ମୁତ୍ୟୁ ହିଁ ଏକମାତ୍ର ସତ୍ୟ । ଧନୀ ହେଉ କି ଗରିବ, ସମସ୍ତଙ୍କୁ ଦିନେ ଛାଡ଼ିବାକୁ ପଡ଼ିବ ଏ ସୁନ୍ଦର ପୃଥିବୀ । ତେଣୁ ଶବକୁ ଶେଷ ସମ୍ମାନ ଦେବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ । ମାତ୍ର କରୋନାର ଦ୍ୱିତୀୟ ଲହରି ଏତେ ଉତ୍କଟ ଆକାର ଧାରଣ କରିଛି ଯେ ବନ୍ଧୁ ପରିଜନ ତ ଦୂରର କଥା, ନିଜ ପରିବାର ଲୋକ ବି ଆତ୍ମୀୟଙ୍କ ଶବ ପାଖରେ ଛିଡ଼ା ହେବାକୁ ଭୟ କରୁଛନ୍ତି । କେବଳ ମୁଖାଗ୍ନି ଦେବାକୁ ନୁହେଁ, ବରଂ ଶବ ସତ୍କାର ପରେ ଅସ୍ଥି ସଂଗ୍ରହ କରିବାକୁ ବି କୁଣ୍ଠିତ ହେଉଛନ୍ତି । ଏ ସବୁ ପ୍ରତିକୂଳକ ପରିସ୍ଥିତି ସତ୍ୱେ କରୋନା ମୃତକଙ୍କ ଶେଷ ସାଥୀ ହେବାକୁ ଆଗେଇ ଆସିଛନ୍ତି ସୁନ୍ଦରଗଡ଼ ଅଂଚଳର ୪ ବନ୍ଧୁ ।
ପେଷାରେ କିଏ ଔଷଧ ବ୍ୟବସାୟୀ ତ ଆଉ କିଏ ଷ୍ଟେସନାରୀ ଓ ପରିବହନ ବ୍ୟବସାୟୀ । ପୁଣି କିଏ ଲଜିଂ ଓ ରେସ୍ତୋରାଁ ବ୍ୟବସାୟରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । ସମସ୍ତେ ଭିନ୍ନ ଭିନ୍ନ ପେଷାରୁ ଆସିଥିଲେ ବି ନିଶା ସେମାନଙ୍କର ଶବ ସତ୍କାର । ଆଜକୁ ୧୫ ବର୍ଷରୁ ଅଧିକ ସମୟ ହେବ ଜିଲ୍ଲାର କୌଣସି ସ୍ଥାନରେ ନିରାଶ୍ରିତଙ୍କ ଶବ ଦେଖିଲେ ସେମାନେ ସତ୍କାର କରିବାକୁ ଆଗେଇ ଆସନ୍ତି । ହେଲେ କରୋନା ଯୋଗୁ ଏବେ ଏହି ନିଶା କର୍ତବ୍ୟ ଓ ଦାୟିତ୍ୱରେ ପରିଣତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ କୌଣସି କରୋନା ରୋଗୀର ମୃତ୍ୟୁ ହେଲେ ଖୋଜା ପଡୁଛନ୍ତି ଏହି ଚାରି ବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡା, ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ, କମଲେଶ ନଥାନୀ । ଘରୋଇ ସଙ୍ଗରୋଧରେ କରୋନା ରୋଗୀର ମୃତ୍ୟୁ ହେଉ କି ଡାକ୍ତରଖାନାରେ କରୋନା ମୃତକ, ଶବ ସତ୍କାର କରିଛନ୍ତି ଏହି ୪ ସାଙ୍ଗ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଏମାନେ କେବେ କରୋନା ଯୋଦ୍ଧା ଟ୍ୟାଗ୍ର ଆବଶ୍ୟକତା ଲୋଡ଼ି ନାହାନ୍ତି କି ଜିଲ୍ଲା ପ୍ରଶାସନଠାରୁ ଆର୍ଥିକ ସହାୟତା ଦରକାର କରିନାହାନ୍ତି । ଇତିମଧ୍ୟରେ ୪ ବନ୍ଧୁ ୩୦୦ରୁ ଅଧିକ କରୋନା ମୃତକଙ୍କ ସତ୍କାର କରି ସାରିଲେଣି । କେବଳ ସେତିକି ନୁହେଁ କରୋନା ରୋଗୀଙ୍କ ଶବ ସତ୍କାର ପରେ ପାଉଁଶକୁ ବି ଉପଯୁକ୍ତ ସମ୍ମାନ ଦେଇ ଏହାକୁ କଳସରେ ସଂଗ୍ରହ କରି ରଖି ଧୂପ ଦେଉଛନ୍ତି ।
