୧୯୪୨ । ଦେଶରେ ଭାରତ ଛାଡ ଆନ୍ଦୋଳନ ଚାଲୁଥାଏ । ମହାତ୍ମା ଗାନ୍ଧୀଙ୍କ କର ବା ମର ଡାକରାରେ ପୁରା ଦେଶ ବ୍ରିଟିଶ୍ ସାମ୍ରାଜ୍ୟ ବିରୋଧର ରାସ୍ତାରେ ଥିଲା । ଏହାରି ଭିତରେ ମୁମ୍ବାଇ ବା ସେତେବେଳର ବମ୍ବେର ଗୋଟିଏ ଛୋଟ ଗ୍ୟାରେଜରେ ଗୋଟିଏ ରଙ୍ଗ କମ୍ପାନୀରୁ ମୁଳଦୁଆ ପଡୁଥିଲା । ଯାହା ଆଗକୁ ଚାଲି ବଡ଼ ବଡ଼ ବ୍ରାଣ୍ଡଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଉଥିଲା । ସେହି କମ୍ପାନିର ନାମ ହେଉଛି ଏସିଆନ୍ ପେଣ୍ଟସ । ସମ୍ପୂର୍ଣ୍ଣ ସ୍ୱେଦେଶୀ ।
ସେହି ସମୟରେ ବ୍ରିଟିଶ ରଙ୍ଗ ଆମଦାନୀ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିଥିଲେ । ତେଣୁ ଲୋକଙ୍କ ପାଖରେ ଶାଲିମାର ପେଣ୍ଟ୍ କିମ୍ବା ମହଙ୍ଗା ବିଦେଶୀ ରଙ୍ଗ କିଣିବା ଛଡା ଅନ୍ୟକିଛି ବାଟ ନଥିଲା । ଏହି ପ୍ରତିବନ୍ଧ ଏକ ନୂଆ ବିଚାରକୁ ଜନ୍ମ ଦେଇଥିଲା । ଚମ୍ପକଲାଲ ଚୋକସି,ସୁର୍ଯ୍ୟକାନ୍ତ ଦାନୀ ଓ ଅରବିନ୍ଦ ବକିଲ ବ୍ୟବସାୟର ଏକ ନୂଆ କ୍ଷେତ୍ରକୁ ପ୍ରବେଶ କରିବାକୁ ଚିନ୍ତା କରିଥିଲେ । ଏସିଆନ୍ ଅଏଲ ଆଣ୍ଡ୍ ପେଣ୍ଟ୍ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ ନାମରେ ସେମାନେ ବଜାରକୁ ପ୍ରବେଶ କରିଥିଲେ ।
ଟେଲିଫୋନ୍ ଡିରେକ୍ଟ୍ରିରୁ ଆସିଥିଲା ନାମ
୭୮ ବର୍ଷର ଏହି ପୁରୁଣା କମ୍ପାନୀର ନାମ ଟେଲିଫୋନ୍ ଡିରେକ୍ଟ୍ରିରୁ ଆସିଥିଲା । ଅଂଶୀଦାରଙ୍କ ମଧ୍ୟରୁ ଜଣେ ଟେଲିଫୋନ୍ ଡିରେକ୍ଟ୍ରିରେ କୌଣସି ନମ୍ବର ଖୋଜୁଥିବା ବେଳେ ନାମ ପାଇଥିଲେ । ଆଉ କମ୍ପାନୀର ନାମ ଏସିଆନ୍ ପେଣ୍ଟ୍ ହୋଇଥିଲା । ଏବେ ଭାରତୀୟ ରଙ୍ଗ ବଜାରର ୫୩ ପ୍ରତିଶତ ଏସିଆନ୍ ପେଣ୍ଟ୍ ଅଧିକାରରେ ରହିଛି । ଏହା ହେଉଛି ଏସିଆର ତୃତୀୟ ବୃହତ୍ତମ ପେଣ୍ଟ୍ କମ୍ପାନୀ । ବିଶ୍ୱର ୧୬ ଦେଶରେ ଏସିଆନ୍ ପେଣ୍ଟ୍ ବିକ୍ରି ହୋଇଥାଏ । ‘ସବୁ ଘର କିଛି କହିଥାଏ’’ ବୋଲି ଏସିଆନ ପେଣ୍ଟର ବିଶ୍ୱାସ ।
