ପର୍ସନାଲ ଲୋନ୍ VS କ୍ରେଡିଟ୍ କାର୍ଡ୍ ଲୋନ୍
ଆମେ ସମସ୍ତେ କେବେ ନା କେବେ ଏମିତି ପରିସ୍ଥିତିର ସମ୍ମୁଖୀନ ହେଉ ଯେତେବେଳେ ବଜେଟ୍ ବିଗିଡି ଯାଏ । ଅଚାନକ ଆସୁଥିବା ଖର୍ଚ୍ଚ ପାଇଁ ଆମକୁ ଧାର ଉଧାର କରିବାକୁ ପଡିଥାଏ । ପରିବାର କିମ୍ବା ସାଙ୍ଗସାଥୀଙ୍କଠାରୁ ଧାର ଆଣିବାର ସୁବିଧା ହେଲା ଏଥିରେ ସୁଧ ଦେବାକୁ ପଡିନଥାଏ କିମ୍ବା ପ୍ରୋସେସିଂ ଚାର୍ଜ୍ ଦେବାକୁ ପଡିନଥାଏ । କିନ୍ତୁ ସବୁବେଳେ ଘର କିମ୍ବା ସାଙ୍ଗସାଥିଙ୍କଠାରୁ ଧାର ମିଳିବାର ଗ୍ୟାରେଣ୍ଟି ନଥାଏ । ଏମିତିରେ ଆମକୁ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀଙ୍କ ଦ୍ୱାରସ୍ତ ହେବାକୁ ପଡିଥାଏ । ବ୍ୟାଙ୍କ ଦୁଇ ପ୍ରକାର ଲୋନ୍ ଦେଇଥାନ୍ତି । ଆପଣଙ୍କ ସିବିଲ ସ୍କୋର ଆଧାରରେ ଆପଣଙ୍କୁ ଭଲ ସୁଧରେ ପର୍ସନାଲ ଲୋନ୍ ମିଳିଥାଏ କିମ୍ବା କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ଲୋନ୍ ମିଳିଥାଏ । ତେବେ ଏଠି ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବ ଯେ, କେଉଁ ଲୋନ୍ ଆପଣଙ୍କ ପାଇଁ ଠିକ୍ ରହିବ ।
ପ୍ରକୃତରେ ଏହା ଆପଣଙ୍କ ଆବଶ୍ୟକତା ଉପରେ ନିର୍ଭର କରିଥାଏ । ଉଭୟ ଲୋନର ଲାଭ ଓ କ୍ଷତି ରହିଛି । ଆପଣଙ୍କୁ ଲୋନ ନେବାର ଉଦ୍ଦେଷ୍ୟ ଓ ନିଜ ଲୋନ ଶୁଝିବା କ୍ଷମତାକୁ ଦୃଷ୍ଟିରେ ରଖି ବିକଳ୍ପ ବାଛିବାକୁ ପଡିବ । ଆସନ୍ତୁ ବିସ୍ତାର ଭାବେ ଉଭୟ ବିକଳ୍ପ ଉପରେ ଆଲୋଚନା କରିବା ।
ପର୍ସନାଲ ଲୋନ୍ – ପର୍ସନାଲ ଲୋନ୍ ଅନସେକ୍ୟୁରଡ୍ ବା ଅସୁରକ୍ଷିତ ଲୋନ୍ ହୋଇଥାଏ । ଏଥିପାଇଁ ବ୍ୟାଙ୍କ ପାଖରେ ଆପଣଙ୍କୁ କୌଣସି ସ୍ତାବର କିମ୍ବା ଅସ୍ତାବର ସମ୍ପତି ରଖିବାକୁ ପଡିନଥାଏ । ତେଣୁ ଏଭଳି ଲୋନ୍ ବ୍ୟାଙ୍କ ଦୃଷ୍ଟିରୁ ଅସୁରକ୍ଷିତ ହୋଇଥାଏ । ମେଡିକାଲ ଖର୍ଚ୍ଚ, କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ । କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି । ଏହି ଲୋନରେ ମିଳୁଥିବା ରାଶିକୁ ଆପଣ ନିଜ ଇଛାମୁତାବକ ଖର୍ଚ୍ଚ କରିପାରିବେ । ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ କରିଥାନ୍ତି ।