ଏ ବାବଦରେ ସିଦ୍ଧାନ୍ତ କୁମାର ପଣ୍ଡା କୁହନ୍ତି, ୨୦୨୦ କରୋନା ଆରମ୍ଭରୁ ହିଁ ଆମେ ୪ ବନ୍ଧୁ ଏହି କାମରେ ଅଛୁ । ପ୍ରଥମ ଲହର ବେଳେ ୭୮ ଜଣଙ୍କ ସତ୍କାର କରିଥିଲାବେଳେ ଏବେ ୨୪୦ରୁ ଅଧିକ ମୃତକଙ୍କ ସତ୍କାର କରି ସାରିଲୁଣି । ଏଥିପାଇଁ ଆମେ ଜିଲ୍ଲାପ୍ରଶାସନଠାରୁ ଟଙ୍କା ଟିିଏ ବି ଆର୍ଥିକ ସହାୟତା ନେଉନୁ । ଏହା କେବଳ ଆମର ସେବା ନୁହେଁ, କର୍ତବ୍ୟ ମଧ୍ୟ । ପ୍ରତିଦିନ ସକାଳ ୮ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହି କାମ ଚାଲେ । ଏବେ ଲକ୍ଡାଉନ୍ ଥିବାରୁ ଆମକୁ ଅଧିକ ସମୟ ମିଳୁଛି । ସକାଳୁ ଆସି ଜୁଇ ସଜାଡ଼ିବାଠାରୁ ପାଉଁଶ ସଂଗ୍ରହ, ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ଯାଇ ହାଡ଼, ପାଉଁଶକୁ କଳସରେ ରଖିବା, ନାମ, ଠିକଣା, ଫୋନ୍ ନମ୍ବର ଲେଖିବା, ମୃତକଙ୍କ ପଞ୍ଜିକରଣ କରିବା , ସଙ୍ଗରୋଧରେ ରହି ମୃତ୍ୟୁ ହେଉଥିବା ଶବକୁ ଉଦ୍ଧାର କରିବା ଭଳି ଯାବତୀୟ କାମ କରୁଛୁ । ୭୦ରୁ ଅଧିକ ମୃତକଙ୍କୁ ନିଜେ ମୁଖାଗ୍ନି ମଧ୍ୟ ଦେଲୁଣି । ଏବେ ବି ୪୦ରୁ ଅଧିକ ଶବର ଅସ୍ଥିକୁ ତାଙ୍କ ପରିବାର ଲୋକେ ନେଇ ନାହାନ୍ତି । ଜିଲ୍ଲା ପ୍ରଶାସନର ଅନୁମତିରେ ଏସବୁକୁ ଆମେ ଜୁନ୍ ୨ରେ ଆହ୍ଲାବାଦ ଯାଇ ସାମୂହିକ ବିସର୍ଜନ କରିବାକୁ ଚିନ୍ତା କରିଛୁ । ଜିଲ୍ଲା ମୁଖ୍ୟାଳୟକୁ ଛାଡ଼ି ଆମେ ୧୦୦ କିଲୋମିଟର ପରିଧି ଭିତରେ ଯଦି କରୋନା ମୃତକଙ୍କ ସୂଚନା ପାଉଛୁ, ତେବେ ସେଠାରେ ଯାଇ ମଧ୍ୟ ଶବ ସତ୍କାର କରୁଛୁ । ହିନ୍ଦୁ ରୀତିନୀତି ହିସାବରେ ମୃତକଙ୍କ ସତ୍କାରରେ ସାମିଲ ହେଲେ ଯେଉଁ ସବୁ ନୀତି ନିୟମ ମାନିବାକୁ ପଡେ ସେ ସବୁ ବି ମାନୁଛୁ ।
ଏ ସବୁ ଭିତରେ ଏପ୍ରିଲ ୧୪ ତାରିଖରୁ ଅଦ୍ୟାବଧି ନିଜ ପରିବାରଠାରୁ ଦୂରେଇ ରହିଛନ୍ତି ୪ ବନ୍ଧୁ । ପିପିଇ କିଟ୍ ପିନ୍ଧି ପ୍ରତିଦିନ କରୋନା ଶବ ସତ୍କାର କରୁଥିବା ବେଳେ ସଂକ୍ରମଣ ଭୟରେ ଏମାନେ ପରିବାରକୁ ଯାଉନାହାନ୍ତି । ସଙ୍ଗରୋଧ ହୋଇ ନିଜେ ବାହାରେ ରହି ପ୍ରଶାସନକୁ ଏଭଳି ବିପତିରେ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏସବୁକୁ ଛାଡ଼ିଦେଲେ ସେମାନେ ଲୋକଙ୍କୁ ମାଗଣାରେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଯୋଗାଉଛନ୍ତି ।