ଚାଲବାଜ୍ ଚୀନ୍ କାହାର ନୁହେଁ । ମିତ୍ରତା ଆଢୁଆଳରେ ଶତ୍ରୁତା କରିବା ଡ୍ରାଗନର ଡିଏନଏରେ ରହିଛି । ଯାହାକୁ ନଗଦ ଅନୁଭବ କରିଛି ଋଷ । ଆମେରିକା ବିରୋଧରେ ଋଷ ସହିତ ଛିଡ଼ା ହେଉଥିବା ଚୀନ୍ ଏବେ ଏମିତି କିଛି କରିଛି ଯାହା ଋଷକୁ ମଧ୍ଯ ଚକିତ କରିଛି । ପଡୋଷୀ ଦେଶଙ୍କ ଜମି ଉପରେ ନିଜ ଦାବି ରଖୁଥିବା ଚୀନ୍ ଏବେ ଋଷର ଏକ ଦ୍ୱୀପକୁ ତା’ର ବୋଲି ଦାବି କରିଛି । ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଚୀନ୍ ଅଗଷ୍ଟ ୨୬ ତାରିଖେ ନିଜର ନୂଆ ରାଜନୈତିକ ନକ୍ସା ଜାରି କରିଥିଲା । ସେହି ନକ୍ସାରେ ଚୀନ୍ କେବଳ ଭାରତର ଅରୁଣାଚଳ ପ୍ରଦେଶ ଉପରେ ଦାବି ରଖିନଥିଲା । ଏହା ମଧ୍ଯ ଋଷର ବୋଲ୍ସୋଇ ଉସୁରିସ୍କି ଦ୍ୱୀପକୁ ନିଜର ବୋଲି ଦାବି କରିଛି ।
ପଡୋଷୀ ଦେଶଙ୍କ ଭୂଭାଗ ଉପରେ ଚୀନ ନଜର
ଚୀନର ବିସ୍ତାରବାଦୀ ଚିନ୍ତାଧାରା ତାକୁ ପଡୋଷୀଙ୍କ ସହିତ ଭଲ ସମ୍ପର୍କ ରକ୍ଷା କରିବାରୁ ବିରତ କରୁଛି । ଭାରତର ଲଦ୍ଦାଖ,ଆକାସୀ ଚୀନ୍ ଓ ଅରୁଣାଚଳ ପ୍ରଦେଶ ଉପରେ ଚୀନ୍ ନିଜ ହକ୍ ଦାବି କରେ । ସେହିଭଳି ଏହାର ତାଇୱାନା,ଜାପାନ,ଫିଲିପାଇନ୍ସ,ଇଣ୍ଡୋନେସିଆ ଓ ମାଲେସିଆ ସହିତ ମଧ୍ଯ ସୀମା ବିବାଦ ରହିଛି । ଚୀନ୍ ତାଇୱାନ୍ ସହିତ ଦକ୍ଷୀଣ ଚୀନ ସାଗର ଉପରେ ନିଜ ଦାବି କରି ଆସୁଛି । ଦକ୍ଷୀଣ ଚୀନ୍ ସାଗର ଉପରେ ନିଜ ଅଧିକାର ଦାବି କରିବାରୁ ବେଜିଂର ଜାପାନ,ଅଷ୍ଟ୍ରେଲିଆ,ମାଲେସିଆ,ଇଣ୍ଡୋନେସିଆ ଓ ଭିଏତନାମ ଭଳି ଦେଶଙ୍କ ସହିତ ବିବାଦ ରହିଛି । ଏହି ସବୁ ଦେଶ ଚୀନ୍ ବିରୋଧରେ ଏକାଠି ହେବା ଆରମ୍ଭ କଲେଣି । କାରଣ ଚୀନ୍ ଦକ୍ଷୀଣ ଚୀନ୍ ସାଗରରେ ଏକରକମ ଦାଦାଗିରୀ ଚଳାଇଛି ।
ଋଷର ଦ୍ୱୀପ ଉପରେ ଦାବି
