ଆପଣଙ୍କ ବ୍ୟାଙ୍କ ସହିତ ଲିଙ୍କ ହୋଇଥିବା ଫୋନ୍ ନମ୍ବରକୁ ନେଇ ହୋଇପାରେ ଜାଲିଆତି । ଆପଣଙ୍କ ଫୋନ ନମ୍ବରର ଡୁପ୍ଲିକେଟ୍ ସିମ୍ ହାସଲ କରି ଆପଣଙ୍କ ଆକାଉଣ୍ଟକୁ ଖାଲି କରିଦେଇ ପାରନ୍ତି ଠକ । ଏହି ଭଳି ଗୋଟିଏ ଖବର ଏବେ ଚର୍ଚ୍ଚାରେ ଅଛି । ରାଜସ୍ଥାନରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ସିମର ଡୁପ୍ଲିକେଟ୍ ସିମ୍ ହାସଲ କରି ଜଣେ ଠକ ଆକାଉଣ୍ଟରୁ ୬୮ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଏଥିପାଇଁ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀକୁ ୨୭ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ । ଆସନ୍ତୁ ଜାଣିବା କ’ଣ ଥିଲା ସେହି ଘଟଣା ଓ କେମିତି ଆପଣଙ୍କ ସହ ମଧ୍ୟ ହୋଇପାରେ ଏହିଭଳି ଠକେଇ ।
ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍ ଆଇଡିଆକୁ ଏକ ଆଦେଶ ଦେଇଛି ରାଜସ୍ଥାନର ଆଇଟି ବିଭାଗ । ଏଥିରେ ଜଣେ ଗ୍ରାହକଙ୍କୁ ୨୭.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କାହିଁକି ଏହି ଜରିମାନା ଲାଗୁ ହେଲା, ଆସନ୍ତୁ ଜାଣିବା ଏହାର କାରଣ । ପ୍ରକୃତରେ ଜଣେ ବ୍ୟକ୍ତିଙ୍କୁ କୌଣସି ଭେରିଫିକେସନ ବିନା ଅନ୍ୟ ଜଣେ ଗ୍ରାହକଙ୍କ ନମ୍ବରର ନକଲି ସିମ୍ କମ୍ପାନୀ ଦେଇଥିଲା। ଡୁପ୍ଲିକେଟ୍ ସିମ୍ ହାସଲ କରିଥିବା ଗ୍ରାହକ ଏହି ସିମ୍ ବ୍ୟବହାର କରି ଯାହାଙ୍କ ନାମରେ ପ୍ରକୃତରେ ନମ୍ବର ଥିଲା ତାଙ୍କ ଆକାଉଣ୍ଟରୁ ୬୮ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । କାରଣ ସେହି ନମ୍ବର ପ୍ରକୃତ ଗ୍ରାହକଙ୍କ ଓଭର ଡ୍ରାଫ୍ଟ ସେବା ସହିତ ଲିଙ୍କ୍ ଥିଲା ।
ସୂଚନା ଅନୁଯାୟୀ, ଭୋଡାଫୋନ ଦ୍ୱାରା ଜାରି କରାଯାଇଥିବା ନକଲି ସେଲଫୋନ୍ ସିମ୍ କାର୍ଡ ସାହାଯ୍ୟରେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଡୁପ୍ଲିକଟେ୍ ସିମ୍ କାର୍ଡ ଦେବା ପାଇଁ ଏକାଧିକ ଯାଞ୍ଚ ଆବଶ୍ୟକ ପଡ଼ିଥାଏ । କିନ୍ତୁ ଏହି କ୍ଷେତ୍ରରେ ଗ୍ରାହକଙ୍କ ID ର ଯାଞ୍ଚ ସଠିକ ଭାବରେ ହୋଇନଥିଲା ।
ଭୁଲ ଗ୍ରାହକଙ୍କୁ ଜାରି ହୋଇଥିଲା ଡ୍ୟୁପଲିକେଟ ସିମ୍
ରିପୋର୍ଟ ଅନୁଯାୟୀ, ଭାନୁ ନାମକ ବ୍ୟକ୍ତି ଭୋଡାଫୋନ୍ ଆଇଡିଆକୁ ଡୁପ୍ଲିକଟେ୍ ସିମ୍ ମାଗିଥିଲେ । କମ୍ପାନୀ ପରିଚୟ ଯାଂଚ ନକରି ଭାନୁଙ୍କୁ ଡୁପ୍ଲିକେଟ୍ ସିମ୍ ଜାରି କରିଥିଲା । ଡୁପ୍ଲିକେଟ୍ ସିମ୍ ମାଗୁଥିବା ବ୍ୟକ୍ତି ପ୍ରକୃତରେ ସିମର ମାଲିକ କି ନାହିଁ ତାହା ଠିକ ଭାବେ ଯାଂଚ ନକରି ଭିଆଇ ଭାନୁଙ୍କୁ ସିମ୍ ଦେଇଥିଲା । ଯାହାର ଫାଇଦା ଉଠାଇଥିଲେ ଭାନୁ । ଭାନୁ ପ୍ରକୃତ ସିମ୍ ଯାହାଙ୍କ ନାମରେ ଥିବା ତାଙ୍କର IDBI ବ୍ୟାଙ୍କ ଆକାଉଣ୍ଟରୁ ୬୮.୫ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ । ଯେହେତୁ ଭାନୁଙ୍କୁ କମ୍ପାନୀ ଡୁପ୍ଲିକେଟ୍ ସିମ୍ ଦେଇଥିଲା ତେଣୁ ଟଙ୍କା ଟ୍ରାନ୍ସଫର ବେଳେ ଆସୁଥିବା ଓଟିପି ତାଙ୍କ ପାଖକୁ ଆସୁଥିଲା । ପ୍ରକୃତ ସିମ୍ ଯାହାଙ୍କ ନାମରେ ଥିଲା ତାଙ୍କ ପାଖକୁ ଟଙ୍କା ଟ୍ରାନ୍ସଫର ପାଇଁ ଆବଶ୍ୟକ ଓଟିପି ଯାଉନଥିଲା । ପରେ ବ୍ୟାଙ୍କ ଖାତା ଚେକ୍ କରି ସିମର ପ୍ରକୃତ ମାଲିକ ତାଙ୍କ ସହିତ ହୋଇଥିବା ଠକେଇ ବାବଦରେ ଜାଣିବାକୁ ପାଇଥିଲେ ।
କେମିତି ଘଟିଥିଲା କାଣ୍ଡ ?
