ଜନ୍ମଦିନରେ କିଙ୍ଗ୍ କୋହଲିଙ୍କ ‘ବିରାଟ୍ କୀର୍ତ୍ତିମାନ’

ନିଜ ୩୫ତମ ଜନ୍ମଦିନରେ କିଙ୍ଗ କୋହଲି ରଚିଛନ୍ତି ବିରାଟ କୀର୍ତ୍ତିମାନ । ଦିନିକିଆ କ୍ରିକେଟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି ଭାରତୀୟ ରନ ମେସିନ କୋହଲି । ଏହା ହେଉଛି କୋହଲିଙ୍କ ଦିନିକିଆ କ୍ୟାରିୟରର ୪୯ତମ ଶତକ । ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରୁ ୪୯ ଶତକ ହାସଲ କରିଥିଲେ । ତେବେ ବିରାଟ ମାତ୍ର ୨୭୭ଟି ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଏବେ ସଚିନ ଓ ବିରାଟ ମିଳିତ ଭାବେ ପ୍ରଥମରେ ରହିଛନ୍ତି ।

ଦିନିକିଆ କ୍ରିକେଟରେ ୪୯ ଶତକ ମାରିବାରେ ବିରାଟ୍ ଦ୍ୱିତୀୟ

୨୦୦୮ରେ ୧୯ ବର୍ଷରୁ କମ୍ ଭାରତୀୟ ଦଳର ନେତୃତ୍ୱ ନେଇ ବିଶ୍ୱ ଚାମ୍ପିଅନ କରାଇଥିବା କୋହଲି ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ । ଏବେ ଏଥର ବିଶ୍ୱକପର ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ନିଜ ୪୯ତମ ଶତକ ହାସଲ କରିଛନ୍ତି । ସେ ଟେଷ୍ଟରେ ୨୯ ଶତକ ଓ ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି । ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ୭୯ରେ ପହଞ୍ଚିଯାଇଛି । ଗୁରୁବାର ବିରାଟଙ୍କ ଏହି ଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାଡେନ୍ସରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା ୪୦ ରନ ଓ ଶୁଭମନ ଗିଲ୍ ୨୩ ରନ କରି ଆଉଟ ହେବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଭାରତର ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲା । ଶ୍ରେୟସ ଆୟର ୭୭ ରନରେ ଆଉଟ ହେବା ପରେ କେଏଲ ରାହୁଲ ମାତ୍ର ୮ ରନରେ ପ୍ୟାଭିୱିଅନ ଫେରିଥିଲେ । ତେବେ ବିରାଟ କୋହଲି ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଓ ପରେ ରବୀନ୍ଦ୍ର ଜାଦେଜାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ ରନରେ ପହଞ୍ଚାଇଥିଲେ ।

cricket matchsports newsVirat's new record on his birthday
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami