ଯଦି ଆପଣ ଚାକିରି କରନ୍ତି ତେବେ କେବେ ନା କେବେ ଆପଣଙ୍କ ମନକୁ ଏହି ପ୍ରଶ୍ନ ଆସିଥିବ ଯେ, ମୋ ପରେ ମୋ ପରିବାରର କ’ଣ ହେବ ? କେମିତି ପରିବାରକୁ ମିଳି ପାରିବ ନିୟମିତ ଆୟ ? ଆପଣଙ୍କ ମନକୁ ଆସୁଥିବା ଏହି ପ୍ରଶ୍ନର ଉତ୍ତର ହେଉଛି ସାଲାରି ପ୍ରୋଟେକ୍ସନ୍ ବୀମା । ସାଲାରି ପ୍ରୋଟେକ୍ସନ୍ ବୀମା ଆପଣଙ୍କ ଏହି ଚିନ୍ତା ଦୁର କରିଥାଏ । ଏହି ବୀମା ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିବାରକୁ ଦେଇଥାଏ ନିୟମିତ ଆୟ । ତେବେ ଏଥିରେ ଧ୍ୟାନ ରଖିବାର କଥା ହେଉଛି ଯେ, ଆପଣଙ୍କ ଚାକିରି ଚାଲିଗଲେ ଏହି ବୀମା ଆପଣଙ୍କୁ ଆୟ ଦେଇନଥାଏ । ଏହା ସେହି ସମୟରେ ଆପଣଙ୍କ ପରିବାରକୁ ନିୟମିତ ଆୟ ଦେଇଥାଏ ଯେତେବେଳେ ଆପଣଙ୍କ ମୃତ୍ୟୁ ହୋଇଥାଏ ।
କେମିତି କାମ କରିଥାଏ ଏହି ବୀମା ?
ସାଲେରି ପ୍ରୋଟେକ୍ସନ ବୀମା ପ୍ରକୃତ ଅର୍ଥରେ ହେଉଛି ଏକ ଟର୍ମ୍ ବୀମା ପ୍ଲାନ୍ । ଏହାକୁ କିଣିବା ସମୟରେ ଆପଣଙ୍କୁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛିବାକୁ ପଡିଥାଏ । ପ୍ରଥମ ବିକଳ୍ପ ଭାବେ ଆପଣଙ୍କୁ ନିୟମିତ ଆୟ ଓ ଦ୍ୱିତୀୟ ବିକଳ୍ପ ଭାବେ ଏକକାଳୀନ ସବୁଟଙ୍କା ଚୟନ କରିବାକୁ କୁହାଯାଇଥାଏ । ଯଦି ଆପଣ ପ୍ରଥମ ବିକଳ୍ପ ବାଛନ୍ତି ତେବେ ଆପଣଙ୍କ ମୃତ୍ୟୁ ପରିସ୍ଥିତିରେ ଆପଣଙ୍କ ପରିବାରକୁ ମାସିକ ଟଙ୍କା ମିଳିବି । ଦ୍ୱିତୀୟ ବିକଳ୍ପ ବାଛିଥିଲେ ଆପଣଙ୍କ ପରିବାରକୁ ଏକକାଳୀନ ଏକ ନିଶ୍ଚିତ ରାଶି ମିଳିଥାଏ ।
ଟେକ୍ ହୋମ୍ ସମାନ ଦରମା ବାଛିପାରିବେ
ଯତେବେଳେ ଆପଣ ସାଲେରି ପ୍ରୋଟେକ୍ସନ ଟର୍ମ ବୀମା କ୍ରୟ କରନ୍ତି ସେତେବେଳେ ଆପଣଙ୍କୁ ମାସିକ ଆୟ ବାଛିବାକୁ ପଡେ ,ଯେତିକି ଆପଣ ନିଜ ପରିବାର ପାଇଁ ପ୍ରତି ମାସରେ ଚାହାନ୍ତି । ଏହି ଆୟ ଆପଣ ବର୍ତ୍ତମାନ ପାଉଥିବା ଟେକ୍ ହୋମ୍ ସାଲାରି ସହିତ ସମାନ ବା କମ ହୋଇପାରେ । ଏହାପରେ ଆପଣଙ୍କୁ ପ୍ରିମିୟମ ଅବଧି,ଅର୍ଥାତ ଆପଣ କେତେ ବର୍ଷ ପାଇଁ ପ୍ରିମିୟମ ଦେବାକୁ ଚାହୁଁଛନ୍ତି ତାହା ବାଛିବାକୁ ପଡି଼ଥାଏ । ଉଦାହରଣ ସ୍ୱରୁପ ଆପଣ ୩୦ ବର୍ଷ ବୟସରେ ୧୫ବର୍ଷ ପାଇଁ ପଲିସି କିଣି ପାରିବେ ।
କାହାକୁ ମିଳିବ କେତେ ଆୟ ?
ବୀମା କମ୍ପାନୀ ଆପଣଙ୍କ ମାସିକ ଆୟ ଉପରେ ବାର୍ଷିକ ପ୍ରତିଶତ ବୃଦ୍ଧିକରି ମଧ୍ୟ ଦେଇପାରେ । ଯେମିତି ଆପଣଙ୍କୁ ଏହି ଆୟ ଉପରେ ବାର୍ଷିକ ୬ ପ୍ରତିଶତ ଚକ୍ରବୃଦ୍ଧି ସୁଧର ପ୍ରସ୍ତାବ ଦିଆଯାଇପାରେ । ଧରି ନିଅନ୍ତୁ ଯେ, ଏହି ବୀମା ନେବା ବେଳେ ଆପଣ ମାସିକ ୫୦ ହଜାର ଟଙ୍କାର ଆୟ ବିକଳ୍ପ ବାଛିଛନ୍ତି । ପଲିସିର ଦ୍ୱିତୀୟ ବର୍ଷ ଏହା ବୃଦ୍ଧି ପାଇ ୫୩ ହଜାର ଟଙ୍କା ହୋଇଯିବ । ପରବର୍ତ୍ତି ବର୍ଷ ଏହା ୫୩ ହଜାର ଟଙ୍କାରୁ ବୃଦ୍ଧି ପାଇଂ ୫୬ ହଜାର ୧୮୦ ଟଙ୍କା ହୋଇଥାଏ । ଯଦି ପଲିସି ଧାରକଙ୍କର ମୃତ୍ୟୁ ପଂଚମ ବର୍ଷ ହୁଏ ତେବେ ତାଙ୍କ ପରିବାରକୁ ବା ନୋମିନିଙ୍କୁ ମାସିକ ୬୩ ହଜାର ୧୨୪ ଟଙ୍କା ଓ ୭ ଲକ୍ଷ ୬୦ ହଜାର ଟଙ୍କାର ସୁନିଶ୍ଚିତ ମୃତ୍ୟୁ ଲାଭ ମିଳିଥାଏ ।