ଶିଖ ଆତଙ୍କବାଦୀଙ୍କୁ କାନାଡା ଆଶ୍ରୟ ଦେଉଛି ବୋଲି ଭାରତ ଅଭିଯୋଗ କରୁଛି । କାନାଡା ଶିଖ ବିଛିନ୍ନତାବାଦୀଙ୍କ ଗଡ଼ ପାଲଟିଥିବା କାହାର ସନ୍ଦେହ ନାହିଁ । ଜଣେ ଶିଖ ଆତଙ୍କବାଦୀର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ଯରେ ଉତ୍ତେଜନା ଚରମରେ ଅଛି । ଭାରତ ଯେସାକୁ ତେସା ନୀତି ଆପଣାଇଥିବା ବେଳେ କାନାଡା ଏହି ମାମଲାରେ ଆମେରିକା,ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ସମର୍ଥନ ଭିକ୍ଷା କରିଛି । ତେବେ ଏଯାଏ ଏହି ତିନି ଦେଶ ପ୍ରକାଶ୍ଯ ଭାବେ କାନାଡା ସମର୍ଥନରେ ଓ ଭାରତ ବିରୋଧରେ କିଛି ମଧ୍ଯ କହି ନାହାନ୍ତି । ଏହା ଭିତରେ ଗୋଟିଏ ତଥ୍ଯ ସାମ୍ନାକୁ ଆସିଛି । ଏହି ତଥ୍ଯ କାନାଡାର ଦୋମୁହାଁ ନୀତି କଥା କହୁଛି । ତଥ୍ଯ ହେଉଛି ଯେ, କାନାଡା ସ୍ୱାଧିନ ଅଭିବ୍ଯକ୍ତି ଓ ଗଣତନ୍ତ୍ର କଥା କହୁଥିଲେ ବି ଏହା ଏଭଳି ଅପରାଧୀଙ୍କ ଶରଣସ୍ଥଳ ଯେଉଁମାନେ ଗଣତାନ୍ତ୍ରିକ ମୂଲ୍ଯବୋଧରେ ବିଶ୍ୱାସ କରନ୍ତି ନାହିଁ । କେବଳ ଶିଖ ଆତଙ୍କବାଦୀ ନୁହନ୍ତି କାନାଡା ଆଗରୁ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜବିର ରହମାନଙ୍କ ହତ୍ଯାକାରୀଙ୍କୁ ମଧ୍ଯ ଶରଣ ଦେଇଥିଲା । ତେଣୁ ଦେଖିବାକୁ ଗଲେ,କାନାଡା କେବଳ ଭାରତ ନୁହେଁ ବାଂଲାଦେଶ ବିରୋଧରେ ମଧ୍ଯ କାମ କରିଛି ।
କାନାଡାରେ ମୁଜବିର ରହମାନଙ୍କ ହତ୍ୟାକାରୀ
୧୯୭୫ ମସିହାରେ ବାଂଲାଦେଶ ପ୍ରତିଷ୍ଠାତା ଓ ରାଷ୍ଟ୍ରପତି ମୁଜିବୁର ରହମାନଙ୍କର ତାଙ୍କରି ବାସଭବନରେ ହତ୍ଯା ହୋଇଥିଲା । ମୁଜିବୁର ରହମାନଙ୍କ ସହିତ ତାଙ୍କ ପରିବାରର ବାକି ସଦସ୍ଯଙ୍କୁ ମଧ୍ଯ ହତ୍ଯା କରାଯାଇଥିଲା । କେବଳ ତାଙ୍କର ଜଣେ ମାତ୍ର ଝିଅ ଶେଖ ହାସିନା ବଂଚି ଯାଇଥିଲେ । ଯିଏ ବର୍ତ୍ତମାନ ବାଂଲାଦେଶର ରାଷ୍ଟ୍ରପତି । ମୁଜିବୁରଙ୍କ ହତ୍ଯାରେ ବାଂଲାଦେଶ ସେନାର କିଛି ଅଧିକାରୀ ସାମିଲ ଥିଲେ । ସେମାନଙ୍କ ମଧ୍ଯରେ ଜଣେ ଅଧିକାରି ନୁର ଚୌଧୁରୀ ଥିଲେ । ଏହି ନୁର ଚୌଧୁରୀଙ୍କୁ ପରବର୍ତ୍ତି ସମୟରେ ସାମରିକ ସରକାର ବିଭିନ୍ନ ରାଷ୍ଟ୍ରରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିଥିଲେ । ପରେ ନୁର ଚୌଧୁରୀ କାନାଡାରେ ଶରଣ ନେଇଥିଲେ ।
କାନାଡା ମନା କରିଦେଇଥିଲା
ତିନି ଦଶକ ଧରି ବାଂଲାଦେଶ ସରକାର ନୁର ଚୌଧୁରୀର ପ୍ରତ୍ଯାର୍ପଣ ପାଇଁ କାନାଡା ନିକଟରେ ଦାବି କରିଥିଲେ ମଧ୍ଯ କାନାଡା ନୁର ଚୌଧୁରୀକୁ ପ୍ରତ୍ୟାର୍ପିତ କରିବାକୁ ମନା କରିଦେଇଥିଲା । ସେହିଭଳି ଆମେରିକାରେ ମଧ୍ଯ ଜଣେ ହତ୍ଯାକାରୀ ଶରଣ ନେଇଥିଲେ ବି ଆମେରିକା ତାଙ୍କୁ ବାଂଲଦେଶକୁ ପ୍ରତ୍ୟାର୍ପିତ କରିନଥିଲା । ଦୁଇ ଦେଶଙ୍କ କହିବା ଥିଲା ଯେ, ଆଇନଗତ ପ୍ରକ୍ରିୟା କାରଣରୁ ସେମାନେ ଅଭିଯୁକ୍ତଙ୍କୁ ପ୍ରତ୍ୟାର୍ପିତ କରି ପାରିବେ ନାହିଁ । କାନାଡାର ବର୍ତ୍ତମାନ ଆଇନ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଉନଥିବାରୁ ନୁରକୁ ବାଂଲାଦେଶ ଅଣାଯାଇ ପାରୁନାହିଁ । ତେଣୁ ଗତବର୍ଷ ବାଂଲାଦେଶ ଓଟାଭାରେ ଏହାର ଅନ୍ୟ ବିକଳ୍ପ ବାହାର କରିବାକୁ କାନାଡାକୁ କହିଥିଲା । ତେବେ କାନାଡାର କହିବା ହେଉଛି ଯେଉଁଦେଶରେ ମୃତ୍ଯୁଦଣ୍ଡ ଆଇନ ଅଛି ସେଠାକୁ ଆମେ କାହାରିକୁ ପ୍ରତ୍ଯାର୍ପଣ କରିବୁ ନାହିଁ ।
ମୁଜିବଙ୍କ ଆଉ ଜଣେ ହତ୍ଯାକାରୀ
ନୁର ଚୌଧୁରୀଙ୍କ ଭଳି ଅନ୍ୟ ହତ୍ଯାକାରୀଙ୍କୁ ବାଂଲାଦେଶର ଅଦାଲତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ସେହିମାନଙ୍କ ମଧ୍ଯରୁ ଜଣେ ରାଶେଦ ଚୌଧୁରୀ ଓ ତା’ର ପରିବାର ୧୯୯୬ରୁ ଆମେରିକାରେ ରହି ଆସୁଛନ୍ତି । ତେବେ ଆମେରିକା ସେମାନଙ୍କୁ ପ୍ରତ୍ୟାର୍ପିତ କରୁନାହିଁ । ସୂଚନାଯୋଗ୍ଯ ଯେ,୨୦୧୦ରେ ମୁଜିବୁରଙ୍କ ହତ୍ୟାରେ ସାମିଲ ଥିବା ୧୨ ଜଣଙ୍କ ମଧ୍ଯରୁ ୫ ଜଣଙ୍କୁ ଫାସୀ ଦିଆଯାଇଥିଲା ।