ଚୀନ୍ ସୁପର ସୋଲଜର ବା ମହାମାନବ ସୈନିକ ତିଆରି କରୁଛି । ଏମିତି ସୈନିକ ଯେଉଁମାନେ ଅଖିଆ ଅପିଆ ଯୁଦ୍ଧ ଲଢି ପାରିବେ । ଡିଏନଏ ଏଡିଟିଂ କରି ଚୀନ୍ ଏଭଳି ସୈନିକ ସୃଷ୍ଟି କରୁଛି ବୋଲି ଆମେରିକା କହିଛି । ଫ୍ରାନ୍ସର ଦୁଇ ଜଣ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ କ୍ରିସପର ଟେକ୍ନୋଲୋଜିକୁ ବ୍ୟବହାର କରି ଚୀନ୍ ଏପରି କରୁଥିବା କୁହାଯାଉଛି ।
କ୍ରିସପର ଟେକ୍ନୋଲୋଜି
୨୦୧୨ ମସିହାରେ ଫ୍ରାନସର ଦୁଇଜଣ ମହିଳା ବୈଜ୍ଞାନିକ ଇମେନୁଏଲ ସାର୍ପେଚିଏ ଓ ଜେନିଫର ଡାନଡନା ମିଳିତ ଭାବେ କ୍ରିସପର ନାମକ ଟେକ୍ନୋଲୋଜି ଉଦ୍ଭାବନ କରିଥିଲେ । ଏହି କ୍ରିସପର ଟେକ୍ନୋଲୋଜି ଦ୍ୱାରା ଡିଏନଏ ଏଡିଟିଂ ବା ଗୁଣସୂତ୍ରରେ ପରିବର୍ତ୍ତନ କରି ମନମୁତାବକ ଶିଶୁ ଜନ୍ମ କରାଯାଇ ପାରିବ । ଏଭଳି ଶିଶୁ କେବେ ମଧ୍ୟ ବେମାର ପଡନ୍ତି ନାହିଁ । ସେମାନେ ଜନ୍ମରୁ ହିଁ ଏଚଆଇଭି ଭଳି ମାରାତ୍ମକ ସଂକ୍ରମଣରୁ ମୁକ୍ତ ରହିଥାନ୍ତି । ଆମେରିକାର ଦାବି ଯେ, ଚୀନ୍ ଏହି କ୍ରିସପର ଟେକ୍ନୋଲୋଜି ବ୍ୟବହାର କରି ଏଭଳି ସୁପର ସୋଲଜର ତିଆରି କରୁଛି ଯେଉଁମାନେ ଅଖିଆ ଅପିଆ ଓ ଅନିଦ୍ରା ରହି ମଧ୍ୟ ଯୁଦ୍ଧ ଲଢି ପାରିବେ ।
ଚୀନର ସୁପର ସୋଲଜର
ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ଅନୁସାରେ ୨୦୨୦ରୁ ଚୀନ୍ କ୍ରିସପର ଟେକ୍ନୋଲୋଜି ବ୍ୟବହାର କରି ସୁପର ସୋଲଜର ତିଆରି କରୁଛି । ଏଥିପାଇଁ ଚୀନ୍ ନିଜ ସୈନିକଙ୍କ ଡିଏନଏ ନମୂନା ସଂଗ୍ରହ କରିଛି । ସୈନିକଙ୍କ ଡିଏନଏରେ ପରିବର୍ତ୍ତନ କରି ଭୟଙ୍କର ସୁପରସୋଲଜର ତିଆରି କରିବା ଚୀନର ଲକ୍ଷ୍ଯ ।ଆମେରିକାର ଏହି ଦାବୀକୁ ଇଂଲଣ୍ଡ ମଧ୍ୟ ସମର୍ଥନ କରିଛି ।ଚୀନ୍ ବିଶ୍ୱଶକ୍ତି ବନିବାକୁ ପ୍ରକୃତିର ନିୟମକୁ ମଧ୍ୟ ବଦଳାଇବାକୁ ପ୍ରସ୍ତୁତ ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କହୁଛନ୍ତି । ବିଶେଷଜ୍ଞଙ୍କ କହିବା ହେଉଛି ଚୀନ୍ ସୁପରହିରୋ ଫିଲ୍ମର କ୍ୟାପ୍ଟେନ୍ ଆମେରିକା,ବ୍ଲଡ୍ ସଟ୍ ଓ ୟୁନିଭର୍ସାଲ ସୋଲଜର ଭଳି ସୈନିକ ତିଆରିର ଲକ୍ଷ୍ୟ ରଖିଛି । ଏଭଳି ସୈନିକ ରାତି ରାତି ଅନିଦ୍ରା ରହି ପାରିବେ । ସେମାନେ ଅନେକ ଦିନ ପର୍ଯ୍ୟନ୍ତ ଉପବାସ ରହି ମଧ୍ୟ ଯୁଦ୍ଧ ଲଢି଼ ପାରିବେ । କାରଣ ସୋନଙ୍କ ଡିଏନଏରେ ପରିବର୍ତ୍ତନ କରି ନିଦ ଓ ଭୋକ ଉପରେ ବିଜୟ ପ୍ରାପ୍ତି ହୋଇ ପାରିବ ।
ଡିଜାଇନର ବେବିରୁ ସୁପର ସୋଲଜର
ନଭେମ୍ବର ୨୦୧୮ରେ ଚୀନର ବୈଜ୍ଞାନିକ ହେ ଜିୟାଂକୁଇ କହିଥିଲେ ଯେ, ସେ ଦୁନିଆର ପ୍ରଥମ ଡିଜାଇନର ବେବି ତିଆରି କରିଛନ୍ତି । ଏଥିପାଇଁ ସେ ମୁଶା,ବିଲେଇ ଓ ମଣିଷ ଭ୍ରୁଣ ଉପରେ ଗବେଷଣା କରିଥିଲେ । ଏକ ମାନବ ଭ୍ରୁଣର ଡିଏନଏରେ ପରିବର୍ତ୍ତନ କରି ସେ ଏଭଳି ଦାବି କରିଥିଲେ । ଏହି ଗବେଷଣାରୁ ଜାଅଁଳା ଶିଶୁ ଲୁଲୁ ଓ ନାନା ଜନ୍ମ ହୋଇଥିଲେ । ଦୁଇ ଶିଶୁଙ୍କ ଡିଏନଏକୁ ଏଭଳି ପରିବର୍ତ୍ତନ କରାଯାଇଥିଲା ଯେ, ସେମାନେ ଜନ୍ମରୁ ହିଁ ଏଚଆଇଭି ସମେତ ଆହୁରି ଅନେକ ରୋଗରୁ ମୁକ୍ତ ଥିଲେ । ଆମେରିକୀୟ ଗୁଇନ୍ଦା ଏଜେନସିର ଦାବି ଯେ, ଡିଜାଇନର ବେବି ତିଆରି କରିବାର ମାତ୍ର ଦୁଇ ବର୍ଷ ପରେ ଚୀନ୍ ସୁପର ସୋଲଜର ତିଆରି କରିବାକୁ ସକ୍ଷମ ହୋଇଛି ।