କ୍ରେଡିଟ୍ କାର୍ଡ ଲୋନ୍– ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ ଲୋନ୍ ଏକ ପ୍ରି-ଆପ୍ରୋଭଡ୍ ଲୋନ୍ ହୋଇଥାଏ । ଆପଣଙ୍କ କ୍ରେଡିଟ୍ କାର୍ଡ ସୀମାର ସେହି ଭାଗ ଭାବେ ଦିଆ ଯାଇଥାଏ, ଯାହାକୁ ଆପଣ ବ୍ୟବହାର କରି ନଥାନ୍ତି । ତେବେ ମନେ ରଖନ୍ତୁ ଏହା ଏଟିଏମରୁ ଟଙ୍କା ଉଠାଇବା ଭଳି ନୁହେଁ ।
ଏହି ଦୁଇ ଲୋନ୍ ନେବା ପାଇଁ ଜଣକର କ’ଣ ଯୋଗ୍ୟତା ରହିବା ଆବଶ୍ୟକ ?
ପର୍ସନାଲ ଲୋନ୍ ପାଇଁ ଯୋଗ୍ୟତା : ପର୍ସନାଲ ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଆର୍ଥିକ କ୍ଷମତାର ଯାଂଚ କରିଥାଏ । ଆପଣଙ୍କ ପେଶା, ଚାକିରି ଓ ଆର୍ଥିକ ସ୍ଥିତି ତଥା ଲୋନ୍ ଶୁଝିବା କ୍ଷମତା ବାବଦରେ ବ୍ୟାଙ୍କ ତଥ୍ୟ ନେଇଥାଏ । ଏହା ସହ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିର ମଧ୍ୟ ଯାଂଚ ହୋଇଥାଏ । ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଜାଣିବାକୁ ଚେଷ୍ଟା କରିଥାଏ ଯେ, ଆପଣ ଲୋନ୍ ଶୁଝିବାକୁ ସକ୍ଷମ ଅଟନ୍ତି କି ନାହିଁ । ତେଣୁ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ଏହି ଲୋନ୍ ନିର୍ଭର କରିଥାଏ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ତେବେ ଆପଣଙ୍କୁ କମ ସୁଧରେ ମଧ୍ୟ ପର୍ସନାଲ ଲୋନ୍ ମିଳିଥାଏ । ସ୍କୋର ଖରାପ ଥିଲେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିବ । ସବୁଠାରୁ ବଡ କଥା ହେଲା ଆପଣଙ୍କୁ ଲୋନ୍ ଦେବା କି ନଦେବା ବ୍ୟାଙ୍କର ଇଛା ଉପରେ ନିର୍ଭର କରିଥାଏ ।
କ୍ରେଡିଟ୍ କାର୍ଡ ଲୋନ୍ ଯୋଗ୍ୟତା – ଯେମିତିକି କୁହାଯାଇଛି, ଆପଣଙ୍କ କାର୍ଡର ସୀମାର ବ୍ୟବହାର ହୋଇନଥିବା ଅଂଶ ( ଧରନ୍ତୁ ଆପଣଙ୍କ କ୍ରେଡିଟ୍ କାର୍ଡ ଲିମିଟ୍ ହେଉଛି 2 ଲକ୍ଷ, ଆପଣ ଖର୍ଚ୍ଚ କରିଛନ୍ତି 25 ହଜାର, ତେବେ ବଳକା ରାଶି ହେଉଛି 1,75 ହଜାର ଟଙ୍କା । ଆପଣଙ୍କର ଏହି ବଳକା ଅଂଶ ଉପରେ ଲୋନ୍ ମିଳିଥାଏ ) ର ବ୍ୟବହାର କ୍ରେଡିଟ୍ କାର୍ଡ ଉପରେ ଲୋନ୍ ନେବା ପାଇଁ ବ୍ୟବହାର ହୋଇଥାଏ । ଏଥିପାଇଁ କୌଣସି ଦସ୍ତାବିଜ ଆବଶ୍ୟକ ହୋଇନଥାଏ । ଏଭଳି ଲୋନ୍ ଶୀଘ୍ର ମିଳିଥାଏ କିନ୍ତୁ ସବୁ ଗ୍ରାହକ ଏଭଳି ଲୋନ୍ ପାଇ ନଥାନ୍ତି । ତେବେ ଏହି ଲୋନ୍ ନେବା ପୂର୍ବରୁ କିଛି କଥା ଧ୍ୟାନରେ ରଖନ୍ତୁ ।
1) କ୍ରେଡିଟ୍ ଲିମିଟ୍ ଅସ୍ଥାୟୀ ଭାବେ ବନ୍ଦ ହୁଏ ?
