ପାସପୋର୍ଟ ବନାଇବା ପୂର୍ବରୁ ପୋଲିସ ଭେରିଫିକେସନ୍ ହୋଇଥାଏ । ସ୍ଥାନୀୟ ପୋଲିସ ପାସପୋର୍ଟ୍ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟ ସଂଗ୍ରହ କରି ବୈଦେଶିକ ମନ୍ତ୍ରଣାଳୟକୁ ଜଣାଇଥାଏ । ପୋଲିସ ଭେରିଫିକେସନ୍ ପଛର ଉଦ୍ଦେଷ୍ୟ ହେଉଛି ଯେ,ଯେମିତି କୌଣସି ଅପରାଧୀ ପାସପୋର୍ଟ୍ ନେଇ ବିଦେଶକୁ ପଳାୟନ ନକରନ୍ତି । ବର୍ତ୍ତମାନ ସିମ୍ କାର୍ଡକୁ ନେଇ ହେଉଥିବା ଠକେଇ ରୋକିବା ପାଇଁ ପୋଲିସ ଭେରିଫିକେସନକୁ ଅନିବାର୍ଯ୍ୟ ହେବ । ତେବେ ଏଥିପାଇଁ ଆପଣଙ୍କୁ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଆପଣ ଯେଉଁ ଡିଲରଙ୍କଠାରୁ ସିମ୍ କିଣୁଛନ୍ତି ସେହି ଡିଲରଙ୍କର ପୋଲିସ ଭେରିଫିକେସନ୍ ହେବ । ଯେମିତି କୌଣସି ଠକେଇ ପରିସ୍ଥିତିରେ ତାଙ୍କୁ ଦାୟୀ କରାଯିବ ।
ସାଇବର ଠକେଇରେ ଲାଗିବ ଅଙ୍କୁଶ
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦିନ ସ୍ପଷ୍ଟ କରିଦେଇଛନ୍ତି ଯେ, ସିମ୍ କାର୍ଡ୍ ଡିଲରଙ୍କ ପୋଲିସ ଭେରିଫିକେସନ୍ ଅନିବାର୍ଯ୍ୟ ହେବ । ଫଳରେ କୌଣସି ଜାଲ୍ ସିମ୍ କାର୍ଡ୍ ଡିଲର ଠକଙ୍କୁ ସିମ୍ ବିକ୍ରି କରିପାରିବେ ନାହିଁ । ଏମିତିରେ ସିମ୍ କାର୍ଡ୍ ଠକେଇ ଘଟଣା କମିବ । ସରକାରଙ୍କ ତରଫରୁ କୁହାଯାଇଛି ଯେ, ଗାଇଡ୍ ଲାଇନ୍ ଅନୂସରଣ କରିନଥିବା 52 ଲକ୍ଷ ନମ୍ବରକୁ କାଟି ଦିଆଯାଇଛି । ଅନ୍ୟପକ୍ଷରେ 67 ହଜାର ଡିଲରଙ୍କୁ ବ୍ଲାକ୍ ଲିଷ୍ଟ୍ କରାଯାଇଛି । ମେ 2023ଠାରୁ ସିମ୍ କାର୍ଡ୍ ଡିଲରଙ୍କ ବିରୋଧରେ 3ଶହରୁ ଅଧିକ ଏଫଆଇଆର ଦାଏର କରାଯାଇଛି ।
10 ଲକ୍ଷ ଟଙ୍କା ଜରିମାନା
ଯଦି କୌଣସି ଡିଲର ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଉପରେ 10 ଲକ୍ଷ ଟଙ୍କାର ଜରିମାନ ଲାଗୁ କରାଯିବ । ଏହା ସହିତ ସେମାନଙ୍କ ବିରୋଧରେ ପୋଲିସରେ ମାମଲା ମଧ୍ୟ ରୁଜ କରାହେବ ।ଏମିତିରେ ସେମାନଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ । ସରକାରଙ୍କ ତରଫରୁ 10 ଲକ୍ଷ ସିମ୍ ଡିଲରଙ୍କୁ ପୋଲିସ ଭେରିଫିକେସନ୍ କରିବାକୁ ଯଥେଷ୍ଟ ସମୟ ଦିଆଯାଇଛି । ଦୂରସଂଚାର ବିଭାଗ ପକ୍ଷରୁ ବଲକ୍ କେନକ୍ସନ୍ ଦେବା ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏହା ସହିତ କର୍ପୋରେଟ୍ କେୱାସୀ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି ।