ଭାରତୀୟ ସେନା ନିଜର କିଛି ପରମ୍ପରରେ ପରିବର୍ତ୍ତନ କରିବାକୁ ବିଚାର କରୁଛି । ଏହା ମଧ୍ୟରେ ରହିଛି ବ୍ରିଟିଶ ଅମଳରୁ ଭାରତୀୟ ସେନାର ବ୍ୟାଣ୍ଡ୍ ଦ୍ୱାରା ପରିବେଶିତ ହେଉଥିବା ବିଭିନ୍ନ ଧୂନ୍ (ବ୍ୟାଣ୍ଡ୍ ଟ୍ୟୁନ୍) , ସ୍ୱାଧିନତା ପୂର୍ବରୁ ଦିଆଯାଉଥିବା ସାମରିକ ସମ୍ମାନ ଓ ସାମରିକ ଅଧ୍ୟୟନରେ ଭାରତୀୟ ଯୋଦ୍ଧାଙ୍କୁ ଅଧିକ ଗୁରୁତ୍ୱ ଦେବା ।
ଇଂରେଜ୍ ଅମଳର ବ୍ୟାଣ୍ଡ୍ ଟ୍ୟୁନ୍(ଧୂନ)
ଭାରତୀୟ ସେନାର ବ୍ୟାଣ୍ଡ୍ ପାର୍ଟି ବିଭିନ୍ନ ସମାରୋହରେ ଯେଉଁ ସବୁ ଧୂନ ବଜାଇଥାଏ ତାହା ମଧ୍ୟରୁ ଅନେକ ଇଂରେଜ ଅମଳର । ଏହି ସବୁ ଧୂନ ଅନେକ ଦିନ ଧରି ବାଜି ଆସୁଛି ଓ ଏହା ପରମ୍ପରାର ରୂପ ନେଇ ସାରିଲାଣି । ଓଲ୍ଡ ଲଙ୍ଗ୍ ସିନେ ଭଳି ଧୁନ ସବୁ ପ୍ୟାରେଡରେ ବଜାଯାଏ । ସେହିଭଳି ସବୁ ରିଟ୍ରିଟ୍ ସେରିମନିରେ ଆବାଇଡ୍ ୱିଥ୍ ମି ବାଜିଥାଏ । ଏବେ ଏହି ଧୂନ ସ୍ଥାନରେ ଭାରତୀୟ ଧୁନକୁ ବଜାଇବା ପାଇଁ ଚିନ୍ତା କରାଯାଉଛି ।
ଖୋଜା ଯାଉଛି ଭାରତୀୟ ଧୂନ
ଧୂନ ବଦଳାଇବା ପାଇଁ ନିଷ୍ପତ୍ତି ଭାରତ ସରକାର ଅଚାନକ ନେଉ ନାହାନ୍ତି । ଏଥିପାଇଁ ଆଗରୁ ଆଲୋଚନା ହୋଇଛି । ଦି ପ୍ରିଣ୍ଟର ରିପୋର୍ଟ ଅନୁସାରେ ପୁରୁଣା ଧୂନ ସ୍ଥାନରେ ସମାନ ସନ୍ଦେଶ ଦେଉଥିବା ଧୂନକୁ ନିଆଯାଇ ପାରିବ କି ନାହିଁ ସେନେଇ ଆଲୋଚନା ହୋଇଛି । ଏମିତିକି ବ୍ରିଟିଶ ଧୂନ ବଦଳରେ କେଉଁ ସବୁ ଭାରତୀୟ ବ୍ୟାଣ୍ଡ୍ ଟ୍ୟୁନକୁ ନିଆଯାଇ ପାରିବ ତାକୁ ନେଇ ମଧ୍ୟ ସନ୍ଧାନ ହେଉଛି । କୁହାଯାଉଛି ଯେ, କିଛି ଭାରତୀୟ ଧୂନର ଚୟନ ମଧ୍ୟ ହୋଇ ସାରିଛି । ଆସନ୍ତା ବର୍ଷ ଭାରତ ସ୍ୱାଧିନତାର 75 ବର୍ଷ ପାଳନ କରୁଥିବା ବେଳେ ଇଂରେଜ ଅମଳର ଧୂନ ସ୍ଥାନ ଭାରତୀୟ ଧୂନ ନେବେ ବୋଲି ଆଲୋଚନା ହେଉଛି ।
ମେସ୍ ପରମ୍ପରା ବଦଳିବ
ଇଂରେଜ ଅମଳରୁ ଚଳି ଆସୁଥିବା ସେନା ମେସର କିଛି ପ୍ରକ୍ରିୟାକୁ ସ୍ୱାଧିନତା ପରେ ବଦଳାଇ ଦିଆଯାଇଥିଲା କିନ୍ତୁ ଏବେବି ବ୍ରିଟିଶ୍ ଅମଳର କିଛି ପରମ୍ପରା ସେନା ମେସରେ ପୂର୍ବଭଳି ଜାରି ରହିଛି । ଏବେ ଏହି ସବୁ ପରମ୍ପରାର ଔଚିତ୍ୟକୁ ନେଇ ଆଲୋଚନା ଚାଲିଛି । ଏହି ପରମ୍ପରାକୁ ବଦଳାଇବାର ଆବଶ୍ୟକତା ରହିଛି କି ନାହିଁ ତାହା ଉପରେ ବିଚାର ହେଉଛି । ସେନା ମେସର କିଛି ପରମ୍ପରାରେ ପରିବର୍ତ୍ତନ ଆସିବାର ସମ୍ଭାବନା ମଧ୍ୟ ରହିଛି ।
ସେନା ଅଧ୍ୟୟନରେ ପରିବର୍ତ୍ତନ
ଦେଶର ଅଧିକାଂଶ ସାମରିକ ଅଧ୍ୟୟନରେ ପ୍ରାଚୀନ ଚୀନ୍ ସାମରିକ ବିଶେଷଜ୍ଞ ସୁନ୍ ଜୁ’ଙ୍କ ଲେଖନର ଉଲ୍ଲେଖ ମିଳିଥାଏ । ସୁନ ଜୁ ଆର୍ଟ୍ ଅଫ୍ ୱାର ବା ଯୁଦ୍ଧର କଳା ନାମକ ପୁସ୍ତକ ଲେଖିଥିଲେ । ଏହି ପୁସ୍ତକ ବ୍ୟତିତ ବ୍ରିଟଶ ରଣନୀତିଜ୍ଞ ଲିଡିଲ ହାର୍ଟ ଓ ଜର୍ମାନୀ ଜେନରାଲ କ୍ଲାଜବିଟିଜଙ୍କ ଲେଖା ମଧ୍ୟ ଭାରତୀୟ ସାମରିକ ଅଧ୍ୟୟନରେ ଅଧିକ ଉଲ୍ଲେଖ ପାଇଥାନ୍ତି । ଏବେ ସ୍ୱେଦେଶୀ ଚିନ୍ତକ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରକୁ ସାମରିକ ଅଧ୍ୟୟନର ବିଶୟ କରିବାକୁ ଚିନ୍ତା କରାଯାଉଛି ।
ସ୍ୱଦେଶୀ ଉପକରଣ ସହ ସ୍ୱଦେଶୀ ବିଚାରଧାରା
ଭାରତୀୟ ଇତିହାସରେ ଏମିତି ଅନେକ ଯୋଦ୍ଧା ରହିଛନ୍ତି ଯେଉଁମାନଙ୍କ ରଣନୀତିକୁ ଆଜି ମଧ୍ୟ ଉଦାହରଣ ଭାବେ ଗ୍ରହଣ କରାଯାଇଥାଏ । ଯେପରି ଶିବାଜୀ ଓ ରାଣା ପ୍ରତାପଙ୍କ ଗରିଲା ଯୁଦ୍ଧ ଓ ରାଜା ରାଜା ଚୋଳ ପ୍ରଥମଙ୍କ ନୌସେନା ରଣନୀତି । ଭାରତୀୟ ସେନାକୁ ନିଜ ଦେଶର ପୁରୁଣା ରଣକୌଶଳ ବାବଦରେ ଜଣାଇବା ମଧ୍ୟ ଏହାର ଲକ୍ଷ୍ୟ ।