ସବୁ ବଜେଟର ରଙ୍ଗ ବିକ୍ରି କରୁଥିବା ଏସିଆନ୍ ପେଣ୍ଟର ସଫଳତା ପଛରେ ଏହାର ସବୁ ବର୍ଗର ବଜେଟକୁ ଦୃଷ୍ଟି ଦେବାର ରଣନୀତି ରହିଛି । ୧୯୪୫ରେ କମ୍ପାନୀ ଦେଶବ୍ୟାପୀ ଡେଲିଭରି ସିଷ୍ଟମକୁ ଅଧିକ ସରଳ କରିବା ପାଇଁ ଟିଣ ଡବା ବଦଳରେ ଛୋଟ ପେଣ୍ଟ୍ ପ୍ୟାକେଟ୍ ତିଆରି କରିବା ଆରମ୍ଭ କରିଥିଲା । ଏହାଦ୍ୱାରା କମ୍ପାନୀ ଛୋଟ ଛୋଟ ସହରର ବ୍ୟବସାୟୀଙ୍କ ପାଖରେ ପହଂଚି ପାରିଥିଲା ।
କମ୍ପାନୀର ଏହି ରଣନୀତି ଖୁବ କାମ କରିଥିଲା । କେବଳ ଗୋଟିଏ ବର୍ଷରେ କମ୍ପାନୀ ୩ ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ କରିଥିଲା । ୧୯୫୨ ସୁଧା କମ୍ପାନୀର ବାର୍ଷିକ ବ୍ୟବସାୟ ୨୩ କୋଟି ଟଙ୍କା ହୋଇଥିଲା । ସେତେବେଳେ ୨୩ କୋଟି ଟଙ୍କା ବହୁତ ବଡ ଥିଲା ।
ଏସିଆନ୍ ପେଣ୍ଟ ସହ ହାତ ମିଳାଇଥିଲେ କାର୍ଟୁନିଷ୍ଟ ଲକ୍ଷ୍ମଣ
୧୯୫୪ ମସିହାରେ ଏସିଆନ୍ ପେଣ୍ଟକୁ ସାଧରାଣ ଲୋକଙ୍କ ରଙ୍ଗ ଭାବେ ଦର୍ଶାଇବା ପାଇଁ କମ୍ପାନୀ କ୍ୟାମ୍ପେନ୍ ଆରମ୍ଭ କରିଥିଲା । ଏଥିପାଇଁ କମ୍ପାନୀ ମହାନ କାର୍ଟୁନିଷ୍ଟ୍ ଆର.କେ ଲକ୍ଷ୍ମଣଙ୍କ ସାହାଯ୍ୟ ନେଇଥିଲା । ଲକ୍ଷ୍ମଣ ଗଟୁ ନାମକ ଏକ ଛୋଟ ପିଲାର କାର୍ଟୁନ୍ ତିଆରି କରିଥିଲେ । ଉତ୍ତର ଭାରତ ମାର୍କେଟକୁ କବଜା କରିବା ଥିଲା ଏସିଆନ୍ ପେଣ୍ଟର ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ପାଇଁ ଆରମ୍ଭ ହୋଇଥିଲା ଗଟୁ କ୍ୟାମ୍ପେନ୍ । କାରଣ ଗଟୁ ଥିଲା ଉତ୍ତର ଭାରତରେ ବହୁଳ ଭାବେ ବ୍ୟବହୃତ ଡାକନାମ । ଚିତ୍ରରେ ଗଟୁକୁ ଏକ ରଙ୍ଗ ବାଲଟି ଓ ବ୍ରଶ୍ ସହ ଦର୍ଶାଯାଇଥିଲା ।
ତେବେ ଗଟ୍ଟୁ ଚରିତ୍ର ନାମକରଣର କାହାଣୀ ମଧ୍ୟ ବେଶ ରୋଚକ । ଏଥିପାଇଁ ଏସିଆନ୍ ପେଣ୍ଟ୍ ଏକ ପ୍ରତିଯୋଗୀତା ଆୟୋଜନ କରିଥିଲା । ଲକ୍ଷ୍ମଣଙ୍କ କାର୍ଟୁନର ନାମକରଣ ପାଇଁ ପ୍ରତିଯୋଗୀଙ୍କଠାରୁ ଉତ୍ତର ଆହ୍ୱାନ କରାଯାଇଥିଲା । ୪୭ ହଜାର ଲୋକ ଏଥିରେ ଭାଗ ନେଇଥିଲେ । ବମ୍ବେର ଦୁଇ ଜଣ ବ୍ୟକ୍ତି ଗଟ୍ଟୁ ନାମ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରତିଯୋଗୀତା ଦ୍ୱାରା କମ୍ପାନୀ ଦୁଇଟି ଫାଇଦା ପାଇଥିଲା । ପ୍ରଥମତଃ ଲୋକଙ୍କ ମଧ୍ୟରେ ଏହି ରହସ୍ୟମୟ ପିଲାକୁ ନେଇ ଉତ୍ସୁକତା ଜାଗିଥିଲା ଓ ଦ୍ୱିତୀୟରେ ଲକ୍ଷ୍ମଣ କାର୍ଟୁନ୍ ତିଆରି କରିଛନ୍ତି ବୋଲି ସେମାନେ ଜାଣିଥିଲେ । ଯାହା କମ୍ପାନୀର ପ୍ରଚାର କରିଥିଲା ।
ଗଟ୍ଟୁ ବନିଥିଲା ଶସ୍ତା ରଙ୍ଗର ଚେହେରା
ଗଟ୍ଟୁ ଖୁବଶୀଘ୍ର ଏକ ଶସ୍ତା ରଙ୍ଗର ଚେହେରା ବନିଗଲା । ମଧ୍ୟବିତ୍ତ ପରିବାର ନିଜ ଘରକୁ ଗଟ୍ଟୁ ରଙ୍ଗରେ ରଙ୍ଗାଇଥିଲେ କାରଣ ଏହା ଶସ୍ତା ଥିଲା ଓ ବଜାରରେ ପରିଚିତ ଥିଲା । ଗଟ୍ଟୁର ଟାଗ ଲାଇନ୍ ଥିଲା ଡୋଣ୍ଟ୍ ଲୁଜ୍ ୟୋର ଟେମ୍ପର, ୟୁଜ୍ ଟ୍ରାକ୍ଟର ଡିଷ୍ଟ୍ରେମ୍ପର ଅର୍ଥାତ ଧୈର୍ଯ୍ୟ ହରାନ୍ତୁ ନାହିଁ ଟ୍ରାକ୍ଟର ଡିଷ୍ଟ୍ରେମ୍ପର ବ୍ୟବହାର କରନ୍ତୁ । ଗଟ୍ଟୁ ଆଡ୍ କ୍ୟାମ୍ପନ୍ ଦୁଇ ବର୍ଷ ମଧ୍ୟରେ ବିକ୍ରି ୪ ଗୁଣ ବଢାଇ ଦେଇଥିଲା ।
୧୯୬୭ ମସିହାରେ ଏସିଆନ ପେଣ୍ଟସ ଦେଶର ଅଗ୍ରଣୀ ରଙ୍ଗ କମ୍ପାନୀ ଭାବେ ଉଭା ହୋଇଥିଲା । ବଜାରରେ ଏହାର କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିଲେ । ୧୯୬୮ ମସିହାରେ ଏହା ଫିଜିରେ ନିଜର ପ୍ରଥମ ପ୍ଲାଣ୍ଟ୍ ଖୋଲିଥିଲା । ୨୦୦୪ରେ ଏସିଆନ୍ ପେଣ୍ଟସ ଫୋର୍ବସର ବେଷ୍ଟ୍ ଅଣ୍ଡର ବିଲିୟନ କମ୍ପାନୀ ଇନ୍ ଦି ୱାର୍ଲଡ ତାଲିକାରେ ସାମିଲ ହୋଇଥିଲା । ସେହି ବର୍ଷ ଏହାକୁ ମଧ୍ୟ ବ୍ରିଟିଶ ସେଫ୍ଟି କାଉନସିଲ୍ ଦ୍ୱାରା ସୋର୍ଡ୍ ଅଫ୍ ଅନର ସମ୍ମାନ ମିଳିଥିଲା ।
ସ୍ୱାଧିନତାର କେଇ ବର୍ଷ ଆଗରୁ ଯେଉଁ ସବୁ କମ୍ପାନୀ ଜନ୍ମ ନେଇଥିଲେ ସେମାନଙ୍କ ମଧ୍ୟରୁ ମାତ୍ର ହାତ ଗଣତି ଏବେ ସକ୍ରୀୟ ଅଛନ୍ତି । ସେହି ହାତ ଗଣତି କମ୍ପାନୀଙ୍କ ମଧ୍ୟରୁ ଏସିଆନ୍ ପେଣ୍ଟସ ଗୋଟିଏ । ଯାହା କୁହେ ସ୍ୱେଦଶୀ ବି ବିଦେଶୀକୁ ଟକ୍କର ଦେଇ ପାରିବ ।