ହତ୍ୟା ଅଭିଯୋଗରେ ମୃତ୍ୟୁଦଣ୍ଡ,୧୧ ବର୍ଷ ବିଳମ୍ବ କାରଣରୁ କ୍ଷମା ଆବେଦନ । ଫାଶୀ ଆଜିବନ କାରାବାସରେ ବଦଳେ ଓ ଏବେ ମୁକ୍ତିର ଆଦେଶ । ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଏ.ଜି ପେରାରିଭିଲନଙ୍କ ଏହା ହେଉଛି ପୁରା କାହାଣୀ । ତାଙ୍କ ମୁକ୍ତିପଥ ସେହିଦିନ ସଫା ହୋଇଯାଇଥିଲା ଯେଉଁଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ଜେଲରେ ଅଳ୍ପ ଅବଧୀ ପାଇଁ ସଜା ପାଇଥିବା କଏଦୀଙ୍କୁ ମୁକ୍ତ କରାଯାଇପାରେ ତେବେ ପେରାରିଭିଲନଙ୍କୁ କାହିଁକି ମୁକ୍ତ କରାଯିବ ନାହିଁ । ଶେଷରେ ବୁଧବାର ଦିନ ସୁପ୍ରିମକୋର୍ଟ୍ ସୁପ୍ରିମ ରାୟରେ ତାଙ୍କୁ ମୁକ୍ତ କରିଚନ୍ତି । ଆଜିବନ କାରାଦଣ୍ଡରେ ଦଣ୍ଡିତ ପେରାରିଭିଲନ ୩୧ ବର୍ଷ ପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି । ବିଚାରପତି ଏଲ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠ ଧାରା ୧୪୨ ଅନ୍ତର୍ଗତରେ ବିଶେଷାଧିକାରର ପ୍ରୟୋଗ କରି ପେରାରିଭିଲନଙ୍କ ମୁକ୍ତି ଆଦେଶ ଦେଇଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଭୁଲ ବୋଲି କହିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ, ରାଜ୍ୟପାଳ ରାଜ୍ୟ ସରକାରଙ୍କ ପରାମର୍ଶକୁ ମାନିବା ପାଇଁ ବାଧ୍ୟ । ଆସନ୍ତୁ ଜାଣିବା ଏହି ବହୁଚର୍ଚ୍ଚିତ ମାମଲାର ପୁରା କାହାଣୀ କ’ଣ ?
ସୁପ୍ରିମକୋର୍ଟଙ୍କ ଆଦେଶ
ପେରାରିଭିଲନଙ୍କୁ ମୁକ୍ତ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ, ‘ରାଜ୍ୟ ମନ୍ତ୍ରିମଣ୍ଡଳ ପ୍ରାସଙ୍ଗିକ ବିଚାର ବିମର୍ଶ ଆଧାରରେ ଏହି ନିଷ୍ପତ୍ତି ନେଇଥିଲେ । ଅନୁଛେଦ ୧୪୨ର ବ୍ୟବହାର କରି ଦୋଷୀଙ୍କୁ ମୁକ୍ତ କରିବା ଉଚିତ ହେବ’’ । ସମ୍ବିଧାନର ଧାର ୧୪୨ ସୁପ୍ରିମକୋର୍ଟଙ୍କୁ ଏହି ବିଶେଷାଧିକାର ଦେଇଥାଏ ଯାହା ଅନ୍ତର୍ଗତରେ ସମ୍ବନ୍ଧିତ ମାମଲାରେ କୌଣସି ଅନ୍ୟ ଆଇନ ଲାଗୁ ନହେବା ପର୍ଯ୍ୟନ୍ତ ଅଦାଲତଙ୍କ ଆଦେଶ ସର୍ବୋପରି ରହିବ । ସଜା କାଳରେ ଦୋଷୀଙ୍କ ବ୍ୟବହାର ଠିକ ଥିଲା ଓ ତାଙ୍କ ଆଚରଣକୁ ନେଇ କୌଣସି ଅଭିଯୋଗ ନଥିବାରୁ ତାଙ୍କୁ ମୁକ୍ତ କରାଯାଉଛି ବୋଲି ଅଦାଲତ କହିଥିଲେ ।
ସୂଚନାଯୋଗ୍ୟ ଯେ, ଶ୍ରୀପେରମ୍ବଦୁରରେ ମେ ୨୧ ତାରିଖ ୧୯୯୧ ମସିହାରେ ନିର୍ବାଚନୀ ରାଲି କାଳରେ ଜଣେ ମହିଳା ଆତ୍ମଘାତୀ ଆକ୍ରମଣକାରୀ ଦ୍ୱାରା ରାଜିବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା । ଆତ୍ମଘାତି ଆକ୍ରମଣକାରୀର ନାମ ଧନୁ ଥିଲା । ୧୯୯୯ ମେ’ରେ ଅଦାଲତ ପେରାରିଭିଲନ, ମୁରୁଗନ, ସନ୍ଥନ ଓ ନଲିନିଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ୧୮ ଫେବ୍ରୁଆରି ୨୦୧୪ରେ ସୁପ୍ରିମ କୋର୍ଟ୍ ପେରାରିଭିଲନସ,ସନ୍ଥନ ଓ ମୁରୁଗନଙ୍କ ମୃତ୍ୟୁଦଣ୍ଡକୁ ଆଜିବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ । କେନ୍ଦ୍ର ସରକାରଙ୍କ ସେମାନଙ୍କ ରାଜକ୍ଷମା ୧୧ ବର୍ଷ ଧରି ପଡି ରହିଥିବାରୁ ମୃତ୍ୟୁଦଣ୍ଡକୁ ଆଜିବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ ।
ମାମଲାରେ ପେଞ୍ଚ
ଆଜିବନ କାରାଦଣ୍ଡ କାରଣରୁ ଦୋଷୀଙ୍କ ମୁକ୍ତି ଦାବି ଉଠିଥିଲା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ସବୁ ହତ୍ୟାକାରୀଙ୍କୁ ୩୦ ବର୍ଷର ଦଣ୍ଡ ପରେ ମୁକ୍ତ କରିବାକୁ ଦାବି କରିଥିଲେ । ରାଷ୍ଟ୍ରପତିଙ୍କୁ ଚିଠି ଲେଖା ଯାଇଥିଲା । ରାଜ୍ୟ ମନ୍ତ୍ରିମଣ୍ଡଳ ନିଷ୍ପତିକ୍ରମରେ ଏନେଇ ରାଜ୍ୟପାଳଙ୍କୁ ସୁପାରିସ କରାଯାଇଥିଲା । କିନ୍ତୁ ରାଜ୍ୟପାଳ ଫାଇଲକୁ ଦିଲ୍ଲୀ ପଠାଇ ଦେଇଥଇଲେ । ଆଉ ମାମଲା ଲଟକି ରହିଥିଲା ।
କଏଦି, ରାଜ୍ୟ ଓ ମୁକ୍ତି ଗଣିତ
ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଉଛି ଏହା ସୁନିଶ୍ଚିତ କରିବା ଯେ, ଆଜିବନ କାରାଦଣ୍ଡରେ ଦଣ୍ଡିତ ଦୋଷୀ ୧୪ ବର୍ଷ ପୂର୍ବରୁ ଯେମିତି ମୁକ୍ତ ନହେବେ । ଆଜିବନ କାରାଦଣ୍ଡ ୧୬ ବର୍ଷ କିମ୍ବା ୩୦ ବର୍ଷ ହୋଇପାରେ କିମ୍ବା ସବୁଦିନ ପାଇଁ ହୋଇପାରେ । ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଉଛି ଏହା ସୁନିଶ୍ଚିତ କରିବା ଯେ, ଯେପରି କୌଣସି ଦୋଷୀ ୧୪ ବର୍ଷ ପୂର୍ବରୁ ମୁକ୍ତ ନହୁଅନ୍ତି । ୩୦ ବର୍ଷ ଲମ୍ବା ଅବଧି ହୋଇଥାଏ । ମାମଲା ସୁପ୍ରିମକୋର୍ଟରେ ପହଂଚିବା ପରେ ଏହି କାଳଖଣ୍ଡକୁ ନେଇ ଚର୍ଚ୍ଚା ହୋଇଥିଲା । ସେତେବେଳେ ସୁପ୍ରିମକୋର୍ଟଙ୍କୁ କହିବାକୁ ପଡିଥିଲା ଯେ, ଯେତେବେଳେ କମ ସଜା କାଟିଥିବା କଏଦୀଙ୍କୁ ମୁକ୍ତ କରାଯାଉଛି ସେତେବେଳେ ପେରାରିଭିଲନଙ୍କୁ ମୁକ୍ତ କରିବା ପାଇଁ କାହିଁକି କେନ୍ଦ୍ର ସରକାର ସହମତ ହେଉ ନାହାନ୍ତି ? ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଉତ୍ତରକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ ଯେ, ରାଜ୍ୟପାଳ କ୍ଷମା ଆବେଦନ ଫାଇଲକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି । ଯିଏ ଏହି ମାମଲାରେ ନିଷ୍ପତି ନେବାରେ ଅଧିକ ସକ୍ଷମ ଅଟନ୍ତି ।
ଏହା ଉପରେ ସୁପ୍ରିମକୋର୍ଟଙ୍କ କହିବା ଥିଲା ଯେ, ରାଜ୍ୟପାଳ ଭୁଲ ଓ ସେ ସମ୍ବିଧାନ ବିରୋଧି ନିଷ୍ପତି ନେଇଛନ୍ତି କାରଣ ସେ ରାଜ୍ୟ ସରକାରଙ୍କ ନିଷ୍ପତି ମାନିବାକୁ ବାଧ୍ୟ । ଅଦାଲତଙ୍କ ଏହି ଟିପ୍ପଣୀରୁ ସ୍ପଷ୍ଟ ହୋଇଥିଲା ଯେ, ପେରାରିଭିଲନ ଖୁବଶୀଘ୍ର ମୁକ୍ତ ହେବାକୁ ଯାଉଛନ୍ତି ।