ଆପଣ ଯଦି କାର୍ଡ ଉପରେ ଲୋନ୍ ନେଉଛନ୍ତି ତେବେ ଆପଣଙ୍କ କ୍ରେଡିଟ୍ କାର୍ଡ ସୀମା ଅସ୍ଥାୟୀ ରୁପେ ବନ୍ଦ ହୋଇଥାଏ । ଯେମିତି ଆପଣ ଲୋନ୍ ଶୁଝି ଚାଲିବେ ସେମିତି ଆପଣଙ୍କ କ୍ରେଡିଟ୍ କାର୍ଡ ସୀମା ଖୋଲି ଚାଲିବ । ଏହା ସହିତ ବର୍ତ୍ତମାନ କିଛି କ୍ରେଡିଟ୍ କାର୍ଡ ପ୍ରୋଭାଇଡର ଜମ୍ବୋ ଲୋନ୍ ଦେଉଛନ୍ତି । ଏହି ଲୋନରେ ଆପଣଙ୍କ କ୍ରେଡିଟ ଲିମିଟ୍ ପୂର୍ବଭଳି ରହିଥାଏ ।
2) ସୁଧ ହାର
ପର୍ସନଲାଲ ଲୋନ୍ ନେବା ପୂର୍ବରୁ ସୁଧ ହାର ଉପରେ ସବୁବେଳେ ଧ୍ୟାନ ଦିଅନ୍ତୁ । ପର୍ସନାଲ ଲୋନ୍ ଉପରେ ସୁଧ ହାର ସବୁବେଳେ ଅଧିକ ହୋଇଥାଏ । ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ଇତିହାସକୁ ନେଇ ଏହା 13 ପ୍ରତିଶତରୁ 22 ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ଯଦି ଅଧିକ ଲୋନ୍ ନାହିଁ ତେବେ ସୁଧ କମ ହୋଇଥାଏ ।
କ୍ରେଡିଟ୍ କାର୍ଡ ଲୋନ୍ – କ୍ରେଡିଟ୍ କାର୍ଡ ଲୋନ୍ 10ରୁ 18 ପ୍ରତିଶତ ସୁଧରେ ମିଳିଥାଏ । ଯେହେତୁ ଆପଣ ପୁରୁଣା ଗ୍ରାହକ ଓ ଆପଣଙ୍କ ଲୋନ୍ ପରିଶୋଧ ଇତିହାସ ଭଲ ଅଛି ତେଣୁ ଆପଣଙ୍କୁ କମ ସୁଧରେ ଲୋନ୍ ମିଳିବାର ସମ୍ଭାବନା ରୁହେଁ । ଆପଣ ମଧ୍ୟ ସୁଧ କମ କରିବା ପାଇଁ ବ୍ୟାଙ୍କ ସହ କଥା ହୋଇପାରିବେ ।
3) ଲୋନ ରାଶି
ଆପଣଙ୍କ ଲୋନ୍ ରାଶି ଆପଣ କେଉଁ ବିକଳ୍ପ ବାଛନ୍ତି ତା’ଉପରେ ନିର୍ଭର କରିଥାଏ । ପର୍ସନାଲ ଲୋନ୍ : ପର୍ସନାଲ ଲୋନର ଅନେକ ଫାଇଦା ରହିଛି । ଆପଣ କେଇ ହଜାର ଟଙ୍କାରୁ ଲକ୍ଷାଧିକ ଟଙ୍କା ଲୋନ୍ ଭାବେ ନେଇ ପାରିବେ । ତେବେ ବ୍ୟାଙ୍କ ଆପଣଙ୍କୁ କେତେ ଟଙ୍କା କରଜ ଦେବ ତାହା ଆପଣଙ୍କ ଲୋନ୍ ଶୁଝିବା ଇତିହାସ ଉପରେ ନିର୍ଭର କରିଥାଏ ।
