ହାଇ ଇନକମ୍ ମାନେ ହାଇ କ୍ରେଡିଟ୍ ସ୍କୋର,କ୍ରେଡିଟ୍ ସ୍କୋର ଚେକ୍ କଲେ ସ୍କୋର ଖରାପ ହୋଇଯାଏ ଓ ଲୋନ୍ ଶୁଝିଦେଲେ କ୍ରେଡିଟ୍ ସ୍କୋର ବଢିଯିବ,ଏଭଳି ଧାରଣା ସବୁ ଭୁଲ । ତେବେ ସତ କଣ ? ଆସନ୍ତୁ ଜାଣିବା
ବ୍ୟାଙ୍କ,ଆର୍ଥିକ ସଂସ୍ଥା ଆପଣଙ୍କୁ କରଜ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ସ୍କୋର ଚେକ୍ କରିଥାନ୍ତି । ଭଲ କ୍ରେଡିଟ୍ ସ୍କୋର ଅର୍ଥ ଆପଣଙ୍କୁ ଲୋନ୍ ମିଳିବାରେ ଟିକିଏ ସହଜ ହୋଇଥାଏ । ସତ ହେଲା ଆପଣଙ୍କ ସ୍କୋର ଉଦ୍ଧାର ଦେଉଥିବା ସଂସ୍ଥାଙ୍କ ପାଇଁ ମାପଦଣ୍ଡ ଭଳି କାମ କରିଥାଏ । ସେମାନେ ଏଥିରୁ ଆପଣଙ୍କ ଲୋନ୍ ଶୁଝିବା କ୍ଷମତାର ଆକଳନ କରିଥାନ୍ତି । ସବୁଠାରୁ ଭଲ କ୍ରେଡିଟ୍ କାର୍ଡ ଓ ଲୋନ୍ ଅଫର ସେମାନଙ୍କୁ ମିଳିଥାଏ, ଯେଉଁମାନଙ୍କ କ୍ରେଡିଟ୍ ସ୍କୋର 750ରୁ ଅଧିକ ହୋଇଥାଏ । ତେଣୁ ନିଜ କ୍ରେଡିଟ୍ ସ୍କୋରକୁ ଠିକ୍ ରଖିବା ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ । କଣ କରିଲେ ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ରହିବ ଓ କଣ ଆପଣଙ୍କ କ୍ରେଡିଟ୍ ସ୍କୋର ପାଇଁ ଖରାପ ତାହା ଆପଣଙ୍କ ଜାଣିବା ପାଇଁ ନିହାତି ଜରୁରୀ । ତେବେ କ୍ରେଡିଟ୍ ସ୍କୋରକୁ ନେଇ କିଛି ମିଥ୍ୟା କଥା ଇଣ୍ଟରନେଟ୍ ଜରିଆରେ ପ୍ରଚାର ପ୍ରସାର ହେଉଛି । ତେଣୁ ଆସନ୍ତୁ ଜାଣିବା ସେହି ମିଥ୍ୟା ପ୍ରଚାର ସବୁ କଣ..
ହାଇ ଇନକମ୍ ମାନେ ହାଇ କ୍ରେଡିଟ୍ ସ୍କୋର ?
ଆପଣଙ୍କ ଆୟ ସହ କ୍ରେଡିଟ୍ ସ୍କୋରର କୌଣସି ସଂପର୍କ ନାହିଁ । ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ସ୍କୋର ଭଲ ଥିବ ବୋଲି କିଛି ମାନେ ନାହିଁ । ଆପଣ ଅଧିକ ଟଙ୍କା ଆୟ କରୁଥିବେ କିନ୍ତୁ ନିଜ ବକେୟା ଟଙ୍କାକୁ ଠିକ୍ ସମୟରେ ପୈଠ କରୁନଥିବେ, ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ଖରାପ ହେବ । ଆପଣଙ୍କ ଆୟ କମ ହୋଇଥିଲେ ମଧ୍ୟ ଯଦି ଆପଣ ଠିକ୍ ସମୟରେ ନିଜ ଲୋନ୍ କିସ୍ତି ଶୁଝୁଛନ୍ତି ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ସବୁବେଳେ ଭଲ ରହିବ ।
କ୍ରେଡିଟ୍ ସ୍କୋର ଚେକ୍ କଲେ ସ୍କୋର ଉପରେ ଖରାପ ପ୍ରଭାବ ପଡିବ?
