ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପିଏଲଏ ବା ପିପୁଲ’ସ ଲିବରେସନ୍ ଆର୍ମି ଅନୁପ୍ରବେଶ କରି ଜୋରଦାର ଝଟକା ପାଇଛି । ଡିସେମ୍ବର ୯ ତାରିଖ ଦିନ ପିଏଲଏର ସୈନିକ ତୱାଙ୍ଗ ଘାଟି ମଧ୍ୟକୁ ଅନୁପ୍ରବେଶ କରି ଭାରତୀୟ ସୈନିକଙ୍କ ସହିତ ଝଗଡ଼ା କରିଥିଲେ । କିନ୍ତୁ ସେମାନଙ୍କ ପାଇଁ ବାଜି ଓଲଟା ପଡ଼ିଥିଲା । ଗଲୱାନ ଘାଟି ଷଡ଼ଯନ୍ତ୍ର ବିଶୟରେ ଅନଭିଜ୍ଞ ଥିବା ଭାରତୀୟ ସେନା ୨୦୨୦ରେ ୨୦ ଜଣ ସୈନିକଙ୍କ ହରାଇଥିଲା । କିନ୍ତୁ ଏଥର ଭାରତୀୟ ଯବାନଙ୍କ ମାଡ଼ରେ ଘାଇଲା ହୋଇ ଜିନ୍ ପିଙ୍ଗଙ୍କ ସୈନିକ ଛତ୍ରଭଙ୍ଗ ଦେଇଥିଲେ । ପୂର୍ବଥର ମଧ୍ୟ ଗଲୱାନରେ ଚୀନ୍ ସେନା ମୁହଁ ଲୁଚାଇବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଏଥର କାହାଣୀ ଅଲଗା । ଭାରତୀୟ ସେନା ପାଖରେ ଚୀନ ଷଡ଼ଯନ୍ତ୍ର ନେଇ ଆଗୁଆ ସୂଚନା ଥିଲା । ତେଣୁ ଜଗି ବସିଥିଲେ ଭାରତୀୟ ଯବାନ ।
ଥିଲା ସୂଚନା,ଦେଲେ ମାଡ଼
ଭାରତୀୟ ସେନା ପାଖରେ ପୂର୍ବ ସୂଚନା ଥିଲା ଯେ, ଚୀନ୍ କିଛି ଫେଚକାମୀ କରିବାକୁ ଯାଉଛି । ତେଣୁ ତୱାଙ୍ଗ ଘାଟିରେ ଅଧିକ ଭାରତୀୟ ସୈନିକଙ୍କ ମୁତୟନ କରାଯାଇଥିଲା । ଯେହେତୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ସୈନିକ ବନ୍ଧୁକ ପାଖରେ ରଖି ନଥାନ୍ତି ତେଣୁ ଏଥର ଭାରତୀୟ ସୈନିକ ଚୀନ୍ ସୈନିକଙ୍କ ଭଳି ଲାଠି ଧରିଥିଲେ । ଯେଉଁଥିରେ ଲୁହା କଣ୍ଟା ମରାଯାଇଥିଲା । ଡିସେମ୍ବର ୯ ତାରିଖରେ ଚୀନ୍ ସୈନିକ ଭାରତୀୟ ପୋଷ୍ଟରେ ପହଂଚି ଭାରତୀୟ ସୈନିକଙ୍କୁ ଗାଳିଗୁଲଜ କରିଥିଲେ । ଚୀନ୍ ପଟୁ ପଥର ମାଡ ହୋଇଥିଲା । ମାମଲା ବଢିବା ଦେଖି ଅଳ୍ପଦୂରରେ ଥିବା ଭାରତୀୟ ସେନାର ଆଉ ଏକ ଗ୍ରୁପ୍ ଘଟଣାସ୍ଥଳରେ ପହଂଚିଥିଲା । ଆଉ ଆରମ୍ଭ ହୋଇଥିଲା ଜୋରଦାର ଆକ୍ରମଣ । ଗୋଡେଇ ଗୋଡ଼େଇ ଚୀନ୍ ସୈନିକଙ୍କୁ ପିଟିଥିଲେ । ଏମିତିକି ଭାରତୀୟ ସୈନିକ ଚୀନ୍ ପଟକୁ ପ୍ରବେଶ କରି ଶତ୍ରୁ ସୈନିକଙ୍କୁ ମାଡ଼ ମାରିଥିଲେ । କୁହାଯାଉଛି ଯେ, ଭାରତୀୟ ସୈନିକଙ୍କ ହାତରେ କିଛି ଚୀନ୍ ସୈନିକ ପଡ଼ିଥିଲେ । ଯେଉଁମାନଙ୍କୁ ଭାରତୀୟ କ୍ୟାମ୍ପକୁ ଅଣାଯାଇଥିଲା । ଭାରତୀୟ ସୈନିକଙ୍କୁ ନିଜ ପଟକୁ ଆସୁଥିବା ଦେଖି ଚୀନ୍ ପୋଷ୍ଟରେ ଥିବା ଗାର୍ଡ୍ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ ଭାରତୀୟ ସୈନିକ ନିଜ ପୋଷ୍ଟକୁ ଫେରି ଆସିଥିଲେ । ଭାରତୀୟ ସୈନିକଙ୍କ ମାଡ଼ରେ ଚୀନ୍ ସୈନିକଙ୍କ ହାତ ଭାଙ୍ଗିଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ଅରୁଣାଚଳ ପ୍ରଦେଶକୁ ଚୀନ୍ ଭାରତର ଅଙ୍ଗ ଭାବେ ଗଣନା କରେନା । ଅରୁଣାଚଳ ଉପରେ ଚୀନ୍ ନିଜ ଦାବି ରଖେ । ଏପରିକି ଏହା ନିଜ ମ୍ୟାପରେ ଅରୁଣାଚଳକୁ ନିଜ ରାଜ୍ୟ ଭାବେ ଦର୍ଶାଏ । ଏହା ପୂର୍ବରୁ ୧୯୭୫ ମସିହାରୁ ଜାରି ରହିଛି ତୱାଙ୍ଗରେ ବିବାଦ । ସୀମାରେ ରାସ୍ତା ଓ ପୋଲ ନିର୍ମାଣ କରିଥିବା ବେଳେ ଭାରତୀୟ ଯବାନଙ୍କୁ ପଛକୁ ଠେଲିବାକୁ କରୁଛି ପ୍ରୟାସ । କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ବିଫଳ ହୋଇଛି ଚାଲାକି ଚୀନ । ଯେତେବେଳେ ଲାଇନ ଅଫ ଆକ୍ଚୁଆଲ କଣ୍ଟାକ୍ଟର ତୱାଙ୍ଗ ପୋଷ୍ଟରେ ଏ ବିବାଦ ସୁତ୍ରପାତ ହୋଇଥିଲା । ରକ୍ତର ଛିଟା ପଡିଥିଲା । ସେବେ ଭାରତର ୪ ଜଣ ଯବାନ ସହିଦ ହୋଇଥିଲେ । ଭାରତ ସୀମାର କିଛି ଅଂଶକୁ ନିଜର ବୋଲି ଦାବି କରୁଛି ଚାଇନା ସେନା । ଯାହାକୁ ନେଇ ଜାରି ରହିଛି ବିବାଦ ।
ଜୁନ୍ ୧୫, ୨୦୨୦ରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । ରକ୍ତ ରଞ୍ଜିତ ହୋଇଥିଲା ଗଲୱାନ ନଦୀ । ନିଷ୍ଠା ଓ ଜାତୀୟତାର ବିଜୟ ଧ୍ୱଜା ଉଡାଇବାକୁ ଯାଇ ୨୦ ଜଣ ବୀର ଭାରତୀୟ ଯବାନ ସହିଦ ହୋଇଥିଲେ । ପ୍ରତିପକ୍ଷ ଡ୍ରାଗନ ଆର୍ମିକୁ ପ୍ରତିରୋଧ କରିଥିଲେ, ୩୮ରୁ ଅଧିକ ଚାଇନା ସେନାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଯଦିବା ଏହି ସଂଖ୍ୟା ଶତାଧିକ କିନ୍ତୁ .ତଥ୍ୟ ଲୁଚାଇଥିଲା ଚାଇନା ।
ସୂତ୍ର ମୁତାବିକ, ତୱାଙ୍କ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମୁହାଁମୁହିଁ ହେବା ପରେ ଭାରତର ଏରିଆ କମାଣ୍ଡର ନିଜ ସମକକ୍ଷ ଚୀନ ଅଧିକାରୀଙ୍କ ସହ ଫ୍ଲାଗ ମିଟିଙ୍ଗ କରିଛନ୍ତି । ଏହି ଅବସରରେ ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଉଭୟ ପକ୍ଷ ମିଳି ମିଶି ଏହି ମାମଲାର ସମାଧାନ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଏଥିସହିତ ଉଭୟ ପକ୍ଷରୁ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ବଳବତ୍ତର ରଖିବା କଥା କୁହାଯାଇଛି । ଏମିତିକି କୂଟନୈତିକ ସ୍ତରରେ ମଧ୍ୟ ଚାଇନାକୁ ଚେତାବନୀ ଦିଆଯାଇଛି ।
ସଂସଦର ଉଭୟ ସଦନରେ ମଙ୍ଗଳବାର ୧୨ ଘଟିକାରେ ଏନେଇ ବିବୃତ୍ତି ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତୱାଙ୍ଗ ସେକ୍ଟରରେ ଘଟିଥିବା ଗଟଣାକୁ ନେଇ ଗୃହକୁ ଆଶ୍ୱାସନା ଦେଇଥିଲେ । ବାରତୀୟ ଯବାନଙ୍କ ସାମର୍ଥ୍ୟ-ପରାକ୍ରମ ଓ ନିଷ୍ଠାକୁ ସଲାମ ଜଣାଇ କହିଥିଲେ, ଚାଇନା ଯଦିବା ସୀମାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଥିଲା କିନ୍ତୁ କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ଭାରତକୁ ପଶିବାକୁ ଦେଇନଥିଲେ । ଧସ୍ତାଧସ୍ତି ଫଳରେ ଚାଇନର ଏକାଧିକ ଯବାନଙ୍କ ହାତ ଗୋଡ଼ ଭାଙ୍ଗିଯାଇଥିବାବେଳେ ଆହତ ହୋଇଥିବା ଭାରତୀୟ ଯବାନଙ୍କୁ ଗୌହାଟୀରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସ୍ଥିତି ସ୍ୱଭାବିକ ରହିଥିବାବେଳେ ଚାଇନାକୁ କୂଟନୈତିକ ସ୍ତରରେ ଚେତାବନୀ ଦିଆଯାଇଥିବା ସଂସଦରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।