ପଞ୍ଜାବ ରାଜନୀତି ଉପରେ ଏବେ ସିଦ୍ଧୁ ଗ୍ରହ ଦୋଷ ଚାଲିଛି । ସିଦ୍ଧୁଙ୍କ ପାଇଁ ଜଣେ ମୁଖ୍ୟମନ୍ତ୍ରୀ ପଦ ହରାଇଲେ । ଜଣେ ମୁଖ୍ୟମନ୍ତ୍ରୀ ହେଉ ହେଉ ତାଙ୍କ ଉପରେ ସିଦ୍ଧୁଙ୍କ ଚାପ ପଡିବାକୁ ଲାଗିଲା । ଚାପ ଭିତରେ କାମ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସିଦ୍ଧୁଙ୍କ ମଧ୍ୟରେ ଟଣା ଓଟରା ଭିତରେ ସିଦ୍ଧୁ କଂଗ୍ରେସକୁ ବ୍ଲାକମେଲ୍ କରିବାକୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦେଲେ । ପଞ୍ଜାବ ରାଜନୀତିରେ ଏଭଳି ହଟଚମଟ ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସାକ୍ଷାତ କରିଥିଲେ । ଆଶା କରାଯାଉଥିଲା ଯେ, ସେ ବିଜେପିରେ ସାମିଲ ହେବେ । କିନ୍ତୁ ସେମିତି କିଛି ହେଲା ନାହିଁ । ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, କଂଗ୍ରେସର ବଡ଼ ବଡ଼ ନେତାଙ୍କୁ ନିଜ ଶିବିରକୁ ନେଇ କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବିଜେପି କ’ଣ ପାଇଁ କ୍ୟାପ୍ଟେନଙ୍କୁ ଦଳକୁ ସ୍ୱାଗତ କଲା ନାହିଁ ?
ବୟସ ସାଜିଲା ବାଧକ
କ୍ୟାପ୍ଟେନ କ’ଣ ପାଇଁ ବିଜେପିରେ ସାମିଲ ହୋଇ ପାରିଲେ ନାହିଁ,ଏବେ ତା’ର ଉତ୍ତର ଆସୁଛି । ଉତ୍ତର ହେଉଛି ବିଜେପିର ୭୫ ବର୍ଷ ବୟସସୀମା ପାଇଁ କ୍ୟାପ୍ଟେନ ଗେରୁଆ ଦଳରେ ସାମିଲ ହୋଇ ପାରିଲେ ନାହିଁ । କ୍ୟାପ୍ଟେନଙ୍କ ବୟସ ୭୯ । ଅନ୍ୟପକ୍ଷରେ ବିଜେପି ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ନିଜ ଦଳରେ ଆରମ ଦେଇ ମାର୍ଗ ଦର୍ଶକ ମଣ୍ଡଳକୁ ପଠାଇ ଦେଉଛି । ଏମିତିରେ କ୍ୟାପ୍ଟେନଙ୍କ ବିଜେପିର ଗୃହପ୍ରବେଶ ହୋଇ ପାରିଲା ନାହିଁ । ତେବେ କ୍ୟାପ୍ଟେନ ଦଳ ବାହାରେ ରହି ବିଜେପି ପାଇଁ କାମ କରିବେ ବୋଲି ନିଷ୍ପତ୍ତି ହୋଇଛି ।
କ୍ୟାପ୍ଟନ କାହିଁକି ବିଜେପି ନଜରରେ ମୁଲ୍ୟବାନ ?
କ୍ୟାପ୍ଟେନ୍ ଦିଲ୍ଲୀ ଆସିଥିଲେ ଘର ଖାଲି କରିବା ପାଇଁ । କିନ୍ତୁ ଗୋଟିଏ ଦିନ ପରେ ସେ ଅମିତ ଶାହଙ୍କ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ୪୫ ମିନିଟ ଧରି ଚାଲିଥିଲା । ଏହାପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଥିଲେ ।
ବିଜେପି କ୍ୟାପ୍ଟେନଙ୍କ ଭଳି ଜଣେ ନେତାଙ୍କୁ କେନ୍ଦ୍ରରେ ଚାହୁଁଛି । ଯେଉଁ ନେତା ବିଜେପିକୁ ପଞ୍ଜାବରେ ରାଜନୈତିକ ଭୂମି ଦେଇ ପାରିବେ । କ୍ୟାପ୍ଟେନ ପଞ୍ଜାବ ରାଜନୀତିକୁ ଭଲ ଭାବେ ବୁଝନ୍ତି । ପଞ୍ଜାବରେ ଯେଉଁ କୃଷକ ଆନ୍ଦୋଳନ ଚାଲିଛି ତାକୁ କ୍ୟାପ୍ଟେନ ହିଁ ସମ୍ଭାଳି ପାରିବେ ବୋଲି ବିଜେପି ଭାବୁଛି ।
କଂଗ୍ରେସରେ ରହିବନି କି ବିଜେପିରେ ସାମିଲ ହେବିନି
କ୍ୟାପ୍ଟେନ ଶାହଙ୍କୁ ଭେଟିବା ପରେ କହିଥିଲେ ଯେ, କଂଗ୍ରେସରେ ଆଉ ରହିବି ନାହିଁ କିନ୍ତୁ ବିଜେପିରେ ମଧ୍ୟ ସାମିଲ ହେବି ନାହିଁ । ଏହି କଥାରୁ ବୁଝା ପଡୁଛି ଯେ, କ୍ୟାପ୍ଟେନ କଂଗ୍ରେସରେ ନିଜ ଅପମାନର ପ୍ରତିଶୋଧ ନେବାକୁ ଅଲଗା ଦଳ କିମ୍ବା ସାମାଜିକ ସଂଗଠନ ଗଢି ପାରନ୍ତି । ଏମିତିରେ ବିଜେପି ତାଙ୍କୁ ସମର୍ଥନ ଦେବ । ଶାହଙ୍କୁ ସାକ୍ଷାତ ପରେ ଏଭଳି ଆଶା କରାଯିବା ସ୍ୱଭାବିକ । କାରଣ କ୍ୟାପ୍ଟେନଙ୍କର ନିଜସ୍ୱ ଭୋଟ୍ ବ୍ୟାଙ୍କ ଅଛି । କ୍ୟାପ୍ଟେନ ସେହି ଭୋଟ୍ ବ୍ୟାଙ୍କକୁ ବିଜେପି ମୁହାଁ କରି ପାରନ୍ତି ବୋଲି ବିଜେପିର ଆଶା । ଅନ୍ୟପକ୍ଷରେ କ୍ୟାପ୍ଟେନ ଯଦି ବିଜେପିରେ ସାମିଲ ହୋଇଥାନ୍ତେ ତେବେ ତାଙ୍କୁ ସମର୍ଥନ କରୁଥିବା କୃଷକ ସମ୍ଭବତଃ ବିଜେପିକୁ ବିରୋଧ କାରଣରୁ ତାଙ୍କଠାରୁ ଦୁରେଇ ଯାଇଥାନ୍ତେ । କିନ୍ତୁ ବିଜେପିରୁ ଦୁରେଇ ଅଲଗା ସଂଗଠନ କଲେ ବିଜେପି ବିରୋଧୀ ଭୋଟ ମଧ୍ୟ ତାଙ୍କ ପଟକୁ ଯିବ । ଏହା ହେଉଛି ବିଜେପି ଓ ଶାହଙ୍କ ରଣନୀତି ।
ନିର୍ବାଚନରେ ସିଦ୍ଧୁ ଓ କଂଗ୍ରେସ ଉପରେ ବର୍ଷିବେ କ୍ୟାପ୍ଟେନ୍
କ୍ୟାପ୍ଟେନ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ନବଜ୍ୟୋତ୍ ସିଂହ ସିଦ୍ଧୁଙ୍କୁ ପଞ୍ଜାବର କୌଣସି ଆସନରେ ଜିତିବାକୁ ଦେବେ ନାହିଁ । ଦେଶର ସୁରକ୍ଷାକୁ ନେଇ ସେ ସିଦ୍ଧୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଛନ୍ତି । ଅମିତ ଶାହଙ୍କୁ ମୁକାବିଲା ପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଥିଲେ । ଡୋଭାଲଙ୍କ ସହିତ ସକ୍ଷାତ ପଛରେ ରାଜ୍ୟ ଓ ଦେଶର ସୁରକ୍ଷା ଥିଲା ବୋଲି ସେ ସଫା ଶବ୍ଦରେ କହିଥିଲେ । ଡୋଭାଲଙ୍କ ସହିତ ତାଙ୍କ ସାକ୍ଷାତକାର ଦ୍ୱାରା ସେ ଆଗକୁ କହି ପାରିବେ ଯେ, ସିଦ୍ଧୁଙ୍କ ବାବଦରେ ସେ ଦଳକୁ ଆଗରୁ ସତର୍କ କରାଇଥିଲେ । ସିଦ୍ଧୁ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ବାରମ୍ବାର କହିବା କାରଣରୁ ତାଙ୍କର ହାଇକମାଣ୍ଡଙ୍କ ସହିତ ସମ୍ପର୍କ ଖରାପ ହୋଇଥିଲା ବୋଲି ମଧ୍ୟ କ୍ୟାପ୍ଟେନ ଆଗକୁ କହି ପାରିବେ ।
କଂଗ୍ରେସ ଉପରେ କେତେ ଭାରି କ୍ୟାପ୍ଟେନ୍ ?
CSDS ନିର୍ଦ୍ଦେଶକ ଓ ନିର୍ବାଚନ ବିଶ୍ଲେଷକ ସଂଜୟ କୁମାରଙ୍କ ଅନୁସାରେ କ୍ୟାପ୍ଟେନଙ୍କ ବିଦ୍ରୋହ କାରଣରୁ କଂଗ୍ରେସକୁ ୪ରୁ ୫ ପ୍ରତିଶତ ଭୋଟ୍ ହରାଇବାକୁ ପଡିପାରେ । ପାଖାପାଖି ୬ ପ୍ରତିଶତ ଭୋଟ୍ ଆଣିବାର କ୍ଷମତା କ୍ୟାପ୍ଟେନଙ୍କର ରହିଛି । ଏମିତିରେ ଯଦି ଏତିକି ପ୍ରତିଶତ ଭୋଟ୍ ବିଜେପି ଭୋଟ୍ ସହିତ ମିଶିବ ତେବେ ଏହା ୧୦ ପ୍ରତିଶତ ହୋଇଯିବ । ୨୦୧୭ ନିର୍ବାଚନରେ ବିଜେପି ପଞ୍ଜାବରେ ୧୦ ପ୍ରତିଶତ ଭୋଟ୍ ମଧ୍ୟ ହାସଲ କରି ପାରିନଥିଲା ।