ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ପ୍ରାୟ ସମସ୍ତେ କିଛି ବର୍ଷର ଅନ୍ତରାଳରେ ପୁରୁଣା ସ୍ଥାନ ଛାଡି ଭଲ ବିକଳ୍ପ ସନ୍ଧାନରେ ନୂତନ କର୍ମସଂସ୍ଥାନରେ ଯୋଗ ଦେଇଥାନ୍ତି । ଏହା କିଛି ଖରାପ କଥା ନୁହେଁ । କିନ୍ତୁ ଅନେକ ଚାକିରି ବଦଳାଇବା ସହିତ ପୁରୁଣା ସଂସ୍ଥାରେ ପିଏଫ୍ ଭାବେ ଯେତିକି ଟଙ୍କା କଟିଥାଏ ତାକୁ ଉଠାଇ ନିଅନ୍ତି । କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଏହା ଠିକ୍ ନୁହେଁ । ଆସନ୍ତୁ ଜାଣିବା କ’ଣ ପାଇଁ ଏହା ଭୂଲ ଓ ଆପଣଙ୍କ ପକ୍ଷରେ କ’ଣ କରିବା ବୁଦ୍ଧିମାନର କାମ ହେବ ।
ପ୍ରଶ୍ନ ହେଉଛି ଯେ, ପୁରୁଣା ଚାକିରି ଛାଡିବା ପରେ ପିଏଫ୍ ଟଙ୍କା ଉଠାଇବା ଠିକ୍ କି ? ବିଶେଷଜ୍ଞଙ୍କ ଅନୁସାରେ ଏମିତି ତରବରିଆ ଭାବେ ଟଙ୍କା ଉଠାଇବା ନିଷ୍ପତ୍ତି ଭୁଲ । ଏମିତି କରିବା ଦ୍ୱାରା ପିଏଫ୍ ଧାରକ ଭବିଷ୍ୟତର ଲାଭରୁ ବଂଚିତ ହେବେ ବୋଲି କୁହନ୍ତି ବିଶେଷଜ୍ଞ ।
ଆପଣ ମଧ୍ୟ ନିଜେ ଯଦି ହିସାବ କରିବେ ତେବେ ପାଇବେ ଯେ, ଚାକିରି ବଦଳାଇବା ସହିତ ପିଏଫ୍ ଟଙ୍କା ଉଠାଇବା ଦ୍ୱାରା ଆପଣ ଭବିଷ୍ୟତରେ ଯେଉଁ ସୁଧ ପାଇବାର ଥିଲା ତାହା ହରାଇବେ । ତେଣୁ ବୁଦ୍ଧିମାନର କାମ ହେବ ଆପଣ ପିଏଫ୍ ଟଙ୍କା ନଉଠାଇ ନୂଆ ଆକାଉଣ୍ଟକୁ ତାକୁ ଟ୍ରାନ୍ସଫର କରିବା ।
କ୍ଷତି କ’ଣ ?
ପିଏଫ୍ ଆକାଉଣ୍ଟକୁ ୫ ବର୍ଷ ପୁରିବା ଆଗରୁ ଟଙ୍କା ଉଠାଇଲେ ଆପଣଙ୍କୁ ଟ୍ୟାକ୍ସ ବେନିଫିଟ୍ ହରାଇବାକୁ ପଡିବ । ଆୟକର ଧାରା ୮୦-ସି ଅନ୍ତର୍ଗତରେ ଇପିଏଫ୍ ଡିପୋଜିଟ୍ ଉପରେ ଆୟକର ରିହାତି ମିଳିଥାଏ । ତେବେ ଏଥିପାଇଁ ଆପଣଙ୍କୁ ଅତିକମରେ ୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଡିପୋଜିଟ୍ ଜାରି ରଖିବାକୁ ପଡିବ । ଯଦି ୫ ବର୍ଷ ପୂର୍ବରୁ ଟଙ୍କା ଉଠାଇ ନିଅନ୍ତି ତେବେ କୌଣସି ପ୍ରକାରର କର ରିହାତି ମିଳିବ ନାହିଁ । ଅନ୍ୟପକ୍ଷରେ ଯଦି ପିଏଫ୍ ଆକାଉଣ୍ଟରେ ଥିବା ଟଙ୍କାକୁ ନୂଆ ପିଏଫ୍ ଖାତାକୁ ଟ୍ରାନ୍ସଫର କରନ୍ତି ତେବେ କର ରିହାତିର ଲାଭ ଉଠାଇ ପାରିବେ ।
EPFO ନିୟମ ଅନୁସାରେ ଯଦି EPS ସଭ୍ୟ ୧୦ ବର୍ଷ ପାଇଁ ନିଜ ଯୋଗଦାନ ଜାରି ରଖନ୍ତି ତେବେ ୫୮ ବର୍ଷ ପରେ ତାଙ୍କୁ ପେନସନ୍ ମିଳିବ । ଯଦି କୌଣସି କର୍ମଚାରୀ ୫୮ ବର୍ଷ ପୂର୍ବରୁ ଅବସର ନିଅନ୍ତି ଓ ସେ ୧୦ ବର୍ଷ ପର୍ଯ୍ୟନ୍ତ ଇପିଏଫରେ ନିଜ ଯୋଗଦାନ କରିଥାନ୍ତି ତେବେ ତାଙ୍କୁ ମଧ୍ୟ ପେନସନ୍ ମିଳିବ ।
EPFO ସଭ୍ୟଙ୍କ ପେନସନ୍ ହିସାବ ଏମିତି ହୁଏ
–> ମାସିକ ପେନସନ୍ = ଦରମାରେ ପେନସନ ଭାଗ * ମୋଟ ଚାକିରି ବର୍ଷ / 70
ଯେଉଁମାନେ ନଭେମ୍ବର ୧୬ ତାରିଖ ୧୯୯୫ ପରେ ଚାକିରି କରିଛନ୍ତି ସେମାନଙ୍କ ପାଇଁ ପେନସନଯୋଗ୍ୟ ଦରମା ଇପିଏସ୍ ଯୋଗଦାନ ବନ୍ଦ କରିବାର ୬୦ ମାସ ବା ୫ ବର୍ଷ ପୂର୍ବର ହାରାହାରି ହେବ । ବର୍ତ୍ତମାନ ସର୍ବାଧିକ ପେନସନ ଯୋଗ୍ୟ ଦରମା ହେଉଛି ୧୫ ହଜାର ଟଙ୍କା ।