ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ସମାପ୍ତ ହେବାପରେ ବି ସରଗରମ ରହିଛି ରାଜନୈତିକ ମାହୋଲ । ୨୫ ବର୍ଷର ସ୍ଥିର ସରକାର କରିଥିବା ବିଜେଡ଼ି ପରାଜୟ ପରେ , ପ୍ରାୟତଃ ପ୍ରତିଦିନ ନବୀନ ନିବାସରେ ବିଜେଡ଼ି ନେତା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭିଡ଼ ଦେଖିବାକୁ ମିଳୁଛି । ଆଗାମୀ ରଣନୀତି କଣ ରହିବ, ବିଜେଡି ବିରୋଧୀ ଦଳ ଆସନରେ ରହି ନୂଆ ସରକାରକୁ କିପରି ସାମ୍ନା କରିବ ତାକୁ ନେଇ ପ୍ରସ୍ତୁତ ହେଉଛି ସୁଦୃଢ ରଣନୀତି ।
ଏଥି ସହ ଦଳର ନେତୃତ୍ୱକୁ ନେଇ ମଧ୍ୟ ରାଜନୈତିକ ମାହୋଲରେ ବେଶ୍ ଚର୍ଚ୍ଚା ଲାଗି ରହିଛି । ଏହି ସମୟରେ ଗତକାଲି ଓଡ଼ିଶା ଆସି ପହଞ୍ଚିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ ।
ପରାଜୟ ପରେ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗକୁ ଆସି ସିଧାସଳଖ ଦଳର ବିଧାୟକ ଓ ପରାଜିତ ପ୍ରାର୍ଥୀ ଏବଂ ଅନ୍ୟମାନଙ୍କୁ ସିଧାସଳଖ ଭେଟୁଛନ୍ତି । ଅନ୍ୟପଟେ ଅରୁଣ ଦଳର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେଡିର ସ୍ଥାୟିତ୍ୱକୁ ବଜାୟ ରଖିବାକୁ ନବୀନ ସକ୍ରିୟ ରହିବା ସହ ଧୀରେ ଧୀରେ ଅରୁଣଙ୍କୁ ଦଳର ନେତୃତ୍ୱ ଭାର ଦେବାକୁ ଯୋଜନା ହୋଇଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ପୂର୍ବରୁ ଅରୁଣଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ରାଜନୀତିରେ ସାମିଲ ହେବେ ନାହିଁ ବୋଲି ରୋକଠୋକ୍ ଜଣାଇଥିଲେ । ଏବେ ପରିବର୍ତ୍ତିତ ପରିସ୍ଥିତିରେ ଅରୁଣଙ୍କ ଭୂମିକା କ’ଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ।