ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଚାଷକୁ ବୃତି ଭାବେ ଆପଣାଇଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଯୋଗୁ ଚାଷରେ ମିଳିଛି ତାଙ୍କୁ ସ୍ୱତନ୍ତ୍ର ପରିଚୟ । ସେମିତି ଜଣେ ସଫଳ ଚାଷୀ ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁର ଗଣେଶ କୁମାର ସାହୁ । ଛତୁଚାଷ ଓ ଛତୁ ମଞ୍ଜି ଉତ୍ପାଦନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ କରିଛନ୍ତି ଆତ୍ମନିର୍ଭରଶୀଳ ।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ଗୁପ୍ତମଠସାହିରେ ରହନ୍ତି ଗଣେଶ କୁମାର । ଜନ୍ମରୁ ସେ ଦିବ୍ୟାଙ୍ଗ । ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ସେତେଟା ସ୍ୱଚ୍ଛଳ ନୁହେଁ । ସେଥିପାଇଁ ବଂଚିବା ଲାଗି ବେଶ ସଂଘର୍ଷ କରିଥିବା ସେ କହିଛନ୍ତି । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପାଠପଢ଼ା ଛାଡ଼ି ସେ ଟ୍ୟୁସନ କରି ରୋଜଗାର କରୁଥିଲେ । ଏହା ପରେ ଟେଲିଫୋନ୍ ବୁଥ୍ କଲେ । ମୋବାଇଲ ଆସିବାରୁ ଟେଲିଫୋନ୍ ବୁଥ୍ର ଚାହିଦା କମିଲା । ଫଳରେ ୨୦୦୦ ମିହାରେ ଛତୁ ଚାଷ ଆରମ୍ଭ କଲେ । ଓଡ଼ଗାଁରେ ଛତୁର ଚାହିଦା କମ୍ ଥିବାରୁ ଏନେଇ ତାଙ୍କୁ ପ୍ରଥମେ ବହୁତ କ୍ଷତି ସହିବାକୁ ପଡ଼ିଛି । କ୍ଷତିକୁ ଖାତିର୍ ନ କରି ସେ ଏଥିରେ ଆଗକୁ ବଢ଼ିଲେ । ସେଇଠୁ ଧୀରେ ଧୀରେ ଛତୁ ଚାଷ ତାଙ୍କୁ ଲାଭ ଦେଇଥିଲା ।
ତେବେ ଛତୁର ଚାହିଦା ବୃଦ୍ଧି ପାଇବା ସହ ଛତୁ ଚାଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା । ଯାହାଫଳରେ ତାଙ୍କୁ ଛତୁ ବିକ୍ରି କରିବାରେ ଅସୁବିଧା ହେଲା । ସେଇଠୁ ଏହାର ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କଲେ ଗଣେଶ । ଏହା ପରେ ସେ ଛତୁ ମଞ୍ଜି ଉତ୍ପାଦନ ଯୋଜନା କଲେ । ଏ ନେଇ ତାଲିମ୍ ନେଲେ ଗଣେଶ । ଉଦ୍ୟାନ ବିଭାଗ ସହାୟତାରେ ବ୍ୟାଙ୍କରୁ ୯ ଲକ୍ଷ ୫୦ ହଜାର ଟଙ୍କା ଋଣ ଆଣି ୨୦୧୨ରେ ଛତୁ ମଞ୍ଜି ଉତ୍ପାଦନ କଲେ ।
ଏବେ ତାଙ୍କ ଯୋଗୁ ବିଭିନ୍ନ ଅଂଚଳର ଚାଷୀ ଉପକୃତ ହେଉଛନ୍ତି । ଅର୍ଥାତ ତାଙ୍କଠାରୁ ଛତୁଚାଷ ଲାଗି ମଞ୍ଜି ସଂଗ୍ରହ କରୁଛନ୍ତି । ତେବେ ଏହି ଛତୁ ଚାଷ ଓ ମଞ୍ଜି ଉତ୍ପାଦନରୁ ମାସିକୁ ସେ ୨୦ରୁ ୨୫ ହଜାର ଟଙ୍କା ରୋଜଗାର କରୁଛନ୍ତି । କେତେକ ମହିଳାଙ୍କୁ ମଧ୍ୟ ରୋଜଗାରର ରାହା ଦେଖାଇଛନ୍ତି । ମଞ୍ଜି ଉତ୍ପାଦନ ୟୁନିଟ୍ରେ ୮-୧୦ ଜଣ ମହିଳା କାମ କରୁଛନ୍ତି । ତାଙ୍କର ଏଭଳି ସଫଳତା ଯୋଗୁ ତାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଏକ୍ଷେତ୍ରରେ ତାଙ୍କୁ ଅଧିକ ସହାୟତା ତଥା ପ୍ରୋତ୍ସାହନ ମିଳିଲେ ଅଧିକ କିଛି କରିବା ଆଶା ରଖିଛନ୍ତି ଗଣେଶ । ଆଗାମୀ ଦିନରେ ବଡି, ପାମ୍ପଡ଼ ଓ ଆଚାର ତିଆରି କରି ବ୍ୟବସାୟ ବଢ଼ାଇବେ ଓ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରିବେ ବୋଲି କହିଛନ୍ତି ଗଣେଶ ।