ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା

Above Post Content

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପିର ସଭ୍ୟସଂଖ୍ୟା ୯୦ ତଳକୁ ଖସି ଆସିଛି। ଚାରି ଜଣ ମନୋନୀତ ସଭ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାପରେ ବିଜେପିର ସଭ୍ୟସଂଖ୍ୟା ୮୬ ରହିଛି। କିନ୍ତୁ ଆଉ କିଛି ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ଆସନରେ ନିର୍ବାଚନ ହେଲେ ବିଜେପି ପୁଣି ଏହାର ପୂର୍ବ ସ୍ଥିତିକୁ ଫେରିଆସିବ। ନିର୍ବାଚନରେ ବିଜେପି ଅତିକମ୍‌ରେ ୮ଟି ଆସନ ଜିତିବ ବୋଲି କୁହାଯାଉଛି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା ୨୨୬ ରହିଛି।

ବିଲ୍ ଅନୁମୋଦନ ପାଇଁ ୧୧୪ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ , ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ୧୦୧ ଜଣ ସଭ୍ୟ ଅଛନ୍ତି। ଆବଶ୍ୟକଠାରୁ ୧୩ ଜଣ କମ୍ ସଭ୍ୟ ଥିଲେ ମଧ୍ୟ ମୋଦୀ ସରକାରଙ୍କୁ ବିଶେଷ ଅସୁବିଧା ହେବାର ନାହିଁ। କାରଣ ଆହୁରି ୭ ଜଣ ମନୋନୀତ ସଭ୍ୟ ଅଛନ୍ତି, ଯେଉଁମାନେ କି ସରକାରକୁ ସମର୍ଥନ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଜଣେ ସ୍ବାଧୀନ ସଭ୍ୟ ମଧ୍ୟ ଏନ୍‌ଡିଏକୁ ସମର୍ଥନ ଦେଉଛନ୍ତି। ଆଉ ୫ ଜଣ ସଭ୍ୟଙ୍କ ସମର୍ଥନ ଦରକାର ଥିବାବେଳେ ଜଗନ‌ ମୋହନ ରେଡ୍ଡୀଙ୍କ ପାର୍ଟିର ୧୧ ଜଣ ସଭ୍ୟ ମୋଦୀ ସରକାରକୁ ପୂର୍ବଭଳି ସହଯୋଗ କରିବାର ସମ୍ଭାବନା ରହିଛି। ତେଣୁ ରାଜ୍ୟସଭାରେ‌ ଏବେ କୌଣସି ବିଲ୍ ଆସି‌‌ଲେ, ଏହାକୁ ଅନୁମୋଦନ କରାଇବାରେ ବିଶେଷ ଅସୁବିଧା ହେବାର ନାହିଁ।

After 2nd paragraph post ads
Middle post content

ରାଜ୍ୟସଭାରେ ବିଜେପିର ସର୍ବାଧିକ ୮୬ ସଭ୍ୟ ଥିବାବେଳେ ଏହା ପଛକୁ ରହିଛି କଂଗ୍ରେସ। ଏହାର ୨୬ ଜଣ ସଭ୍ୟ ରହିଛନ୍ତି। ତୃଣମୂଳ କଂଗ୍ରେସର ୧୩ ସଭ୍ୟ ଥିବାବେଳେ ଜଗନମୋହନ ରେଡୀଙ୍କ ୱାଇଏସ୍ଆରସିପିର ୧୧ ଏବଂ ବିଜେଡିର ୯ ସଭ୍ୟ ଅଛନ୍ତି। ଖାଲିପଡିଥିବା ୧୯ଟି ଆସନ ମଧ୍ୟରୁ ୧୫ ଜଣ ନିର୍ବାଚିତ ହେବାକୁ ଥିବାବେଳେ ୪ ଜଣ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହେବେ। ୧୫ ନିର୍ବାଚିତ ଆସନ ମଧ୍ୟରୁ ୪ଟି ଆସନ ଜାମ୍ମୁ-କାଶ୍ମୀରର ରହିଛି। କିନ୍ତୁ ସେଠାରେ ବିଧାନସଭା ନଥିବାରୁ ଏହି ୪ ଆସନ ଖାଲି ପଡ଼ିବ। ଅନ୍ୟପକ୍ଷରେ ମହାରାଷ୍ଟ୍ର, ଆସାମ, ବିହାର, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ତ୍ରିପୁରା ଓ ତେଲେଙ୍ଗାନାରେ ୧୧ଟି ଆସନ ଲାଗି ନିର୍ବାଚନ ଆଉ କିଛି ସପ୍ତାହ ମଧ୍ୟରେ ହେବ। ଲୋକସଭା ନିର୍ବାଚନ ପରେ ରାଜ୍ୟସଭାର ୧୧ଟି ଆସନ ଖାଲିହୋଇଛି। କାରଣ ୧୦ ଜଣ ସାଂସଦ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

ବିଆର୍‌ଏସ୍‌ର ଜଣେ ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିବାରୁ ଆଉ ଗୋଟିଏ ଆସନ ଖାଲି ପଡ଼ିଛି। ଏହି ୧୧ଟି ଆସନ ମଧ୍ୟରୁ ଏନ୍‌ଡିଏକୁ ୧୦ଟି ଆସନ ମିଳିବାର ସମ୍ଭାବନା ରହିଛି। ଫଳରେ ଏନ୍‌ଡିଏ ସଭ୍ୟସଂଖ୍ୟା ୧୨୧ରେ ଯାଇ ପହଂଚିବ। ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହେବାକୁ ଥିବା ୪ ଜଣ ସଭ୍ୟ ମଧ୍ୟ ଏନ୍‌ଡିଏକୁ ସମର୍ଥନ କରିବାର ସମ୍ଭାବନା ରହିଛି। ସାଧାରଣତଃ ମନୋନୀତ ସଭ୍ୟଙ୍କର କୌଣସି ଦଳ ବା ମେଣ୍ଟ ସହ ସଂପର୍କ ନଥାଏ। କିନ୍ତୁ ସେମାନେ ସରକାରୀ ପକ୍ଷକୁ ସମର୍ଥନ କରୁଥିବାର ଦୃଷ୍ଟାନ୍ତ ରହିଛି।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami