ଏନଆଇଏ (NIA) ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ ବିରୋଧରେ ନୂଆକରି ଅଣ୍ଟା ଭିଡିଛି । ଦାଉଦ୍ ପଛରେ ଗତ ୩ ଦଶକ ଧରି ଭାରତର ସୁରକ୍ଷା ଏଜେନ୍ସି ପଡ଼ିଛନ୍ତି କିନ୍ତୁ ମୁମ୍ବାଇକୁ ନିଜ ଇଶାରାରେ ନଚାଉଥିବା ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଏବେ ମଧ୍ୟ ପାକିସ୍ତାନରେ ସୁରକ୍ଷିତ ଅଛି । ଦାଉଦ ବାବଦରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିବ । ହଜାର ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ କୁ ଚଲାଉଥିବା ଦାଉଦ ପାଇଁ ଯେଉଁ ଅର୍ଥରାଶୀ ଘୋଷଣା କରାଯାଇଛି ତାହା ଢେର କମ । ଖାଲି ଦାଉଦ୍ ନୁହେଁ ତା’ର ସେନାପତି ଛୋଟା ସକିଲ ବାବଦରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ମିଳିବ । ଦାଉଦର ଭାଇ ଅନିସ ଇବ୍ରାହିମ୍,ଅନ୍ୟ ସହଯୋଗୀ ଜାଭେଦ ପଟେଲ ଓରଫ ଜାଭେଦ ଚିକନା ଓ ଟାଇଗର ମେମନ ସମ୍ବନ୍ଧରେ ସୂଚନା ଦେଲେ ବି ୨୦ଲକ୍ଷ ଟଙ୍କା ମିଳିବ । ତେବେ ଆସନ୍ତୁ ଜାଣିବ ଡି-ଗ୍ୟାଙ୍ଗର ସେହି ସେନାପତି ମାନଙ୍କ ବାବଦରେ ଯେଉଁମାନଙ୍କ କାନ୍ଧରେ ତିଷ୍ଟିଛି ଦାଉଦ ସାମ୍ରାଜ୍ୟ ।
ଟାଇଗର ମେମନ
ୟାକୁବ ଟାଇଗର ମେମନ । ୧୯୯୩ ବମ୍ବେବ୍ଲାଷ୍ଟ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟରୁ ଜଣେ । ମେମନ ହିଁ ମୁମ୍ବାଇ ବା ସେତେବେଳର ବମ୍ବେର ବିସ୍ଫୋରକ ପହଂଚାଇଥିଲା । ସେ ଆଇଏସଆଇ ଓ ଦାଉଦ୍ ସହିତ ମିଶି ବ୍ଲାଷ୍ଟର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା । ଟାଇଗର ଯେଉଁ ବିଲ୍ଡିଂରେ ରହୁଥିଲେ ସେହିଠାରେ ବିସ୍ଫୋରକ ରଖାଯାଇଥିଲା । ଟାଇଗର ନିଜ ଭାଇ ୟାକୁବ ମେମନର ସାହାଯ୍ୟରେ ସିରିଜ୍ ବ୍ଲାଷ୍ଟ୍ କରାଇଥିଲା । ପରେ ୟାକୁବକୁ ଏଥିପାଇଁ ଫାଶୀ ମିଳିଥିଲା । କିନ୍ତୁ ଟାଇଗର ଏପର୍ଯ୍ୟନ୍ତ ପାକିସ୍ତାନରେ ଲୁଚି ରହିଛି ।
ଅଣ୍ଡର ୱାର୍ଲଡର ବଡ଼ ନାମ ହେବା ପୂର୍ବରୁ ଟାଇଗର ଗୋଟିଏ ବ୍ୟାଙ୍କରେ ଚପରାସୀ ଭାବେ କାମ କରୁଥିଲା । ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଝଗଡା ପରେ ଟାଇଗର ଚାକିରି ଛାଡ଼ି ଦେଇଥିଲା । ଏହାପରେ ସେ କୁଖ୍ୟାତ ମାଫିଆ ମହମ୍ମଦ ଦୋସାର ଡ୍ରାଇଭର ଭାବେ କାମ କରିଥିଲା । ଦୋସା ମାଧ୍ୟମରେ ସେ ଦୁବାଇର ସୁନା ସ୍ମଗ୍ଲର ୟାକୁବ ଭାଟିକୁ ଭେଟିଥିଲା । ପରେ ସେ ପାକିସ୍ତାନୀ ସ୍ମଗ୍ଲର ତୌଫିକ ସହ କାମ କରିଥିଲା । ତୌଫିକ ଜରିଆରେ ସେ ଦାଉଦ ସହିତ ମିଶିଥିଲା ।