ଋଷର ବୋଲ୍ସୋଇ ଉସୁରିସ୍କି ଦ୍ୱୀପ ଉପରେ ଚୀନ ଦାବି କରିଛି । ମ୍ଯାପରେ ଏହି ଦ୍ୱିପକୁ ନିଜର ବୋଲି ଚୀନ୍ ଦେଖାଇବା ପରେ ଋଷ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଋଷ ଚୀନର ଦାବିକୁ ପ୍ରତ୍ଯାଖାନ କରିଦେଇଛି । ସୂଚନାଯୋଗ୍ଯ ଯେ, ଏହି ଦ୍ୱୀପକୁ ନେଇ ବିବାଦ ଆଗରୁ ଥିଲା । ତେବେ ୨୦୦୫ ମସିହରେ ଉଭୟ ଦେଶ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ । ଚୁକ୍ତି ଅନୁସାରେ ଚୀନ୍ ଦ୍ୱୀପ ଉପରେ ଋଷ ସାର୍ବଭୌମତ୍ୱକୁ ସ୍ୱୀକାର କରିଥିଲା ।୨୦୦୮ ଭିତରେ ବିବାଦୀୟ ଦ୍ୱୀପର ବିଭାଜନ ସରିଥିଲା । ୩୫୦ କିମି ବିଶିଷ୍ଟ ଦ୍ୱୀପର ୧୭୦ କିମି ଅଂଚଳ ଓ ଆଖପାଖର କିଛି ଅଂଚଳ ଚୀନକୁ ମିଳିଥିଲା । ବାକି ଅଂଚଳ ଋଷ ନିଜ ପାଖରେ ରଖିଥିଲା । କିନ୍ତୁ ୧୫ ବର୍ଷ ପରେ ଡ୍ରାଗନ୍ ପୁଣିଥରେ ନିଜ ମନ ପରିବର୍ତ୍ତନ କରିଛି । ଯାହାକୁ ମସ୍କୋ ସହଜରେ ଗ୍ରହଣ କରିନାହିଁ । ଋଷ ପକ୍ଷରୁ କୁହାଯାଇଛି ଯେ, ୧୫ ବର୍ଷ ତଳେ ବିବାଦର ସମାଧାନ ହୋଇଥିଲା ଓ ଏହି ଦ୍ୱୀପ ଉପରେ ଋଷର ଅଧିକାରକୁ ଚୀନ୍ ସ୍ୱୀକାର କରିଥିଲା । ଏଭଳି ପ୍ରତିକ୍ରିୟା ଦେଇ ଋଷ ନିଜ ଅସନ୍ତୋଷ ପ୍ରକାଶ କରିଛି ।
ପରମାଣୁ ଯୁଦ୍ଧର ଧମକ ଦେଇଥିଲା ଋଷ
ଏହି ବିବାଦୀୟ ଦ୍ୱୀପକୁ ନେଇ ୧୯୬୯ରେ ସୋଭିଏତ ଋଷ ଓ ଚୀନ୍ ମଧ୍ଯରେ ଯୁଦ୍ଧ ମଧ୍ଯ ହୋଇଥିଲା । ଅମୁର ଓ ଉସରୀ ନଦୀ କୂଳରେ ଯୁଦ୍ଧ ହୋଇଥିଲା । ଏପରିକି ସୋଭିଏତ ଋଷ ସେତେବେଳେ ଚୀନ୍ ଉପରେ ପରମାଣୁ ଆକ୍ରମଣର ଧମକ ମଧ୍ଯ ଦେଇଥିଲା । ଏହି ଧମକକୁ ଡରି ଚୀନ୍ ଯୁଦ୍ଧରୁ ଓହରି ଯାଇଥିଲା । ତେବେ ବିବାଦ ସେହିଭଳି ଜାରି ରହିଥିଲା । ଶେଷରେ ଦୁଇ ଦେଶ ମଧ୍ଯରେ ୨୦୦୫ରେ ସନ୍ଧି ହୋଇଥିଲା । ବଦଳରେ ଋଷ ଚୀନକୁ ମଧ୍ଯ ଏସିଆର କିଛି ଦ୍ୱୀପ ଚୀନକୁ ଦେଇଥିଲା ।
ସମ୍ପର୍କରେ ଫାଟ !
ୟୁକ୍ରେନ ଯୁଦ୍ଧ ପରେ ଆମେରିକା ନେତୃତ୍ୱରେ ପୁରା ୟୁରୋପ ଋଷ ବିରୋଧରେ ଏକାଠି ହୋଇଥିଲା । ଏହି ସମୟରେ ଚୀନ୍ ଋଷକୁ ସମର୍ଥନ କରିଥିଲା । ଋଷକୁ ସମର୍ଥନ କରି ଆମେରିକା ପ୍ରଭାବକୁ ହ୍ରାସ କରିବା ଚୀନର ରଣନିତୀ ଥିଲା । ଏହାପରେ ଦୁଇ ଦେଶ ନିକଟତର ହୋଇଥିଲେ । ତେବେ ଏବେ ଏହି ନୂଆ ନକ୍ସା ଦୁଇ ଦେଶଙ୍କ ମଧ୍ଯରେ ଫାଟ ସୃଷ୍ଟି କରିଛି ବୋଲି କୁହାଯାଉଛି ।