଳହସ୍ତିକୁ ଆଫ୍ରିକାରୁ ଚୋରାରେ ଆଣିଥିଲା । ପରେ ଏହି ଜଳହସ୍ତିଙ୍କ ସଂଖ୍ୟା ବଢି ୮୦ ହୋଇଛି । କୋକେନ୍ ବିଜେନ୍ସ ଓ ମେଡେଲିନ୍ ଡ୍ରଗ୍ସ କାର୍ଟେଲରେ ଏସ୍କୋବାରର ଭୂମିକା ପାଇଁ ଏହି ହିପ୍ପୋଙ୍କୁ କୋକେନ୍ ହିପ୍ପୋ ବୋଲି ମଧ୍ୟ କୁହାଯାଏ ।
କେମିକାଲ ପିଆଇ ଫ୍ୟାମିଲି ପ୍ଲାନିଂ
ବିବିସି ରିପୋର୍ଟ ଅନୁସାରେ ଏହି ୮୦ ହିପ୍ପୋଙ୍କ ମଧ୍ୟରୁ ୨୪ଟିଙ୍କୁ ଏଭଳି ରାସାୟନିକ ଦ୍ରବ୍ୟ ପିଆଯାଇଛି ଯାହା ଫଳରେ ସେମାନେ ସନ୍ତାନ ଜନ୍ମ କରି ପାରିବେ ନାହିଁ । ପାଖାପଖି ୧୪ଶହ କିଲୋ ଓଜନ ବିଶିଷ୍ଟ ଏହି ଜୀବ ଆକ୍ରାମକ ସ୍ୱଭାବର ହୋଇଥାନ୍ତି । ନିଜ ଅଂଚଳରେ ଏମାନେ ଅନ୍ୟ କାହାର ଅନୁପ୍ରବେଶକୁ ପସନ୍ଦ କରିନଥାନ୍ତି । ଏମାନେ ବିନା ଚେତାବନୀରେ ଆକ୍ରମଣ କରିଥାନ୍ତି । ହିପ୍ପୋଙ୍କ ଆକ୍ରମଣରେ ବାର୍ଷିକ ଶତାଧିକ ଲୋକ ପ୍ରାଣ ହରାନ୍ତି ।
କୌଣସି ଚିଡିଆଘର ରାଜି ନାହାନ୍ତି
ଏହି ହିପ୍ପୋଙ୍କୁ ଗ୍ରହଣ କରିବାକୁ କୌଣସି ଚିଡିଆଘର ରାଜି ନାହାନ୍ତି । ଏସ୍କୋବାରର ହତ୍ୟା ପରେ ତା’ ଚିଡ଼ିଆଖାନାରେ ଥିବା ପଶୁଙ୍କୁ ବିଭିନ୍ନ ଚିଡିଆଖାନାକୁ ନିଆଯାଇଥିଲା । ତେବେ ଏହି ହିପ୍ପୋଙ୍କୁ ନେବାକୁ କେହି ମଧ୍ୟ ରାଜି ହୋଇନଥିଲେ । ଫଳରେ ପ୍ରଶାସନ ଏହି ହିପ୍ପୋଙ୍କୁ ପାଖରେ ଥିବା ନଦୀକୁ ଛାଡି ଦେଇଥିଲା । ଏବେ ସେହି ହିପ୍ପୋଙ୍କ ସଂଖ୍ୟା ବଢି ୪ରୁ ୮୦ ହୋଇଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହି ହିପ୍ପୋ କାଳ ସାଜିଛନ୍ତି ।
ଝିଅକୁ ଶିତ ହେଉଥିଲା ବୋଲି ୧୩ କୋଟି ଟଙ୍କାର ନୋଟ୍ ଜାଳିଥିଲା
ଏସ୍କୋବାର ଗୋଟିଏ ସମୟରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ଥିଲା । ଦିନକୁ ତା’ର ଆୟ ୪ଶହ କୋଟି ଟଙ୍କା ଥିଲା । ପୋଲିସ ଠାରୁ ଲୁଚି ବୁଲୁଥିବା ଏସ୍କୋବାର ଗୋଟିଏ ସ୍ଥାନରେ ଲୁଚିଥିବା ବେଳେ ତା’ ଝିଅକୁ ଶିତ ହୋଇଥିଲା । ଝିଅକୁ ଉଷୁମ ଦେବା ପାଇଁ ସେ ୨ ମିଲିୟନ ଡଲାର(୧୩ କୋଟି ଟଙ୍କା)ର କାଗଜ ନୋଟ୍ ଜାଳିଥିଲା । ଡ୍ରଗ୍ସରୁ ଏସ୍କୋବାରର ଆୟ ଏତେ ଥିଲା ଯେ, ତା’ ଆୟର ୧୦ ପ୍ରତିଶତ ମୁଶା ଖାଇ ଯାଉଥିଲେ । ଟଙ୍କା ବିଡା କରିବା ପାଇଁ ସେ ପ୍ରତି ସପ୍ତାହରେ ୧ ହଜାର ଡଲାରର ରବର ବ୍ୟାଣ୍ଡ୍ କିଣୁଥିଲା ।