କ୍ରେଡିଟ୍ କାର୍ଡ ଲୋନ୍ – ଯଦି ଆପଣଙ୍କର କମ ଟଙ୍କା ଆବଶ୍ୟକ ତେବେ କ୍ରେଡିଟ୍ କାର୍ଡ୍ ଲୋନ୍ ସବୁଠୁ ଭଲ । ଲୋନ୍ ରାଶି ଆପଣଙ୍କ କ୍ରେଡିଟ୍ କାର୍ଡର ବଳକା ସୀମା ଉପରେ ନିର୍ଭର କରିଥାଏ । ତେଣୁ ଆପଣ ଯଦି ସେହି ସୀମାଠାରୁ ଅଧିକ ଟଙ୍କା ମାଗିବେ ତେବେ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଦେଇ ନପାରେ ।
4) ସମୟସୀମା
ପର୍ସନାଲ ଲୋନ୍ – ପର୍ସନାଲ ଲୋନ୍ ଅବଧି 1 ରୁ 5 ବର୍ଷ ହୋଇଥାଏ । ଏହି ଅବଧି ଭିତରେ ଆପଣଙ୍କୁ ଟଙ୍କା ଶୁଝିବାକୁ ପଡିଥାଏ ।
କ୍ରେଡିଟ୍ କାର୍ଡ ଲୋନ୍ – ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ ଲୋନ ଆପଣଙ୍କୁ 6 ମାସରୁ 36 ମାସ ମଧ୍ୟରେ ଶୁଝିବାକୁ ପଡିଥାଏ ।
5) ଦସ୍ତାବିଜ୍
ପର୍ସନାଲ ଲୋନ୍– ଲୋନ୍ ପାଇଁ ଆପଣଙ୍କୁ ପ୍ୟାନ୍ କାର୍ଡ, 6 ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ, ପରିଚୟପତ୍ର ଓ ଠିକଣାର ପ୍ରମାଣ ତଥା 3 ବର୍ଷର ଆଇଟିଆର ଦେବାକୁ ପଡିଥାଏ ।
କ୍ରେଡିଟ୍ କାର୍ଡ ଲୋନ୍– ଏଥିପାଇଁ କୌଣଶି ଦସ୍ତାବିଜ୍ ଦେବାକୁ ପଡିନଥାଏ । ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିକୁ ଦେଖି କାର୍ଡ କଂପାନି ଆପଣଙ୍କୁ ଲୋନ୍ ଦେଇଥାନ୍ତି ।
ତେବେ ଆପଣ କଣ କରିବା ଉଚ୍ଚିତ?
ଯଦି ଆପଣ ମେଡିକାଲ ଏମରଜେନ୍ସି କାରଣରୁ ବଡ ରାଶି ଚାହୁଁଛନ୍ତି ତେବେ ପର୍ସନାଲ ଲୋନ୍ ନିଅନ୍ତୁ । କିନ୍ତୁ ଯଦି ଆପଣ ଛୋଟ ଲୋନ୍ ଚାହୁଁଛନ୍ତି ଓ କ୍ରେଡିଟ୍ ଲିମିଟ୍ ଅସ୍ଥାୟୀ ଭାବେ ବନ୍ଦ ହେବାର ଆପଣଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ତେବେ କ୍ରେଡିଟ୍ କାର୍ଡ ଲୋନ୍ ନିଅନ୍ତୁ ।