୨୪ ବର୍ଷପରେ ଗାନ୍ଧି ପରିବାର ବାହାରର କୌଣସି ବ୍ୟକ୍ତି କଂଗ୍ରେସ ମଙ୍ଗ ଧରିଛନ୍ତି । ୨୪ ବର୍ଷ ତଳେ ସୀତାରାମ କେଶରୀ ବାଥରୁମରେ ବନ୍ଦ ହେବା ପରେ କଂଗ୍ରେସ ସଭାପତି ପଦ ଗାନ୍ଧି ପରିବାର ପାଖକୁ ଫେରିଥିଲା । ଏହାପରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ୟୁପିଏ ମେଣ୍ଟ ଜରିଆରେ କ୍ଷମତାରେ ରହିଥିଲା । କିନ୍ତୁ ୨୦୧୪ ପରଠାରୁ କ୍ଷମତା କଂଗ୍ରେସକୁ ମୁହଁ ମୋଡିବା ପରେ ରାହୁଲ ଦଳର ନେତୃତ୍ୱ ନେବାକୁ ଅନିଛା ପ୍ରକାଶ କରିଥିଲେ । ରାହୁଲ ଏବେ ଭାରତ ଯାତ୍ରାରେ ଥିବା ବେଳେ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୩୭ ବର୍ଷର ଦଳ ନିଜ ଅସ୍ଥ୍ତିତ୍ୱକୁ ମୋଦି ଯୁଗରେ ଖୋଜୁଥିବା ବେଳେ ପ୍ରଶ୍ନ ଉଠୁଛି ଯେ, ଖଡଗେଙ୍କ ପାଖରେ କ’ଣ ସେହି ଯାଦୁ ଅଛି ଯାହା କଂଗ୍ରେସର ସୁଦିନ ଫେରାଇ ଆଣିବ ? ମଲ୍ଲିକାର୍ଜୁନ କ’ଣ କଂଗ୍ରେସର ଅର୍ଜୁନ ହୋଇ ପାରିବେ ? ଅର୍ଜୁନଙ୍କ ଭଳି ସେ କ’ଣ ନିର୍ବାଚନୀ କୁରୁକ୍ଷେତ୍ରରେ କଂଗ୍ରେସର ବିଜୟରଥକୁ ଆଗକୁ ଅଗ୍ରସର କରାଇ ପାରିବେ ? ଏସବୁ ତ’ ଭବିଷ୍ୟତର କଥା କିନ୍ତୁ ଏବେ ମଲ୍ଲିକାର୍ଜୁନଙ୍କ ପାଖରେ ତାତ୍କାଳିକ ଦୁଇଟି ଚ୍ୟାଲେଂଜ୍ ରହିଛି ।
ପ୍ରଥମ ଅଗ୍ନିପରୀକ୍ଷା : ଦୁଇ ରାଜ୍ୟ ନିର୍ବାଚନ
ମଲ୍ଲିକାର୍ଜୁନଙ୍କ ଆଗରେ ପ୍ରଥମ ଚ୍ୟାଲେଂଜ୍ ହେଉଛି ଦୁଇଟି ରାଜ୍ୟରେ ନିର୍ବାଚନ । ଏହି ଦୁଇ ରାଜ୍ୟ ହେଉଛନ୍ତି ହିମାଚଳ ପ୍ରଦେଶ ଓ ଗୁଜୁରାଟ । ଗୁଜୁରାଟ ତ’ କଂଗ୍ରେସ ପାଇଁ ୧୯୯୫ ମସିହା ପରଠାରୁ ଅପହଂଚ ହୋଇଯାଇଛି । ବିଜେପିର ହିନ୍ଦୁତ୍ୱ ଲାବ୍ରୋଟରୀର ସମୀକରଣରେ କଂଗ୍ରେସ ରାସ୍ତା ହିଁ ପାଉନାହିଁ । ୨୦୦୭ରେ ଖୋଦ ସୋନିଆ ମୌତ୍ କା ସୌଦାଗର ଭଳି ଡାଇଲଗ ବ୍ୟବହାର କରି ମଧ୍ୟ ବିଜେପିକୁ କ୍ଷମତାରୁ ବେଦଖଲ କରିପାରିନଥିଲେ । ଏବେ କଂଗ୍ରେସ ପାଇଁ ଗୁଜୁରାଟରେ ଆପ୍ ଆଉ ଗୋଟିଏ ଚ୍ୟାଲେଂଜ୍ ହୋଇଯାଇଛି । ଆପ୍ ଯଦି କଂଗ୍ରେସ ଭୋଟକୁ ବିଭାଜିତ କରେ ତେବେ ବିଜେପି ପାଇଁ ବିଜୟପଥ ସହଜ ହେବ । ହିମାଚଳ ପ୍ରଦେଶରେ କଂଗ୍ରେସ ଭଲ ଫଳାଫଳର ଆଶା ରଖିଛି । ମୋଟାମୋଟି ଭାବେ ଏହି ଦୁଇ ରାଜ୍ୟର ନିର୍ବାଚନ ଖଡ଼ଗେଙ୍କ ପାଇଁ ବଡ଼ ଚ୍ୟାଲେଂଜ୍ ହେବ ।
ବିରୋଧୀ ମେଣ୍ଟ ଓ ଦଳ ଭିତରେ ଆହ୍ୱାନ
କଂଗ୍ରେସକୁ ନୂଆ ସଭାପତି ମିଳିଛି ସତ କିନ୍ତୁ ଖୋଦ ଖଡ଼ଗେଙ୍କ ସାମ୍ନାରେ ଦଳ ଭିତରେ ଓ ବିରୋଧୀ ମେଣ୍ଟରେ ଅନେକ ପ୍ରଶ୍ନ ଉଭା ହେବ । ଶଶି ଥରୁରଙ୍କ ଭଳି ନେତା ଖଡ଼ଗେଙ୍କ ଠାରୁ ହାରିଛନ୍ତି ସତ କିନ୍ତୁ ପରିବର୍ତ୍ତନର ଯେଉଁ କଥା ସେ ଉଠାଇଥିଲେ ଆଗକୁ ମଧ୍ୟ ଉଠାଇବେ । ଏହାସହ କଂଗ୍ରେସ ଭିତରେ ଏବେ ମଧ୍ୟ ଜି-୨୪ ଗ୍ରୁପର କିଛି ସଦସ୍ୟ ଅଛନ୍ତି । ସେମାନେ ବି ଆଗକୁ ଖଡଗେଙ୍କ ଆଗରେ ସେହି ସମାନ ପରିବର୍ତ୍ତନ କଥା ଉଠାଇ ପାରନ୍ତି । ଖଡଗେ କଂଗ୍ରେସର ପ୍ରଥମ ପରିବାରର ପ୍ରଥମ ପସନ୍ଦ କିନ୍ତୁ ତାଙ୍କୁ ବାକି ନେତା ଯେ, ଆଖିବୁଜି ମାନିନେବେ ତାହା ଭାବିବା ଠିକ ନୁହେଁ । ସେହିଭଳି ବିଜେପି ବିରୋଧୀ ମେଣ୍ଟରେ ମଧ୍ୟ କଂଗ୍ରେସର ଭୂମିକାକୁ ନେଇ ତାଙ୍କୁ ଆଂଚଳିକ ଶକ୍ତିକେନ୍ଦ୍ର ଗୁଡିଙ୍କୁ ଯବାବ ଦେବାକୁ ପଡ଼ିବ ।
ରାହୁଲଙ୍କ ପାଇଁ ତିଆରି କରିବାକୁ ହେବ ରାସ୍ତା
ଏହା କାହାରିକି ଅଛପା ନୁହେଁ ଯେ, ଗାନ୍ଧି ପରିବାର ଖଡ଼ଗେଙ୍କ ଦ୍ୱାରା ଦଳ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଛି । ଖଡ଼ଗେ କେବଳ ଛାୟା ସଭାପତି ହେବେ । ପ୍ରକୃତ କ୍ଷମତା କେନ୍ଦ୍ର ଗାନ୍ଧି ପରିବାର ରହିବ । ଖଡଗେଙ୍କୁ ଗାନ୍ଧି ପରିବାର ଓ ଦଳ ମଧ୍ୟରେ ତାଳମେଳ ରଖିବାକୁ ପଡିବ । କାରଣ ଆଗରୁ ଦେଖିବାକୁ ମିଳିଛି ଯେ, ଯେତେବେଳେ ବି ପରିବାର ବାହାର କୌଣସି ବ୍ୟକ୍ତି କଂଗ୍ରେସ ସଭାପତି ହୋଇଛନ୍ତି ସେତେବେଳେ ଗାନ୍ଧିପରିବାର ସହିତ ସେମାନଙ୍କ ସଂପର୍କ ଖରାପ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ସୀତାରାମ କେଶରୀଙ୍କ କ୍ଷେତ୍ରରେ ଏହା ହୋଇଥିଲା । ଏବେ ଖଡଗେଙ୍କୁ ଗାନ୍ଧି ପରିବାରର ଗୁଡବୁକରେ ରହିବା ସହିତ ରାହୁଲଙ୍କ ପାଇଁ ରାଜନୈତିକ ପଥ ପରିସ୍କାର କରିବାକୁ ପଡିବ । ଭାରତ ଯୋଡ଼ୋ ଯାତ୍ରା ପାଇଁ ରାହୁଲଙ୍କ ଛବି ମଜବୁତ ହୋଇଛି । ୨୦୨୪ ନିର୍ବାଚନକୁ ଆଉ ବେଶି ଦିନ ନାହିଁ । ଏମିତିରେ ଖଡ଼ଗେଙ୍କୁ ସେହି ଗତିଶିଳତା ବଜାୟ ରଖିବା ପାଇଁ ବହୁତ କରିଛି କରିବାକୁ ପଡି଼ବ । ଯେମିତି ରାହୁଲ ଏକ ଶକ୍ତି ଭାବେ ଉଭା ହେବେ ।
ଦଳ ଭିତେର ଆତ୍ମ ବିଶ୍ୱାସ ସୃଷ୍ଟିର ଚ୍ୟାଲେଂଜ୍
୨୦୧୪ ଓ ୨୦୧୯ର ବିରାଟ ପରାଜୟ ପରେ କଂଗ୍ରେସର ନେତା ଓ କର୍ମୀଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଘୋର ଅଭାବ ରହିଛି । ବିଜେପିର ନିର୍ବାଚନୀ ମେସିନାରୀ ଓ ମୋଦି ଶାହଙ୍କ ରଣନୀତି ଆଗରେ ସେମାନେ ଅସହାୟ ଅନୁଭବ କରୁଛନ୍ତି । ଏମିତିରେ ଖଡ଼ଗେଙ୍କ ପାଇଁ ଦଳ ଭିତରେ ନୂଆ ପ୍ରାଣ ସଂଚାର କରିବା ଏକ ବଡ଼ ଚ୍ୟାଲେଂଜ୍ ହେବ ।