ଏହା ଆଉ ଗୋଟିଏ ମିଛ । ଆପଣ ଯେତେଥର ବି କ୍ରେଡିଟ୍ ସ୍କୋର ଚେକ୍ କରନ୍ତୁ ତାହାର ପ୍ରଭାବ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ପଡିବ ନାହିଁ । ଆପଣ ଯେତେଥର ନିଜ କ୍ରେଡିଟ୍ ସ୍କୋରକୁ ଚେକ୍ କରିବେ ସେତେଥର ଏହା ଏକ୍ ସଫ୍ଟ୍ ଇନକ୍ୱାରି ଭାବେ ସୂଚିବଦ୍ଧ ହେବ । ଏହାର ଆପଣଙ୍କ ସ୍କୋର ଉପରେ କୌଣସି ନକରାତ୍ମକ ପ୍ରଭାବ ପଡିବ ନାହିଁ । ପ୍ରକୃତ କଥା ହେଲା ମଝିରେ ମଝିରେ ନିଜ କ୍ରେଡିଟ୍ ସ୍କୋର ଚେକ୍ କରି ଆପଣ ନିଜ ଭୁଲ ଭଟକା ସୁଧାରି ପାରିବେ । ଏହାସହ ଯଦି ଆପଣଙ୍କ ରିପୋର୍ଟରେ କିଛି ଭୁଲ ଭଟକା ଥାଏ, ତେବେ ସମ୍ବନ୍ଧିକ କ୍ରେଡିଟ୍ ସ୍କୋର କଂପାନି ସହ କଥା ହୋଇ ତାହାକୁ ସୁଧାରି ପାରିବେ । ତେଣୁ ମଝିରେ ମଝିରେ ସ୍କୋର ଚେକ୍ କରନ୍ତୁ
କରଜ ଶୁଝିଦେଲେ ସ୍କୋର ବଢେ ?
ଲୋନ୍ କିମ୍ବା କ୍ରେଡିଟ୍ କାର୍ଡ ଆକାଉଣ୍ଟ୍ କ୍ଲୋଜ୍ କରିଦେଲେ ଆପଣ କରଜରୁ ମୁକ୍ତ ହୁଅନ୍ତି । କିନ୍ତୁ ଏହା ଦ୍ୱାରା ଆପଣଙ୍କ କ୍ରେଡିଟ୍ ସ୍କୋର ବଢେନା । ପ୍ରକୃତ କଥା ହେଲା ଗୋଟିଏ ପୁରୁଣା କ୍ରେଡିଟ୍ କାର୍ଡକୁ କ୍ଲୋଜ୍ କରିବା ଦ୍ୱାରା ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ଖରାପ ପ୍ରଭାବ ପଡିଥାଏ । ପୁରୁଣା କ୍ରେଡିଟ୍ କାର୍ଡ ବନ୍ଦ କରିବା ଦ୍ୱାରା ଆପଣଙ୍କ ପାଖରେ ଏହା ପ୍ରମାଣିତ କରିବାକୁ କୌଣସି କ୍ରେଡିଟ୍ ଲାଇନ୍ ରୁହେନା ଯେ, ଆପଣ ଠିକ୍ ସମୟରେ ନିଜ ପେମେଣ୍ଟ କରନ୍ତି । ତେଣୁ ସବୁବେଳେ ନିଜ ପୁରୁଣା କ୍ରେଡିଟ୍ କାର୍ଡକୁ ଅଧିକ ଦିନ ଚଳାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ କ୍ରେଡିଟ୍ କାର୍ଡର ବୟସ ଯେତେ ଅଧିକ ହେବ ଆପଣଙ୍କ କ୍ରେଡିଟ୍ ସ୍କୋର ସେତେ ଅଧିକ ହେବ ।
ଆପଣଙ୍କ ଜୀବନସାଥୀଙ୍କ ସ୍କୋରର ପ୍ରଭାବ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ପଡେ
