କାନାଡା ଓ ଭାରତ ମଧ୍ଯରେ କୂଟନୈତିକ ସ୍ତରରେ ପୂର୍ଣ୍ଣଯୁଦ୍ଧ ଚାଲିଛି କହିଲେ ଭୁଲ ହେବନାହିଁ । କାନାଡା ଭାରତୀୟ ଦୂତାବାସର ଜନୈକ କୂଟନୈତିକ ଅଧିକାରୀଙ୍କୁ ନିଜ ଦେଶରୁ ବହିଷ୍କାର କରିବା ପରେ ଭାରତ ସମାନ ପଦକ୍ଷେପ ନେଇଥିଲା । ଭାରତ ପ୍ରତ୍ଯୁତ୍ତରରେ କାନାଡାର ଜଣେ କୂଟନୈତିକ ଅଧିକାରୀଙ୍କୁ ୫ ଦିନରେ ଭାରତ ଛାଡ଼ିବାକୁ ଚରମବାଣୀ ଶୁଣାଇଛି । ଆଗରୁ ଭାରତ ଓ ପାକିସ୍ତାନ ମଧ୍ଯରେ କୂଟନିତୀଜ୍ଞଙ୍କୁ ବହିଷ୍କାର କରିବାର ଖେଳ ଚାଲୁଥିଲା । ଏବେ ଦରିଆପରି କାନାଡା ସହିତ ଭାରତର ସେହିଭଳି ଖେଳ ଚାଲିଛି । ସାଧାରଣତଃ ବହିଷ୍କୃତ ହୋଇଥିବା କୂଟନୀତିଜ୍ଞଙ୍କ ବିରୋଧରେ ଗୋଟିଏ ଦେଶ ଗୁଇନ୍ଦା ଗତିବିଧିରେ ଲିପ୍ତଥିବା ଅଭିଯୋଗ ଆଣି ଏଭଳି କରିଥାଏ । ଯାହାକି କାନାଡା କରିଛି । କାନାଡା ସଂସଦରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସିଧାସଳଖ ଭାରତ ବିରୋଧରେ ଜଣେ ଖଲିସ୍ତାନୀ ବିଛିନ୍ନତାବାଦୀ ନେତାଙ୍କ ହତ୍ଯାରେ ସାମିଲ ହେବା ଅଭିଯୋଗ ଆଣିଥିଲେ । ଏହି ମାମଲାର ତଦନ୍ତ ଚାଲିଛି ବୋଲି ସେ କହିଥିଲେ । ତାଙ୍କର ବୟାନ ପରେପରେ କାନାଡା ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡି ଚାଲିଯିବାକୁ କହିଥିଲା । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଗୋଟିଏ ଦୂତାବାସରେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ରହିଥାନ୍ତି ? କେମିତି ରହିଥାନ୍ତି ଓ ତାଙ୍କ କାମ କ’ଣ ହୋଇଥାଏ । ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର
ଦୂତାବାସ କ’ଣ ?
ଦୂତାବାସରେ ଗୁଇନ୍ଦା ଅଧିକାରୀଙ୍କ କାମ କ’ଣ ଜାଣିବା ଆଗରୁ ଜାଣନ୍ତୁ ଦୂତାବାସ କ’ଣ । କୌଣସି ବିଦେଶୀ ରାଷ୍ଟ୍ରରେ ନିଜ ଦେଶର ସ୍ୱାର୍ଥର ପ୍ରତିନିଧିତ୍ୱ ଗୋଟିଏ ଦୂତାବାସ କରିଥାଏ । ଦୂତାବାସ ଯେଉଁ ଘରେ ଥାଏ ସେହି ଘରକୁ ଏକ ସାର୍ବଭୌମ ଅଂଚଳ ଭାବେ ଗ୍ରହଣ କରାଯାଏ । ଅର୍ଥାତ କାନାଡାରେ ଥିବା ଭାରତୀୟ ଦୂତାବାସ କାନାଡାରେ ଥାଇ ମଧ୍ଯ ସାର୍ବଭୌମ । ଏହି ଦୂତାବାସ ମଧ୍ଯକୁ କାନାଡା ସୁରକ୍ଷାକର୍ମୀ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ । ତେଣୁ ଅନେକ ସମୟରେ ଦେଖାଯାଇଥାଏ ଯେ, ଗୋଟିଏ ଦେଶର ରାଜନୈତିକ କର୍ମୀ ନିଜ ସୁରକ୍ଷା ପାଇଁ ଆଉ ଗୋଟିଏ ଦୂତାବାସ ମଧ୍ଯରେ ଆଶ୍ରୟ ନେଇଥାନ୍ତି । ଦୂତାବାସ ମଧ୍ଯରେ ଜଣେ ବ୍ଯକ୍ତି ଲୁଚି ରହିଥିବା ଜାଣି ମଧ୍ଯ ସେଠାକାର ସରକାର ସେହି ଦୂତାବାସର କୋଠା ମଧ୍ଯକୁ ପ୍ରବେଶ କରିପାରିବେ ନାହିଁ । ଯଦି କୌଣସି ଦେଶ ଜୋରଜବରଦସ୍ତ ଅନ୍ୟଗୋଟିଏ ଦେଶର ଦୂତାବାସ ମଧ୍ଯକୁ ପ୍ରବେଶ କରେ ତେବେ ଏହା ସେହି ଦେଶର ସୀମା ମଧ୍ଯକୁ ପ୍ରବେଶ ଭଳି ହେବ । ଉଦାହରଣ ଭାବେ ଯଦି ଭାରତୀୟ ସେନା କିମ୍ବା ପୋଲିସ ଯଦି ପାକିସ୍ତାନୀ ଦୂତାବାସ ମଧ୍ଯ ବଳପୂର୍ବକ ପ୍ରବେଶ କରିବେ ତେବେ ପାକିସ୍ତାନ ଏହାକୁ ନିଜ ଉପରେ ଆକ୍ରମଣ ବୋଲି ଗ୍ରହଣ କରିବ । ଅନ୍ତର୍ଜାତୀୟ ଚୁକ୍ତି ଅନୁସାରେ ଗୋଟିଏ ଦେଶର ଦୂତାବାସ ମଧ୍ଯକୁ ଆଉ ଗୋଟିଏ ଦେଶ ବଳପୂର୍ବକ ଅଧିକାର କରିପାରିବ ନାହିଁ ।
ଦୂତାବାସରେ ଗୁଇନ୍ଦା ଅଧିକାରୀଙ୍କ କାମ କ’ଣ ?
କୌଣସି ଦୂତାବାସରେ ଖୁଲମଖୁଲା ଗୋଟିଏ ଦେଶ ନିଜ ଗୁଇନ୍ଦା ଅଧିକାରୀଙ୍କୁ ନିଯୁକ୍ତ କରିନଥାନ୍ତି । ଗୁଇନ୍ଦା ଅଧିକାରୀ ମାନଙ୍କୁ କଭର ପୋଷ୍ଟିଂ ଅର୍ଥାତ ଅନ୍ଯ କୌଣସି ପୋଷ୍ଟର ନାମ ଦେଇ ପୋଷ୍ଟିଂ କରାଯାଏ । ଫଳରେ ସେମାନେ କୂଟନୈତିକ ସଂରକ୍ଷଣ ପାଇଥାନ୍ତି । ଅର୍ଥାତ ସେମାନଙ୍କ ବିରୋଧରେ ହୋଷ୍ଟ୍ କଣ୍ଟ୍ରି ବା ଯେଉଁ ଦେଶରେ ଦୂତାବାସ ରହିଛି ସେହି ଦେଶ କୌଣସି କାର୍ଯ୍ଯାନୁଷ୍ଠାନ ନେଇ ପାରିବେ ନାହିଁ । ଅଧିକରୁ ଅଧିକ ତାଙ୍କୁ ଅବାଞ୍ଛିତ ବ୍ଯକ୍ତି ଭାବେ ଘୋଷଣା କରି ନିଜ ଦେଶରୁ ବିତାଡିତ କରିବା ପାଇଁ ଆଦେଶ ଜାରି କରିପାରିବେ । ଯାହା କାନାଡା ଓ ଭାରତ କରିଥିଲେ । ଦୂତାବାସରେ ଥିବା ଗୁଇନ୍ଦା ଅଧିକାରୀ ନିଜ ଦେଶର ସ୍ୱାର୍ଥ ପାଇଁ କାମ କରିଥାନ୍ତି । ସେମାନେ ନିଜ ଦେଶ ପାଇଁ ସୂଚନା ସଂଗ୍ରହ କରନ୍ତି । ତେବେ ନିଜେ ସିଧାସଳଖ କୌଣସି କାର୍ଯ୍ଯରେ ନିୟୋଜିତ ହୁଅନ୍ତି ନାହିଁ । ସେମାନେ ଏଥିପାଇଁ ସେହି ଦେଶର କୌଣସି ବ୍ଯକ୍ତିଙ୍କର ସାହାଯ୍ଯ ନିଅନ୍ତି । ସବୁ ଦେଶର ଦୂତାବାସରେ ଏଭଳି ଜଣେ ଗୁଇନ୍ଦା ଅଧିକାରୀ ଥାନ୍ତି । ଯିଏ ଛଦ୍ମନାମ ଓ ଛଦ୍ମ ପଦବୀରେ କାମ କରନ୍ତି । ଆଉ ଉଣାଅଧିକେ ସବୁ ଦେଶ ଏହା ଜାଣିଛନ୍ତି । କିନ୍ତୁ ସେପର୍ଯ୍ଯନ୍ତ ବରଦାସ୍ତ କରନ୍ତି ଯେପର୍ଯ୍ୟନ୍ତ ସେମାନଙ୍କ ସ୍ୱାର୍ଥ ବିରୋଧରେ କିଛି କାର୍ଯ୍ୟ ହୁଏନାହିଁ କିମ୍ବା ସେମାନଙ୍କ ମାଟିରେ ଅନ୍ଯ ଦେଶ ବିରୋଧରେ ଷଡ଼ଯନ୍ତ୍ର ହୁଏନାହିଁ ।
ଭାରତରେ ଥିବା ଦୂତାବାସରେ ବିଦେଶୀ ଗୁଇନ୍ଦା ଅଛନ୍ତି କି ?
ଏହାର ଉତ୍ତର ହେଉଛି ହଁ । ଆମେରିକାଠାରୁ ଋଷ ଓ ପାକିସ୍ତାନ ସବୁଦେଶର ଦୂତାବାସରେ ଗୁଇନ୍ଦା ଅଧିକାରୀ ରହିଛନ୍ତି । ସେମାନେ ନିଜ ସୂତ୍ର ଦ୍ୱାରା ନିଜ ଦେଶର ସ୍ୱାର୍ଥ ପାଇଁ ସୂଚନା ଏକାଠି କରନ୍ତି । ଏହି ଗୁଇନ୍ଦା ଅଧିକାରୀମାନେ ଡିପ୍ଲୋମାଟିକ୍ ଇମ୍ୟୁନିଟି ବା କୂଟନୈତିକ ସଂରକ୍ଷଣର ଆବରଣ ଭିତରେ ଅପରେଟ୍ କରନ୍ତି । ଅନେକ ସମୟରେ ଗୋଟିଏ ତୃତୀୟ ଦେଶ ଏଭଳି ଗତିବିଧିର କେନ୍ଦ୍ର ହୋଇଯାଏ । ଯେମିତି ନେପାଳ । ନେପାଳର କାଠମାଣ୍ଡୁରେ ଥିବା ଚୀନ୍ ଓ ପାକିସ୍ତାନୀ ଦୂତାବାସ ଭାରତ ବିରୋଧୀ ଗତିବିଧିର କେନ୍ଦ୍ର । କୁହାଯାଏ ଯେ,ନେପାଳରେ ସବୁଠାରୁ ଅଧିକ ଭାରତ ବିରୋଧୀ କୂଟନୈତିକ ସଂରକ୍ଷଣ ପ୍ରାପ୍ତ ଗୁଇନ୍ଦା କାମ କରୁଛନ୍ତି । ଚୀନ୍ ଓ ପାକିସ୍ତାନର ଗୁଇନ୍ଦା କାଠମାଣ୍ଡୁରେ ଥିବା ନିଜ ଦେଶର ଦୂତାବାସରୁ ଅପରେଟ୍ କରିଥାନ୍ତି ।