ସିବିଏସଇ ପାଠ୍ଯକ୍ରମରୁ ମୋଗଲ ଅଧ୍ୟାୟ ବାଦ ଦେବା ନିଷ୍ପତିକୁ ନେଇ ଭାରତରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଛି। କିଛି ଏହାକୁ ଶିକ୍ଷାର ଗୈରିକୀକରଣ କହୁଥିବା ବେଳେ କିଛି ଏହାକୁ ସମର୍ଥନ କରୁଛନ୍ତି। ସମର୍ଥକଙ୍କ ଯୁକ୍ତି ହେଉଛି ଯେ, ଏହା ଦ୍ୱାରା ଭାରତ ଇତିହାସକୁ ଯେଉଁଭଳି ମୋଗଲ ସର୍ବସ୍ୱ କରିଦିଆଯାଇଥିଲା ତାର ଶୁଦ୍ଧିକରଣ ହୋଇଛି। ତେବେ ପାକିସ୍ତାନରେ ମୋଗଲ ଇତିହାସକୁ କେମିତି ଦେଖାଯାଏ। ଏକ ଇସଲାମିକ ରାଷ୍ଟ୍ର ଭାବେ ପାକିସ୍ତାନର ପାଠ୍ୟକ୍ରମରେ ମୋଗଲ କାଳ ଓ ଏହାର ଶାସକ ମାନଙ୍କ ଚିତ୍ରଣ କେଉଁଭଳି ହୋଇଛି। ଏହାର ଉତ୍ତର ହେଉଛି ଯେ,ପାକିସ୍ତାନର ସଂଖ୍ୟାଧିକ ଐତିହାସିକଙ୍କ ନଜରରେ ମୋଗଲ ଇତିହାସର ସର୍ବାଧିକ ଦୁଇ ଚର୍ଚ୍ଚିତ ଶାସକଙ୍କ ମଧ୍ୟରୁ ଆକବର ଭିଲେନ୍ ଓ ଔରଙ୍ଗଜେବ୍ ହିରୋ।
ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ୍ ଅନୁସାରେ ଇସଲାମ ନାମରେ ତିଆରି ପାକିସ୍ତାନରେ ଔରଙ୍ଗଜେବକୁ ଆଦର୍ଶ ଇସଲାମିକ ଶାସକ ଭାବେ ଗ୍ରହଣ କରାଯାଏ। ଅନ୍ୟପକ୍ଷରେ ଆକବରଙ୍କୁ ଜଣେ ବିଜେତା ଓ ପ୍ରଶାସକ ଭାବେ ପ୍ରଶଂସା କରାଯାଏ। ଔରଙ୍ଗଜେବ ଧର୍ମକୁ ସବୁବେଳେ ଆଗରେ ରଖିଥିଲେ ଓ ଆକବରଙ୍କ ଧର୍ମୀନୟ ନୀତି ପାଇଁ ତାଙ୍କୁ ସମାଲୋଚନା କରାଯାଏ। ଆକବର ମୁସଲମାନ ଓ ହିନ୍ଦୁଙ୍କୁ ଏକାଠି ନେଇ ଶାସନ କରିବାକୁ ଚାହୁଁଥିଲେ। ଏହି ନୀତିକୁ ପାକିସ୍ତାନରେ ବିରୋଧ କରାଯାଉଛି। ପାକ୍ ଐତିହାସିକଙ୍କ ଅନୁସାରେ ଆକବରଙ୍କ ପାଇଁ ହିଁ ଭାରତର ବିଭାଜନ ହୋଇଥିଲା। ସେ ଯଦି ହିନ୍ଦୁଙ୍କୁ ଶାସନରେ ପ୍ରାଧାନ୍ୟ ଦେଇନଥାନ୍ତେ ତେବେ ହିନ୍ଦୁ ଦବି କରି ରହିଥାନ୍ତେ ଓ ଭାରତରେ ଏକ ଇସଲାମିକ ଶାସନର ପ୍ରତିଷ୍ଠା ହୋଇ ପାରିଥାନ୍ତା ବୋଲି ସେମାନଙ୍କ ମତ।
ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଆକବର
ଆକବର ସୁଲହ-ଏ-କୁଲ ନୀତି ଆପଣାଇଥିଲେ। ଏହି ନୀତି ଅନୁସାରେ ଆକବର ବିଭିନ୍ନ ଧର୍ମ ମଧ୍ୟରେ ସଦଭାବନା ପ୍ରତିଷ୍ଠା ଥିଲା ଲକ୍ଷ୍ଯ। ଏଥିପାଇଁ ଆକବର ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର 22 ବର୍ଷ ହୋଇଥିବା ବେଳେ ଆକବର 1564 ମସିହାରେ ଜିଜିଆ କର ଉଠାଇଦେଇଥିଲେ। ମହାଭାରତ,ରାମାୟଣର ଅନୁବାଦ ମଧ୍ୟ ତାଙ୍କ ସମୟରେ ହୋଇଥିଲା। ଅନ୍ୟପକ୍ଷରେ ଔରଙ୍ଗଜେବ ଦାର-ଉଲ୍-ଇସଲାମରେ ବିଶ୍ୱାସ କରୁଥିଲେ। ଏହି ନୀତି ଅନୁସାରେ ସ ପୁରା ଭାରତକୁ ଇସଲାମର ଘର ବା ଇସଲାମିକ ରାଜ୍ୟ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ହିନ୍ଦୁଙ୍କୁ ବିଭିନ୍ନ ଭାବରେ ପ୍ରତାଡି଼ତ କରୁଥିଲା। ଆଉ ପାକିସ୍ତାନୀ ଐତିହାସିକ ଏଥିପାଇଁ ଔରଙ୍ଗଜେବକୁ ଅଧିକ ପସନ୍ଦ କରନ୍ତି।
ସାରେ ଜାହାଁ ସେ ଆଛା ର ଲେଖକ ଇକବାଲ ମଧ୍ୟ ଔରଙ୍ଗଜେବର ଜବରଦସ୍ତ ପ୍ରଶଂସକ ଥିଲେ। ଇକବାଲ ଅନୁସାରେ ଔରଙ୍ଗଜେବ ଇସଲାମିକ ରାଷ୍ଟବାଦୀ ଥିଲେ। ସେହିଭଳି ଅନ୍ୟଜଣେ ଇସଲାମିକ ଦାର୍ଶନିକ ଓ ଲେଖକ ତଥା ରାଜନେତା ମୌଲାନା ଅବଦୁଲ ଅଲା ମୌଦୁଦୀ ମଧ୍ୟ ଔରଙ୍ଗଜେବର ସମର୍ଥକ ଥିଲେ। ତାଙ୍କରି ପାଇଁ ପାକିସ୍ତାନ ଗଠନର ରାସ୍ତା ପ୍ରସସ୍ଥ ହୋଇଥିଲା ବୋଲି ସେ କହିଥିଲେ।
ଔରଙ୍ଗଜେବ ଇସଲାମର ନେତା
ପାକିସ୍ତାନୀ ଐତିହାସିକ ଆଇଏଚ୍ କୁରୈସୀଙ୍କ ଅନୁସାରେ ଆକବର ଅଣ ମୁସଲାମନଙ୍କୁ ନିଜ ମୁସଲିମ୍ ସାମ୍ରଜ୍ୟରେ ମିଶାଇଥିଲେ। ଯେଉଁଥିପାଇଁ ମୋଗଲ ସାମ୍ରାଜ୍ୟର ପତନ ହୋଇଥିଲା। ଆକବରଙ୍କ ନୀତି ଇସଲାମକୁ ଦୁର୍ବଳ କରିଦେଇଥିଲା ଓ ତାକୁ ପରବର୍ତ୍ତି ଶାସକ ମାନେ ସଜାଡି ପାରିନଥିଲେ ବୋଲି ସେ କହିଛନ୍ତି। ଆକବରଙ୍କ ରାଜପୁତ ନୀତିକୁ ପାକ୍ ଐତିହାସିକ ବିଶେଷ କରି ସମାଲୋଚନା କରୁଛନ୍ତି। ଅନ୍ୟଜଣେ ଐତିହାସିକ ଏମ୍ ଇକରାମ ରବ୍ବାନୀ ତ ଅଭିଯୋଗ କରନ୍ତି ଯେ, ଆକବରଙ୍କ ଧର୍ମନିରପେକ୍ଷ ନୀତି ପାଇଁ ମୁସଲମାନ ଓ ହିନ୍ଦୁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଯାହା ଆଗକୁ ଚାଲି ଭାରତୀୟ ଉପମହାଦେଶ ବିଭାଜନର କାରଣ ହୋଇଥିଲା ବୋଲି ସେ କୁହନ୍ତି।