ଜାଭେଦ୍ ଚିକନା
ଜାଭେଦ ଚିକନା ଓରଫ ଜାଭେଦ ପଟେଲ ମଧ୍ୟ ୧୯୯୩ ବମ୍ବେ ସିରିଜ୍ ବ୍ଲାଷ୍ଟରେ ସାମିଲ ଥିଲା । ଚିକନା ଦାଉଦର ଖାସ ଲୋକଙ୍କ ମଧ୍ୟରୁ ଜଣେ । କିଛି ବର୍ଷ ତଳେ ଗୁଜୁରାଟର ଦୁଇ ଜଣ ବିଜେପି ନେତାଙ୍କ ହତ୍ୟା କରି ସେ ଚର୍ଚ୍ଚାକୁ ଆସିଥିଲା । ଜାଭେଦ୍ ଏବେ ଦାଉଦ୍ ସହିତ ପାକିସ୍ତାନରେ ରହୁଛି । ଜାଭେଦ ୧୯୯୩ ସିରିଜ୍ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ।
ଅନିସ ଇବ୍ରାହିମ୍
ଦାଉଦର ସାନଭାଇ ହେଉଛି ଅନିସ । ସେ ମଧ୍ୟ ପାକିସ୍ତାନରେ ରହୁଛି । ଦାଉଦର ସବୁ ଭାଇଙ୍କ ମଧ୍ୟରୁ ଅନିସ ସବୁଠାରୁ କୁଖ୍ୟାତ । ଅନିସର ନାମ ମଧ୍ୟ ୧୯୯୩ ସିରିଜ୍ ବ୍ଲାଷ୍ଟରେ ଆସିଥିଲା । ମୁମ୍ବାଇ ବ୍ଲାଷ୍ଟ ପାଇଁ ଆସିଥିବା ବିସ୍ଫୋରକ ରାୟଗଡ କୂଳରେ ତା’ର ଦେଖାଶୁଣାରେ ପହଂଚିଥିଲା । ଦାଉଦର ଏହି ଭାଇ ସଂଜୟ ଦତ୍ତଙ୍କୁ ଏକେ-୪୭ ରାଇଫଲ ଦେଇଥିଲା । ଯେଉଁଥିପାଇଁ ସଂଜୟଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଦିଲ୍ଲୀର ପୂର୍ବତନ ପୋଲିସ କମିଶନର ନିରଜ କୁମାରଙ୍କ ଅନୁସାରେ ଏଥିପାଇଁ ଦାଉଦ୍,ଅନିସକୁ ମାଡ଼ ମଧ୍ୟ ମାରିଥିଲା । ସଂଜୟଙ୍କୁ ରାଇଫଲ ଦାଉଦ ଅଜାଣତରେ ଦିଆଯାଇଥିଲା ।ତେଣୁ ସେ ତାକୁ ମାଡ଼ ମାରିଥିଲା ଓ ଏବାବଦରେ ନିରଜଙ୍କୁ ଫୋନରେ ଦାଉଦ୍ କହିଥିଲା ବୋଲି ପୂର୍ବତନ କମିଶନର ନିଜ ପୁସ୍ତକରେ ଲେଖିଛନ୍ତି ।
ଛୋଟା ସକିଲ
ଦାଉଦର ସବୁଠାରୁ ବିଶ୍ୱସ୍ତ ସେନାପତି ଛୋଟା ସକିଲ ମୁମ୍ବାଇର ନାଗପଡ଼ା ଅଂଚଳରେ ରହୁଥିଲା । ତା’ର ଅସଲ ନାମ ହେଉଛି ମହମ୍ମଦ ଶକିଲ ବାବୁ ଶେଖ । ପ୍ରଥମ ଟ୍ରାଭେଲ ଏଜେନ୍ସି ଚଳାଉଥିବା ଛୋଟା ସକିଲ ଡି-କମ୍ପାନୀରେ ଯୋଗ ଦେବା ପରେ ଦାଉଦ ପାଇଁ ଦାଦାବଟି ଆଦାୟ କରୁଥିଲା । ଛୋଟା ସକିଲ ପାଇଁ ହିଁ ଛୋଟା ରାଜନ ଡି-କମ୍ପାନୀ ଛାଡ଼ିଥିବା କୁହାଯାଏ । ଛୋଟା ରାଜନକୁ ଦୁର୍ବଳ କରିବାରେ ଛୋଟା ସକିଲର ବଡ଼ ଭୂମିକା ଥିଲା । ୧୯୮୮ରେ ଛୋଟା ସକିଲ ଗିରଫ ହୋଇଥିଲା । କିନ୍ତୁ ୫ ମାସ ଜେଲରେ ରହିବା ପରେ ବେଲରେ ଆସି ସେ ଦୁବାଇ ଫେରାର ହୋଇ ଯାଇଥିଲା । ଛୋଟା ସକିଲ ଦୁବାଇ ଯିବା ପରେ ପରେ ଦାଉଦ୍ ମଧ୍ୟ ଦୁବାଇ ପଳାୟନ କରିଥିଲା । ଛୋଟା ସକିଲର ଛାଇକି ମଧ୍ୟ ସେବେଠାରୁ ଭାରତୀୟ ସୁରକ୍ଷା ଏଜେନ୍ସି ଛୁଇଁ ପାରୁନାହାନ୍ତି । ସୁରକ୍ଷା ଏଜେନ୍ସିଙ୍କ ପାଖରେ ୩୫ ବର୍ଷ ତଳର ଗୋଟିଏ ଫଟୋ ରହିଛି ।