ଜନ୍ମ ସହିତ ଆରମ୍ଭ ହୁଏ ମୃତ୍ୟୁର ଯାତ୍ରା । ମୃତ୍ୟୁ ହେଉଛି ମହାପ୍ରସ୍ଥାନ । ମୃତ୍ୟୁ ଉପରେ ବିଜୟର ଇଛା ସହସ୍ର ସହସ୍ର ବର୍ଷ ପୁରୁଣା । ଅମରତ୍ୱ ନହେଲେ ବି ମୃତ୍ୟୁର ସଠିକ ସମୟ ଜାଣିବା ପାଇଁ ବି ମାନବ ମନ ବ୍ୟାକୁଳିତ ହୁଏ । କିନ୍ତୁ ଏହା କେହି ମଧ୍ୟ କହିପାରିବେ ନାହିଁ । କାରଣ ଜନ୍ମର ସମୟ କୁହାଯାଇପାରେ କିନ୍ତୁ ମୃତ୍ୟୁର କାରକ ଅନେକ । ଯେତେବେଳେ କାରକ ଅନେକ ହୁଅନ୍ତି ସେତେବେଳ ସମୟର ଭବିଷ୍ୟତବାଣୀ ଅସମ୍ଭବ ହୋଇ ପଡେ । ଏମିତିରେ ଯଦି କେହି କୁହେ ଯେ, ସେ କାହାରି ମଧ୍ୟ ମୃତ୍ୟୁର ତାରିଖ କହି ଦେଇ ପାରିବେ ତେବେ କ’ଣ ହେବ ? ହୁଏତ ଏଭଳି ଦମ୍ଭୋକ୍ତି ବାଢୁଥିବା ବ୍ୟକ୍ତିଙ୍କୁ ଭଣ୍ଡ କିମ୍ବା ପାଗଳ ବୋଲି କୁହାଯିବ । କିନ୍ତୁ ବ୍ୟକ୍ତିଙ୍କ ନାମ ପୂର୍ବରୁ ଯଦି ଡାକ୍ତର ଶବ୍ଦ ଯୋଡି ହୁଏ ତେବେ ?
ବ୍ରିଟେନ୍ ଡାକ୍ତରଙ୍କ ଆଶ୍ଚର୍ଯ୍ୟଜନକ ଦାବି
ଜଣେ ବ୍ରିଟିଶ ଡାକ୍ତରଙ୍କ ଅନୁସାରେ ଆପଣ ଖୋଦ ନିଜ ମୃତ୍ୟୁର ସମୟ ଆଗୁଆ ଜାଣିପାରିବେ । ଡାକ୍ତର ସିମସ କୋଏଲ ଆପଣଙ୍କୁ ଜଣାଇ ପାରିବେ ମୃତ୍ୟୁର ସମୟ । ଗତ କିଛି ବର୍ଷ ଧରି କ୍ୟାନସର ରୋଗୀଙ୍କ ଉପରେ ଗବେଷଣା କରି କିଛି ଏଭଳି ରିଷ୍କର୍ସ ବାହାର କରିଛନ୍ତି ବିଶେଷଜ୍ଞ । ସେ ଏଭଳି ଏକ ମଡେଲର ବିକାଶ କରିଛନ୍ତି ଯାହା ଜରିଆରେ କ୍ୟାନସର ରୋଗୀଙ୍କ ମୃତ୍ୟୁ ସମୟ ଜାଣିହେବ । ଏକ ରିପୋର୍ଟ ମୁତାବକ ବ୍ରିଟିଶର ୫୩ ବର୍ଷୀୟ ଡାକ୍ତର ସିମସ କୋଇଲ ଦୀର୍ଘ ବର୍ଷର ଅନୁସନ୍ଧାନ କରି ଏଭଳି ଏକ ମଡେଲର ବିକାଶ କରିଛନ୍ତି । ଯାହା ଜରିଆରେ କ୍ୟାନସର ରୋଗୀଙ୍କ ମୃତ୍ୟୁ ସମୟ ଜାଣିହେବ । ଯାହା ଦ୍ବାରା ସମ୍ପର୍କୀୟ ବି ଜାଣିପାରିବେ ନିଜ ପ୍ରିୟଜନଙ୍କୁ କେବେ ଅନ୍ତିମ ବିଦାୟ ଦେବେ ।
ଏହି ପ୍ରକ୍ରିୟା ନିହାତି ରୂପେ କ୍ୟାନ୍ସର ରୋଗୀଙ୍କ ପାଇଁ ସହାୟକ ହେବ । କ୍ୟାନସର ରୋଗୀଙ୍କ ପାଖରେ ସାଧାରଣତଃ ସମୟ କମ ଥାଏ । ବର୍ତ୍ତମାନ ସୁଦ୍ଧା କେହି ବି ଏହା ଜାଣିପାରିନାହାନ୍ତି ଯେ ରୋଗୀଙ୍କ ମୃତ୍ୟୁ କେଉଁ ସମୟରେ ହେବ । କେବଳ ଚିକିତ୍ସା କରୁଥିବା ଡାକ୍ତର ଆନୁମାନିକ ଭାବେ ମୃତ୍ୟୁର ଭବିଷ୍ୟବାଣୀ କରିଥାନ୍ତି । ଯେଉଁଥିପାଇଁ ଶେଷ ସମୟରେ ପ୍ରିୟଜନଙ୍କ ସହ ସମୟ କାଟିବାକୁ ବଞ୍ଚିତ ହୋଇଥାନ୍ତି କ୍ୟାନସର ରୋଗୀ ।
କିନ୍ତୁ ବ୍ରିଟିଶ ଡାକ୍ତରଙ୍କ ରିପୋର୍ଟ ମୁତାବକ ରୋଗୀର ପରିସ୍ରାରୁ ତାର ମୃତ୍ୟୁ ସମୟ ଜାଣିହୋଇପାରିବ ।ଏହା ଜାଣିବା ପରେ ହୁଏତ ରୋଗୀ ଘରେ ରହି ପ୍ରିୟଜନଙ୍କ ଗହଣରେ ରହି ଦୁନିଆ ଛାଡିବାକୁ ନିଷ୍ପତ୍ତି ନେବେ ।