ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀ ପୁଣିଥରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜା ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ଭାରତରେ ରାଜନୈତିକ ଝଡ଼ ସୃଷ୍ଟି କରିଛି । ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାରରେ ଆସି ସାମ୍ବାଦିକ ନୁସରତ ମିର୍ଜା ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ତତ୍କାଳୀନ ଉପ ରାଷ୍ଟ୍ରପତି ହମିଦ ଅଂସାରୀ ଏବଂ ଏକ ଇଂରାଜୀ ଖବରକାଗଜ ମିଲି ଗ୍ୟାଜେଟର ସଂସ୍ଥାପକ ଜଫରୁଲ ଇସଲାମ ଖାନଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଯାଇଥିଲେ । ସେହି ସମୟରେ ତାଙ୍କୁ ଭାରତରେ ଅନେକ ସମ୍ବେଦନଶୀଳ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସବୁ ଗୁଇନ୍ଦା ସୂଚନାକୁ ସେ ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇକୁ ହସ୍ତାନ୍ତର କରିଥିବା କଥା ସ୍ୱୀକାର କରିଛନ୍ତି । ମିର୍ଜାଙ୍କ ଏହି ଦାବି ପରେ ସାମାଜିକ ଗଣମାଧ୍ୟମରେ ହଙ୍ଗାମା ସୃଷ୍ଟି ହୋଇଛି । ଟ୍ୱିଟରରେ ଭାରତୀୟ ୟୁଜରମାନେ ହମିଦ ଅଂସାରୀ ଏବଂ ଜଫରୁଲ ଇସ୍ଲାମଙ୍କୁ ଭର୍ସନା କରୁଛନ୍ତି । ତେବେ ଏହି ଘଟଣା ୨୦୧୧ ମସିହାର ଘଟିଥିଲା । ସେ ମସୟରେ କଂଗ୍ରେସ ସରକାର ଅର୍ଥାତ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ । ଟ୍ୱିଟରରେ ବିଜେପି ନେତା ଓ ଅନ୍ୟମାନେ ଏହି ସାକ୍ଷାତକାରର ଭିଡିଓ ଟ୍ୱିଟ କରି କଂଗ୍ରେସ ଦଳ ଏବଂ ହମିଦ ଅଂସାରୀଙ୍କୁ ଦେଶଦ୍ରୋହୀ କହିଛନ୍ତି । ଉପରାଷ୍ଟ୍ରପତି ରହିଥିଲେ ମଧ୍ୟ କିପରି ଭାବେ ଭାରତର ସୁରକ୍ଷା ସହ ଅଂସାରୀ ସାଲିସ କଲେ ବୋଲି ପ୍ରଶ୍ନ କରାଯାଇଛି । ଭାରତୀୟ ଗୁଇନ୍ଦା ବିଭାଗ RAWର ପୂର୍ବତନ ଅଧିକାରୀ ଏନକେ ସୁଦ ହମିଦ ଅଂସାରୀଙ୍କ ବିରୋଧରେ ଲଗାଇଥିବା ଅଭିଯୋଗକୁ ଏବେ ମନେପକାଇଛନ୍ତି ଲୋକମାନେ । ୨୦୧୯ର ଏକ ଟ୍ୱିଟକୁ ୟୁଜରମାନେ ରିଟ୍ୱିଟ କରୁଛନ୍ତି । ୨୦୧୯ରେ ଏନକେ ସୁଦ ଏକ ଟ୍ୱିଟ କରି କହିଥିଲେ, ମୁଁ ଇରାନର ରାଜଧାନୀ ତେହରାନରେ ରହିବା ସମୟରେ ହମିଦ ଅଂସାରୀ ରାଷ୍ଟ୍ରଦୂତ ଭାବେ ତେହରାନର ଥିଲେ । ସେ ସମୟରେ ଅଂସାରୀ RAW ସେଟଅପ ସମ୍ପର୍କରେ ଖୁଲାସା କରି ର’ ୟୁନିଟ ସଦସ୍ୟଙ୍କ ଜୀବନ ବିପଦରେ ପକାଇଥିଲେ । ଏଭଳି ଲୋକଙ୍କୁ ଆମ ଦେଶରେ ଦୁଇ ଦୁଇ ଥର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଦିଆଗଲା । ଏହି ଟ୍ୱିଟକୁ ଆଜି ପୁଣିଥରେ ବିଜେପିର ସଂକ୍ରାନ୍ତ ସାନୁ ରିଟ୍ୱିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି ।
ସୂଚନାଯୋଗ୍ୟ ଯେ, ହମିଦ୍ ଅନସାରୀଙ୍କୁ ନେଇ ଏଭଳି ଅଭିଯୋଗ ନୁଆ ନୁହେଁ । ଆଗରୁ ମଧ୍ୟ ତାଙ୍କୁ ନେଇ ଏମିତି ଅଭିଯୋଗ ହୋଇଥିଲା । ଭାରତୀୟ ଗୁଇନ୍ଦା ଏଜେନ୍ସି ଏନ କେ ସୁଦ୍ ୨୦୧୯ରେ ଅଭିଯୋଗ କରିଥିଲେ ଯେ, ତେହେରାନରେ ଭାରତୀୟ ରାଷ୍ଟ୍ରଦୂତ ଥିବା ବେଳେ ଅନସାରୀଙ୍କ ପାଇଁ ଅନେକ ଭାରତୀୟ ଏଜେଣ୍ଟଙ୍କ ପରିଚୟ ଜଣା ପଡିଯାଇଥିଲା । ସେମାନଙ୍କୁ ତୁରନ୍ତ ଇରାନ ଛାଡିବାକୁ ପଡିଥିଲା । ୨୦୧୪ ପରଠାରୁ ଭାରତରେ ମୁସଲମାନ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ବାରମ୍ବାର ଅନସାରୀ କହିଥିଲେ । ତାଙ୍କର ଏଭଳି ଆଲୋଚନା ପରେ ସୁଦ୍ ଏହି କଥା ଉଠାଇଥିଲେ ।