ରିପୋର୍ଟ ଅନୁସାରେ, ଭୋଡାଫୋନ ବ୍ୟବହାରକାରୀ କୃଷ୍ଣ ଲାଲଙ୍କ ମୋବାଇଲ୍ ନମ୍ବର ମେ ୨୦୧୭ ମସିହାରେ କାମ କରିବା ବନ୍ଦ କରିଦେଇଥିଲା । ତାପରେ ସେ ହନୁମାନଗଡରେ ଥିବା ଭୋଡାଫୋନ ଦୋକାନକୁ ଯାଇ ଅଭିଯୋଗ କରିଥିଲେ । ତାଙ୍କୁ ଏକ ନୂତନ ନମ୍ବର ମିଳିଥିଲା, କିନ୍ତୁ ଅନେକ ଅଭିଯୋଗ ସତ୍ତ୍ୱେ ତାଙ୍କର କାମ ହୋଇପାରିଲା ନାହିଁ ଏବଂ ନମ୍ବର ବନ୍ଦ ରହିଲା ।
ଏ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସେ ଜୟପୁରର ଏକ ଦୋକାନକୁ ଯାଇ ସିମ୍ ଆକଟିଭେଟ୍ କରିବାକୁ ଅଭିଯୋଗ କରିଥିଲେ । ସେତେବେଳକୁ ଅନ୍ୟ ଜଣେ ବ୍ୟକ୍ତି ଡ୍ୟୁପଲିକେଟ ସିମ୍ ପାଇ, ଏହାଦ୍ୱାରା OTP ବ୍ୟବହାର କରି କୃଷ୍ଣଲାଲଙ୍କ ଆକାଉଣ୍ଟକୁ ଟଙ୍କା ନିଜ ଆକାଉଣ୍ଟକୁ ପଠାଇ ସାରିଥିଲେ ।
ଖବର ଅନୁଯାୟୀ, ବ୍ୟକ୍ତି ଜଣକ ସିମ୍ କାର୍ଡ ପାଇବାର ୫ ଦିନ ମଧ୍ୟରେ ସିମକୁ ଆକସେସ କରିଥିଲେ । ଥରେ ଏହା ଆକଟିଭେଟ ହେବା ପରେ ସେ ଏକ ମେସେଜ ପାଇଲେ ଯେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି । ଗ୍ରାହକ ଜଣଙ୍କ ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ । ଏଥିସହିତ ବର୍ତ୍ତମାନ ଆଇଟି ଅଧିନିୟମ ଅନୁଯାୟୀ ଭୋଡାଫୋନ କ୍ଷତିପୂରଣ ଦେବ ।
ପୋଲିସ ଏକ ମାମଲା ରୁଜୁ କରି ଟଙ୍କା ପାଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ୬୫ ଲକ୍ଷ ଟଙ୍କା ମଧ୍ୟରୁ ୪୪ ଲକ୍ଷ ଟଙ୍କା ଗ୍ରାହକଙ୍କୁ ଫେରସ୍ତ କରାଯାଇଛି । ବାକି ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ । ଆଇଟି ଆକ୍ଟ ଅନୁଯାୟୀ ଗ୍ରାହକ ଅନ୍ୟ ଏକ ଅଭିଯୋଗ ଦାଖଲ କରିଛନ୍ତି । ଗ୍ରାହକଙ୍କ ତଥ୍ୟର ଭୁଲ ଯାଞ୍ଚ ଏବଂ ନୂତନ ସିମ୍ କାର୍ଡ ସକ୍ରିୟ ହେବାରେ ବିଳମ୍ବ ପାଇଁ ଭୋଡାଫୋନ ଜରିମାନା କରାଯାଇଛି ।