ପାକିସ୍ତାନରେ ଜାରି ରହିଛି ଅର୍ଥନୈତିକ ସଂକଟ । ବିଦେଶରୁ ଋଣ ଆଣି ପାକିସ୍ତାନୀ ସରକାର ନିଜ ଅର୍ଥବ୍ୟବସ୍ଥା ସଜାଡିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ବିଦେଶୀ ରାଷ୍ଟ୍ର ପାକିସ୍ତାନକୁ ଅଧିକ ଅର୍ଥ ଋଣ ଦେବାକୁ ସହଜରେ ପ୍ରସ୍ତୁତ ହେଉନାହାନ୍ତି । ପାକିସ୍ତାନର ବଡ଼ବଡ଼ ସହର ସମେତ ୨୨ ଟି ଜିଲ୍ଲା ଅନ୍ଧାର ହୋଇଯାଇଛି । କାରଣ ବିଦ୍ୟୁତ କମ୍ପାନୀଙ୍କ ପାଖରେ କୋଇଲା ନାହିଁ । କୋଇଲା ଏଥିପାଇଁ ନାହିଁ ଯେ, କୋଇଲା କିଣିବା ପାଇଁ ଟଙ୍କା ଖାଲି । ଏହାରି ଭିତରେ ଆମେରିକାରେ ରହୁଥିବା ପାକିସ୍ତାନର ଜଣେ ଜଣାଶୁଣା ବ୍ୟବସାୟୀ ଚେତାବନୀ ଦେଇଛନ୍ତି ଯେ, ଆଉ ସପ୍ତାହକ ଭିତରେ ପାକିସ୍ତାନର ଖେଳ ଖତମ ହୋଇଯିବ । ୭ ଦିନ ପରେ ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହେବ ବୋଲି ସେ କହିଛନ୍ତି । ଏହି ବ୍ୟବସାୟୀଙ୍କ ନାମ ହେଉଛି ସାଜିଦ ତରାର । ସାଜିଦଙ୍କ ଅନୁସାରେ ମାତ୍ର ୭ ଦିନ ଭିତରେ ପାକିସ୍ତାନ ଦେବାଳିଆ ହେବାକୁ ଯାଉଛି ।
ଶ୍ରୀଲଙ୍କା ଭଳି ଅବସ୍ଥା ହେବ
ସାଜିଦ ତରାର ଟ୍ୱିଟ୍ କରି କହିଛନ୍ତି ଯେ, ଦୁର୍ଭାଗ୍ୟର କଥା ହେଉଛି ଆଉ ସାତ ଦିନ ପରେ ପାକିସ୍ତାନ ପେଟ୍ରୋଲିୟମ ଉତ୍ପାଦ କିଣି ପାରିବ ନାହିଁ । ସବୁକିଛି ସେମିତି ହେବ ଯେମିତି ଶ୍ରୀଲଙ୍କାରେ ହୋଇଥିଲା । ଦ୍ୱୈତ ନାଗରିକତା ନେଇଥିବା ପାକିସ୍ତାନ ଏପର୍ଯ୍ୟନ୍ତ ଲୁଟରେ ମାତିଛନ୍ତି ଓ ଦେଶ ଶୋଇ ରହିଛି । ପାକିସ୍ତାନର ମଣ୍ଡି ବହାଉଦ୍ଦିନର ବାସିନ୍ଦା ସାଜିଦ୍ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବଡ଼ ସମର୍ଥକ ଅଟନ୍ତି । ଅନ୍ତର୍ଜାତୀୟ ପ୍ରସଙ୍ଗ ପଢିବାକୁ ଆମେରିକା ଯାଇ ସେଠାରେ ସେ ରହିଯାଇଥିଲେ । ସେ ପାକିସ୍ତାନ ସରକାରଙ୍କ ନୀତିର କଟୁ ସମାଲୋଚକ ଭାବେ ପରିଚିତ । ତାଙ୍କ ଅନୁସାରେ ପାକିସ୍ତାନୀ ସରକାରଙ୍କ ଭୂଲ ନୀତିର ଫଳ ଭୋଗୁଛି ଦେଶ ।
ପାକିସ୍ତାନରେ କିଛି ବି ଠିକ୍ ନାହିଁ
ଜାନୁଆରୀ ୬ ତାରିଖରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାରରେ ଦଶବର୍ଷ ଭିତରେ ସର୍ବାଧିକ ଅବନତି ଦେଖିବାକୁ ମିଳିଛି । ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ୨୦ ପ୍ରତିଶତ କମିଛି । ପାକିସ୍ତାନ ସରକାର ଖୁବଶୀଘ୍ର ଏକ ମିନି ବଜେଟ୍ ପେସ୍ କରିବେ । ଏହି ବଜେଟରେ ଆଇଏମଏଫ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ରଖାଯାଇଛି । ଆଇଏମଏଫ୍ ଉଠାଇଥିବା ପ୍ରଶ୍ନ ପାଇଁ ହିଁ ପାକିସ୍ତାନକୁ ବିଦେଶରୁ ଋଣ ମିଳୁ ପାରୁନାହିଁ । ଆଇଏମଏଫ୍ ସର୍ତ୍ତ ପୂରଣ ହେଲେ ହିଁ ପାକିସ୍ତାନକୁ ଋଣ ମିଳି ପାରିବ ବୋଲି ସଂଗଠନ ଆଗରୁ କହି ସାରିଛି ।
ଅଧିକ ଜଟିଳ ହେବ ସ୍ଥିତି
ପାକିସ୍ତାନୀ ଖବରକାଗଜ ଦ ଡନ୍ ଅନୁସାରେ ଦେଶର ନାଗରିକଙ୍କ ଆଶଙ୍କା ଯେ, ଆଇଏମଫର ସର୍ତ୍ତ ଯଦି ପୁରଣ ହୁଏ ତେବେ ସାଧାରଣ ଲୋକଙ୍କ ଅସୁବିଧା ଦ୍ୱିଗୁଣିତ ହେବ । ଦେଶରେ ଦରଦାମ ଆହୁରି ଅଧକ ବଢ଼ିବ । ଆଗରୁ ହିଁ ସୁଧହାର ବେକାବୁ ଅଛି । ୟୁକ୍ରେନ୍ ଯୁଦ୍ଧ କାରଣରୁ ସୃଷ୍ଚ ଅର୍ଥନୈତିକ ସଂକଟର ପ୍ରଭାବ ପାକିସ୍ତାନ ଉପରେ ଅଧିକ ପଡିଛି । ପାକିସ୍ତାନରେ ଅଟା ଓ ଗ୍ୟାସ ଦର ଆକାଶ ଛୁଆଁ ହୋଇଛି । ଅଟା କିଲୋ ୩୫୦ ଟଙ୍କା ପର୍ଯ୍ୟନ୍ତ ପହଂଚିଲାଣି ।