କରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ପ୍ରିୟଜନଙ୍କୁ ହରାଇବାର କଷ୍ଟକୁ ବି ବଳିଯାଉଛି ଶବକୁ ଶେଷ ବିଦାୟ ନ ଦେଇ ପାରିବା । ଧର୍ମ ଓ ଶାସ୍ତ୍ରାନୁମୋଦିତ ଏହି ଶେଷ ଅର୍ଘ୍ୟକୁ ଠିକ୍ ଭାବେ ଅନୁପାଳନ ନ କରିପାରି ଏବେ ଶହ ଶହ ଲୋକ ମାନସିକ ଚିନ୍ତାରେ ଥିବା ବେଳେ ଶବର ଶେଷ ସାଥୀ ହେବାକୁ ସହଯୋଗର ହାତ ବଢ଼ାଇଛନ୍ତି କିନ୍ନର ଚିନ୍ମୟୀ । ପୁରା ନାମ ଚିନ୍ନୟୀ ଦାସ । ଅନୁଗୁଳ ଜିଲ୍ଲାର ଜରପଡ଼ା ଅଂଚଳରେ ଏକ ଲେଡିଜ୍ କର୍ଣ୍ଣର କରିଥିବା ଚିନ୍ମୟୀ କିନ୍ତୁ ଏଭଳି ବଦାନ୍ୟତା ପାଇଁ କାହାଠାରୁ ସାହାଯ୍ୟ ନିଅନ୍ତି ନାହିଁ, ବରଂ ଆତ୍ମସନ୍ତୋଷ ପାଇଁ ଏ ସବୁ ପ୍ରବୃତିକୁ ଆପଣେଇଥିବା କହନ୍ତି ।
ସ୍ଥାନୀୟ ଅଂଚଳର ଗରିବ, ଦୁଃଖି, ବେସାହାରାଙ୍କୁ ସାହାରା ଦେବା ସହ ସେମାନଙ୍କ ବିପଦରେ ଛିଡ଼ା ହେବା ପାଇଁ ଚିନ୍ମୟୀ ଏଭଳି ସେବା ରାସ୍ତାରେ ପାଦ ଥାପିଛନ୍ତି । ଦିନେ ସମାଜ ଆଖିରେ ଅବହେଳିତ ଓ ଘୃଣ୍ୟ ପାଲଟିଥିବା କିନ୍ନର ଚିନ୍ନୟୀ ଏବେ କରୋନା ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଦେବଦୂତ ସଦୃଶ୍ୟ । ଯାହାକି ତାଙ୍କୁ ଅନ୍ୟମାନଙ୍କ ଆଗରେ କେବଳ ପ୍ରଶଂସିତ କରିନି, ଏଥିପାଇଁ ତାଙ୍କ ମର୍ଯ୍ୟାଦା ବି ବଢ଼ାଇଛି । ବୃତିରେ ଯଦିଓ ସେ କୌଣସି ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ, ଏଏନ୍ଏମ୍ ନୁହଁନ୍ତି ତଥାପି ତାଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ତାଙ୍କୁ ଅନ୍ୟ ତୁଳନାରେ ସ୍ୱତନ୍ତ୍ର କରିପାରିଛି । ନିଜର ନିଚ୍ଛକ ସେବା ମନୋଭାବ ଯୋଗୁଁ ଚିନ୍ନୟୀ ଇତିମଧ୍ୟରେ ୨୦ରୁ ଅଧିକ ଶବର ସତ୍କାର କରିସାରିଛନ୍ତି ।
କେବଳ ଶବ ଦାହ ନୁହେଁ, ଜିଲ୍ଲାକୁ ଆସୁଥବା କରୋନା ପଜିଟିଭ୍ ରୋଗୀଙ୍କୁ କିପରି ସବୁ ପ୍ରକାର ସୁବିଧା ସହଜରେ ମିଳିପାରିବ ସେଥିପାଇଁ ସେ ଡାକ୍ତରୀ ବ୍ୟବସ୍ଥା ମଧ୍ୟ କରାଇ ଦେଉଛନ୍ତି । ରୋଗୀଙ୍କ ପାଇଁ ଅମ୍ଳଜାନ ସଂଗ୍ରହ କରିବା କଥା ହେଉ, କି କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ବନ୍ଦୋବସ୍ତ କରିବା ଅବା ଧାଡ଼ିରେ ଛିଡ଼ାହୋଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା କଥା । ସବୁଥିରେ ସବୁ କଥାରେ ଖୋଜା ପଡ଼ନ୍ତି ଚିନ୍ମୟୀ । ଏସବୁକୁ ଛାଡ଼ିଦେଲେ ବସ୍ଷ୍ଟାଣ୍ଡ, ଷ୍ଟେସନ୍, ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଇ ସେ କରୋନା ସଚେତନତାର ପାଠ ପଢ଼ାଉଛନ୍ତି । ଗାଁ ଲୋକ କିପରି କରୋନା ଭଳି ଜଟିଳ ଶବ୍ଦ ସହ ଅବଗତ ହୋଇପାରିବେ, ଏହାର ପ୍ରତିଷେଧକ ପାଇଁ ବିଭିନ୍ନ ପନ୍ଥା ଗ୍ରହଣ କରିବେ, ସେଥିପାଇଁ ସେ ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ ବି କରୁଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ଭଳି ପ୍ରତିଦିନ ଘରକୁ ଘର ବୁଲି ସେ ଲୋକଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି । ଆବଶ୍ୟକସ୍ଥଳେ ଔଷଧ ଯୋଗାଇବା ଓ ଲୋକଙ୍କୁ ମାନସିକ ସ୍ତରରେ ସହାନୁଭୂତି ଯୋଗାଇବା କାମ ବି କରୁଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଦାୟିତ୍ୱରେ ଥିବା ଅଂଚଳରେ କରୋନା ସଚେତନତା ଦାୟିତ୍ୱ ମୁଣ୍ଡାଇବାବେଳେ ଚିନ୍ମୟୀ ଜିଲ୍ଲା ଯାକ ବିଭିନ୍ନ ସ୍ଥାନରେ ଏହି କାମକୁ ତ୍ୱରାନ୍ୱିତ କରୁଛନ୍ତି । ଜିଲ୍ଲାର ଯେକୌଣସି ସ୍ଥାନରୁ କରୋନା ରୋଗୀଙ୍କୁ ଡାକ୍ତରଖାନା ନେବା ଖବର ଆସେ ସେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ପହଂଚିଯାଆନ୍ତି ।
ଚିନ୍ମୟୀଙ୍କ ପ୍ରକୃତ ନାମ ହେଲା ଗଗନ ବିହାରୀ ଦାସ । ୧୯୮୪ ମସିହାରେ ଜଗତ୍ସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋଷେଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଗଗନ । ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଗଗନ ପିଲାବେଳୁ କିନ୍ନର ଥିବାରୁ ଗାଁରେ ଓ ସାହିପଡ଼ିଶାରେ ଟାହି ଟାପରା ସହିଛନ୍ତି । ଚାରି ଭାଇଭଉଣୀ ଓ ବାପା, ମା’ଙ୍କୁ ନେଇ ଗଗନଙ୍କ ପରିବାର । ଦାରିଦ୍ର୍ୟ କଷାଘାତରେ ପୀଡ଼ିତ ହୋଇ ଗଗନ ମାମୁଁଘର ଇରିକୁଣ୍ଡଳକୁ ଯାଇ ପିଲାବେଳେ କାଟିଥିଲେ । ଗରିବ ଗୋପାଳ ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳେ ଗାଁ ମଇଁଷି ଚରାଇ ପରିବାରର ବୋଝ ମୁଣ୍ଡାଇଥିଲେ । ପିଲାବେଳୁ ମାଇଚିଆ ସ୍ୱଭାବର ହୋଇଥିବାରୁ ତାଙ୍କ ସହ କେହି ସାଙ୍ଗ ହେଉ ନ ଥିଲେ । ନିଜକୁ ଅଶୁଭ ମନେକରି ଗଗନ ନିଜେ ସମସ୍ତଙ୍କଠାରୁ ଦୂରେଇ ରହି ଏକଲା ଜୀବନ ବିତାଇଥିଲେ । ମାତ୍ର ପରିବର୍ତୀ ସମୟରେ ସେ ନିଜ ରୋଜଗାର ପନ୍ଥା ଆପଣେଇବାକୁ ଯାଇ ନିଜ ନାମ ପରିବର୍ତନ କରି ଚିନ୍ମୟୀ ରଖିଥିଲେ ।
ଚିନ୍ମୟୀ କହନ୍ତି ଏବେ କରୋନା ସମୟ । ତେଣୁ ବିପଦରେ ଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ସେବାର ମୂଲ୍ୟ । ମୁଁ ନିଜେ ଶୃଙ୍ଖଳିତ ଭାବେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଛି । ଏବେ ସେବାର ପ୍ରକୃତ ମୂଲ୍ୟ ଦେବାର ସମୟ ଆସିଛି ବୋଲି କହନ୍ତି ଚିନ୍ମୟୀ ।