୨୦୨୨ରୁ ଆରମ୍ଭ ହେଉଛି ଭୋଟ୍ ଋତୁ । ଉତ୍ତର ପ୍ରଦେଶ ନିର୍ବାଚନରୁ ଆରମ୍ଭ ହେବାକୁ ଥିବା ଏହି ରାଜନୈତିକ କୁମ୍ଭ ୨୦୨୪ ସାଧାରଣ ନିର୍ବାଚନର ମହାକୁମ୍ଭରେ ସରିବ । ଏହାରି ଭିତରେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ, ବିଦ୍ରୋହୀ ଅନ୍ୟ ଦଳକୁ ଡେଇଁବେ । ପୁଣି କିଛି ନିଜ ବ୍ରାଣ୍ଡ୍ ପଲିଟିକାଲ ପାର୍ଟି ଗଢି ରାଜନୈତିକ ମୈଦାନକୁ ଓହ୍ଲାଇବେ । କଂଗ୍ରେସର ପ୍ରଥମ ପରିବାର ଉପରେ ଖପ୍ପା ହୋଇ ଦଳକୁ ଅଲବିଦା କହିଥିବା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନୂଆ ଦଳ ଗଠନ କରି ସେମିତି ସଂକେତ ଦେଇଛନ୍ତି । କେବଳ ଅମରିନ୍ଦର ନୁହନ୍ତି କୃଷକ ନେତା ମଧ୍ୟ ମୋଦି ସରକାରକୁ ନତମସ୍ତକ କରିବା ପରେ ରାଜନୈତିକ ମୈଦାନରେ ନିଜ ପାଇଁ ଭୋଟର ଭଲ ଫସଲ ଦେଖୁଛନ୍ତି । ତେଣୁ ଭାରତୀୟ କିସାନ ୟୁନିୟନ ନେତା ଗୁରନାମ ସିଂହ ଚଢନୀ ଦଳ ଗଠନ କଥା ଘୋଷଣା କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପଂଜାବର ୧୧୭ ଆସନରେ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି । ତେବେ ଗୋଟିଏ ରାଜନୈତିକ ଦଳ ଗଠନ କରିବାକୁ କ’ଣ ସବୁ କରିବାକୁ ପଡିଥାଏ ? କେଉଁ ନିୟମ ଅନୁସାରେ ଏହା ପଂଜିକୃତ ହୋଇଥାଏ ? ଆସନ୍ତୁ ଜାଣିବା କେମିତି ଗୋଟିଏ ରାଜନୈତିକ ଦଳ ଗଠନ ହୋଇଥାଏ..
ପଂଜିକରଣ ଏମିତି ହୁଏ ..
୧. ନିର୍ବାଚନ ଆୟୋଗଙ୍କ ଅନୁସାରେ ଗୋଟିଏ ନୂଆ ରାଜନୈତିକ ଦଳ ଘୋଷଣାର ୩୦ ଦିନ ମଧ୍ୟରେ ପଂଜିକରଣ କରିବା ଜରୁରୀ । ରାଜନୈତିକ ଦଳର ପଂଜିକରଣ ପାଇଁ ଗୋଟିଏ ନୂଆ ଫର୍ମାଟରେ ଆବେଦନ କରିବାକୁ ପଡିଥାଏ । ନୂଆଦିଲ୍ଲୀ ସ୍ଥିତ ନିର୍ବାଚନ ଆୟୋଗଙ୍କ ଅଫିସରୁ ଆବେଦନ ପତ୍ର ମିଳିଥାଏ । ଏହା ସହିତ ନିର୍ବାଚନ ଆୟୋଗଙ୍କ ଆଧିକାରିକ ୱେବସାଇଟରୁ ମଧ୍ୟ ଏହାକୁ ଡାଉନଲୋଡ୍ କରାଯାଇ ପାରିବ ।
୨. ଫର୍ମ ସହିତ ଦଳକୁ ୧୦ ହଜାର ଟଙ୍କାର ଡିମାଣ୍ଡ୍ ଡ୍ରାଫ୍ଟ ମଧ୍ୟ ଡିପୋଜିଟ୍ କରିବାକୁ ପଡିଥାଏ । ଏହା ସହିତ ଦଳର ସମ୍ବିଧାନ ମଧ୍ୟ ଜମା କରିବାକୁ ପଡିଥାଏ । ଏଥିରେ ଦଳର ନିୟମ ଓ ମାର୍ଗଦର୍ଶିକର ବିବରଣୀ ଦେବାକୁ ପଡିଥାଏ । ଦଳ ସହିତ ୧୦୦ ଜଣ ଭୋଟର ଜଡିତ ଥିବାର ପ୍ରମାଣ ମଧ୍ୟ ଦାଖଲ କରିବାକୁ ପଡେ ।
୩. ଦଳ ନାମରେ ଯଦି କୌଣସି ବ୍ୟାଙ୍କ ଆକାଉଣ୍ଟ୍ ଥାଏ ତେବେ ତାହାର ବିବରଣୀ ମଧ୍ୟ ଦେବାକୁ ପଡିଥାଏ । ଏହା ସହିତ ଦୁଇଟି ଆଂଚଳିକ ଖବରକାଗଜ ଓ ଦୁଇଟି ଜାତୀୟ ଖବର କାଗଜରେ ଦଳର ନାମ ଘୋଷଣା ପ୍ରକାଶିତ କରିବାକୁ ମଧ୍ୟ କମିଶନ କହିପାରନ୍ତି ।
୪. ଆବେଦନ ପତ୍ର ସହିତ ଦଳ ସଭାପତି କିମ୍ବା ମହାସଚିବଙ୍କ ହସ୍ତାକ୍ଷର ଥିବା ଏକ ଶପଥ ପତ୍ର ମଧ୍ୟ କମିଶନଙ୍କୁ ଦେବାକୁ ପଡିଥାଏ । ଶପଥ ପତ୍ରରେ ଏହା ଉଲ୍ଲେଖ ଥାଏ ଯେ, ଦଳର କୌଣସି ସଦସ୍ୟ ଅନ୍ୟକୌଣସି ପଂଜିକୃତ ଦଳର ସଦସ୍ୟ ନୁହନ୍ତି । ଏହା ସହିତ ଦଳର ଅନ୍ୟ ୧୦୦ ଜଣଙ୍କୁ ମଧ୍ୟ ଅଲଗା ଭାବେ ଶପଥ ପତ୍ର ଦାଖଲ କରିବାକ ପଡିଥାଏ ଯେ, ସେମାନେ ଅନ୍ୟ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନାହାନ୍ତି ।
ନିର୍ବାଚନ କମିଶନରେ ପଂଜିକରଣ କାହିଁକି ଜରୁରୀ ?
ନିର୍ବାଚନ କମିଶନଙ୍କ ଅନୁସାରେ ଦଳର ପଂଜିକରଣ କରିବା ଅନିବାର୍ଯ୍ୟ ନୁହେଁ । ତେବେ ପଂଜିକୃତ ଦଳଙ୍କୁ ଅନେକ ପ୍ରକାରର ସୁବିଧା ମିଳିଥାଏ । ଯେମିତି ନିର୍ବାଚନୀ ଚିହ୍ନ ଆବଣ୍ଟନରେ ପ୍ରାଥମିକତା । ନିର୍ବାଚନ କମିଶନଙ୍କ ନିୟମକୁ ଲାଗୁ କରିବା ପାଇଁ ଏମାନଙ୍କୁ ଭବିଷ୍ୟତରେ ଜାତୀୟ କିମ୍ବା ଆଂଚଳିକ ଦଳର ମାନ୍ୟତା ମିଳିଥାଏ । ଆଂଚଳିକ ଦଳର ମାନ୍ୟତା ପାଇବା ପରେ ଗୋଟିଏ ଦଳ ନିଜ ରାଜ୍ୟରେ ନିଜ ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ବାଣ୍ଟିବା ପାଇଁ ସ୍ୱତନ୍ତ୍ର ହୋଇଯାଏ । ଅନ୍ୟପକ୍ଷରେ ଜାତୀୟ ଦଳର ମାନ୍ୟତା ପାଇଥିବା ଦଳ ଦେଶ ବ୍ୟାପି ନିଜ ପ୍ରାର୍ଥୀଙ୍କୁ ନିଜ ଚିହ୍ନ ପ୍ରଦାନ କରିଥାଏ ।