୮ ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀରୁ ଦେଶକୁ ଶାସନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୮ ବର୍ଷ ଭିତରେ ନୋଟ୍ ବ୍ୟାନଠାରୁ କରୋନା ଲକଡାଉନ୍ ଦେଶ ଦେଖି ସାରିଛି । ଲକଡାଉନ୍ ପରବର୍ତ୍ତି ଭାରତରେ ଦରଦାମ ଆକାଶ ଛୁଆଁ ହୋଇଛି । ଏମିତିରେ ଲୋକଙ୍କ ଭିତରେ ମୋଦିଙ୍କୁ ନେଇ ସେହି ପୁରୁଣା କ୍ରେଜ୍ ଅଛି କି ନାହିଁ ? ମୋଦି ନିଜ ଜନାଧାର ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇଛନ୍ତି କି ? କେଉଁ କେଉଁ ରାଜ୍ୟରେ ମୋଦି ଲୋକପ୍ରିୟତାରେ ଟପ୍ ରେ ଅଛନ୍ତି ଓ କେଉଁଠି ତାଙ୍କୁ ଅଧିକ ନାପସନ୍ଦ କରାଯାଉଛି ? ଏହି ସବୁ ପ୍ରଶ୍ନକୁ ନେଇ ଗୋଟିଏ ସର୍ଭେ ଦେଶର ଏକ ଜାତୀୟ ଖବରକାଗଜ କରିଛି । ସର୍ଭେର ଫଳାଫଳରୁ ମୋଦିଙ୍କୁ ନାପସନ୍ଦ କରୁଥିବା ରାଜ୍ୟଙ୍କ ଅପେକ୍ଷା ତାଙ୍କୁ ପସନ୍ଦ କରୁଥିବା ରାଜ୍ୟଙ୍କ ଯେଉଁ ନାମ ସବୁ ଆସିଛି ତା’ ଅନେକଙ୍କୁ ଚମକାଇ ଦେଇଛି । ଦେଶର ସବୁଠାରୁ ବଡ଼ ମୋଦି ବିରୋଧୀ କୁହାଯାଉଥିବା ଦୁଇ ନେତାଙ୍କ ରାଜ୍ୟରେ ମୋଦିଙ୍କୁ ୯୦ ପ୍ରତିଶତ ଜନତା ପସନ୍ଦ କରୁଥିବା ଜଣା ପଡିଛି ।
ଦିଦି ଓ କେଜ୍ରିୱାଲଙ୍କୁ ଆହୁରି ଜୋର ଲଗାଇବାକୁ ପଡ଼ିବ
ଦେଶରେ ମୋଦିଙ୍କୁ ଯଦି କେହି ଚ୍ୟାଲେଂଜ୍ ଦେଇ ପାରିବେ ତେବେ ସେ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ ଓ ମମତା ବାନାର୍ଜୀ ବୋଲି କୁହାଯାଏ । କିନ୍ତୁ ସର୍ଭେ ରିପୋର୍ଟରୁ ଜଣା ପଡୁଛି ଯେ,ଏହି ଦୁଇ ରାଜ୍ୟର ସରକାର ଓ ଭୋଟରଙ୍କ ଉପରେ ଦୁଇ ନେତାଙ୍କ କବଜା ରହିଛି ସତ କିନ୍ତୁ ମୋଦିଙ୍କ ଫ୍ୟାନ୍ ସଂଖ୍ୟା ମଧ୍ୟ ଏହି ଦୁଇ ରାଜ୍ୟରେ ଅଧିକ । କଂଗ୍ରେସ ସରକାର ଥିବା ଛତିସଗଡରେ ୯୩ ପ୍ରତିଶତ ଜନତା ମୋଦିଙ୍କୁ ପସନ୍ଦ କରୁଛନ୍ତି । ଅର୍ଥାତ ମାତ୍ର ୭ ପ୍ରତିଶତ ଜନତା ମୋଦିଙ୍କୁ ପସନ୍ଦ କରୁନାହାନ୍ତି । ଅନ୍ୟପକ୍ଷରେ ଦିଲ୍ଲୀରେ ୯୧.୪ ପ୍ରତିଶତ ମୋଦିଙ୍କୁ ପସନ୍ଦ କରୁଥିବା ବେଳେ ୯ ପ୍ରତିଶତ ତାଙ୍କୁ ନାପସନ୍ଦ କରୁଛନ୍ତି । ମୋଦି ବିରୋଧୀ ମେଣ୍ଟର ଛାମୁଆଁ ମୁହଁ କୁହାଯାଉଥିବା କେଜ୍ରିୱାଲଙ୍କ ପାଇଁ ଏହା ନିଶ୍ଚିତ ରୂପେ ଭଲ ଖବର ନୁହେଁ । ସେହି ଭଳି ମୋଦି ବିରୋଧୀ ଶିବିରର ଆଉ ଜଣେ ବଡ଼ ନେତା ମମତା ବାନାର୍ଜୀଙ୍କ ରାଜ୍ୟରେ ମଧ୍ୟ ମୋଦି ଫ୍ୟାନଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ । ଆସାମରେ ମୋଦିଙ୍କୁ ୯୦ ପ୍ରତିଶତ, ହିମାଚଳ ପ୍ରଦେଶରେ ୮୮.୮ ପ୍ରତିଶତ ମୋଦିଙ୍କୁ ପସନ୍ଦ କରୁଛନ୍ତି । ଛତିଶଗଡ଼ ଭଳି କଂଗ୍ରେସ ଶାସିତ ରାଜ୍ୟରେ ମୋଦିଙ୍କୁ ୯୩ ପ୍ରତିଶତ ଜନତା ପସନ୍ଦ କରିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏତେ ସଂଖ୍ୟକ ଜନତା ତାଙ୍କୁ ପସନ୍ଦ କରୁନାହାନ୍ତି ।
ଏହି ୫ ରାଜ୍ୟ ମୋଦିଙ୍କୁ ନେଇ ଅସୁଖୀ
ମମତା ଓ କେଜ୍ରିୱାଲ ତଥା କଂଗ୍ରେସର ଛତିଶଗଡରେ ଯଦି ମୋଦିଙ୍କୁ ପସନ୍ଦ କରାଯାଉଛି ତେବେ ଦକ୍ଷୀଣ ଭାରତରେ ତାଙ୍କୁ ନାପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ । ଗୋଆରେ ସର୍ବାଧିକ ୩୫ ପ୍ରତିଶତ,ପଂଜାବରେ ୩୦.୩ ପ୍ରତିଶତ, ତାମିଲନାଡୁରେ ୨୮.୫ ପ୍ରତିଶତ,ଝାଡ଼ଖଣ୍ଡରେ ୨୫.୯ ପ୍ରତିଶତ ତାଙ୍କୁ ନାପସନ୍ଦ କରୁଛନ୍ତି । ବିଜେପି ଶାସିତ କର୍ଣ୍ଣାଟକରେ ୨୫.୬ ପ୍ରତିଶତ ମୋଦିଙ୍କୁ ପସନ୍ଦ କରୁନାହାନ୍ତି ।