ବିବାହ ପରେ ଆପଣଙ୍କ ଜୀବନସାଥୀଙ୍କ କ୍ରେଡିଟ୍ ସ୍କୋର ଆପଣଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିଥାଏ । ଏମିତି ଧାରଣ ରହିଛି । ଯାହା ବିଲକୁଲ ଭୁଲ । ଆପଣଙ୍କ ସ୍କୋର ଆପଣଙ୍କର ଓ ଆପଣଙ୍କ ଜୀବନସାଥୀଙ୍କ ସ୍କୋର ତାଙ୍କର । ତେଣୁ ଭୟଭୀତ ହୁଅନ୍ତୁ ନାହିଁ । କେବଳ ଗୋଟିଏ ପରିସ୍ଥିତିରେ ଆପଣଙ୍କ ସ୍କୋର ପ୍ରଭାବିତ ହେବ,ଯଦି ଆପଣ ନିଜ ପତ୍ନୀ କିମ୍ବା ପତିଙ୍କର କୌଣସି ଲୋନ୍ ପାଇଁ ଗ୍ୟାରେଣ୍ଟର ପଡିଛନ୍ତି । ଯଦି ସେ ତାଙ୍କ ଲୋନ୍ ଠିକ୍ ସମୟରେ ଶୁଝୁ ନାହାନ୍ତି ତେବେ ତାହାର ପ୍ରଭାବ ଆପଣଙ୍କ ସ୍କୋର ଉପରେ ପଡିବ ।
ଠିକ୍ ସମୟରେ ପେମେଣ୍ଟ ଦ୍ୱାରା ଆପଣଙ୍କ ସ୍କୋର ଉପରେ ନକରାତ୍ମକ ପ୍ରଭାବ ପଡିବ ନାହିଁ
ଆପଣ ଠିକ୍ ସମୟରେ ନିଜ ଦେୟ ଦେଉଛନ୍ତି ଯଦି ଆପଣଙ୍କ ସ୍କୋର ଭଲ ରହିବ । ତେବେ କେବଳ ଏହାରି ଆଧାରରେ ଆପଣଙ୍କୁ ଭଲ କ୍ରେଡିଟ୍ ସ୍କୋର ମିଳେନା । କ୍ରେଡିଟ୍ ବ୍ୟୁରୋ ଆପଣଙ୍କ ରିପେମେଣ୍ଟ୍ ସହ ଆପଣଙ୍କ କ୍ରେଡିଟ୍ ଉପଯୋଗ ଅନୁପାତ (CUR),କ୍ରେଡିଟ୍ ଲାଇନ୍ ସଂଖ୍ୟା ଓ କ୍ରେଡିଟ୍ ସମୟସୀମାର ମଧ୍ୟ ଯାଂଚ କରିଥାଏ ।ଯଦି ଆପଣଙ୍କ କ୍ରେଡିଟ୍ ଅନୁପାତ 60 ପ୍ରତିଶତ ପାଖାପାଖି ତେବେ ଆପଣ ଠିକ୍ ସମୟରେ ରିପେମେଣ୍ଟ କରୁଥିଲେ ମଧ୍ୟ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ କୁପ୍ରଭାବ ପଡିଥାଏ । CUR ବ୍ୟତିତ ଆପଣଙ୍କ ରିପୋର୍ଟରେ କୌଣସି ପ୍ରକାରର ଭୁଲ କାରଣରୁ ମଧ୍ୟ ସ୍କୋର ପ୍ରଭାବିତ ହୋଇଥାଏ । ତେଣୁ ଭଲ ସ୍କୋର ପାଇଁ ଅଲଗା କଥାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ ।
ଖରାପ କ୍ରେଡିଟ୍ ସ୍କୋରକୁ ଭଲ କରି ହେବ ନାହିଁ ?
ଏହା ଆଉ ଗୋଟିଏ ମିଛ । ଆପଣ ଠିକ୍ ସମୟରେ ରିପେମେଣ୍ଟ କରି,କ୍ରେଡିଟ୍ ଅନୁପାତ ଠିକ୍ ରଖି ଓ କ୍ରେଡିଟ୍ ଲାଇନକୁ ଠିକ୍ ଭାବେ ମ୍ୟାନେଜ୍ କରି ନିଜ କ୍ରେଡିଟ୍ ସ୍କୋରକୁ ସୁଧାରି ପାରିବେ ।
ଡେବିଟ୍ କାର୍ଡ ବ୍ୟବହାର ଦ୍ୱାରା ସ୍କୋର ବଢିଥାଏ ?
ଆପଣଙ୍କ ଡେବିଟ୍ କାର୍ଡ ଏକ କ୍ରେଡିଟ୍ ଲାଇନ୍ ନୁହେଁ । ଆପଣଙ୍କ କ୍ରେଡିଟ୍ ଇତିହାସ ଓ କ୍ରେଡିଟ୍ ସ୍କୋର ଉପରେ ଡେବିଟ୍ କାର୍ଡର କୌଣସି ପ୍ରଭାବ ନଥାଏ ।