ଲୋକଙ୍କ ସେବାରେ ‘ମାସ୍କ ମହିଳା’

ଚାରିଆଡେ କରୋନା କାୟା ବିସ୍ତାର କରି ଚାଲିଛି । କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । କରୋନା ସମୟରେ ମାସ୍କର ଘୋର ଅଭାବ, ମାସ୍କ କଳାବଜାରୀ ଯୋଗୁ ମାସ୍କଟିଏ ପାଇବା ପାଇଁ ସାଧାରଣ ଗରିବ ଲୋକମାନେ ଆତୁର ହେଉଛନ୍ତି । ମାତ୍ର ଏହି ସମୟରେ ଗରିବ, ମୂଲିଆଖଟିଖିଆଙ୍କୁ ମାଗଣାରେ ମାସ୍କ ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ଜଣେ ମହିଳା । ନିଜ ଜୀବିକାକୁ ପଛରେ ପକାଇ ବଜାରରୁ କପଡ଼ା କିଣି ସେଥିରେ ମାସ୍କ ତିଆରି କରି ଲୋକଙ୍କୁ ବାଂଟୁଛନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ଦେଢ଼ ବର୍ଷ ହେବ ମାଗଣାରେ ଲୋକଙ୍କୁ ମାସ୍କ ବାଂଟୁଛନ୍ତି ଶାନ୍ତି ଓରଫ୍ ଶାନ୍ତିଲତା ବଳିଆରସିଂହ, ଯାହାକୁ ଏବେ କେହି କେହି ମାସ୍କ ମହିଳା ବୋଲି ବିବେଚନା କରିବା ଆରମ୍ଭ କଲେଣି ।

ଶାନ୍ତିଙ୍କ ଘର ପୁରୀ ଜିଲ୍ଲା କଣାସ ଅଂଚଳରେ । ଦୀର୍ଘ ୨୦ ବର୍ଷ ହେବ ସିଲେଇ କରି ପେଟ ପୋଷିବା ଆଶାରେ ଭୁବନେଶ୍ୱର ଆସିଥିଲେ । କଳ୍ପନା ଛକରେ ଦୋକାନଟିଏ ଭଡ଼ାରେ ନେଇ ସିଲେଇ କରି ପରିବାର ପ୍ରତିପୋଷଣା କରନ୍ତି ଶାନ୍ତି । କିନ୍ତୁ ମହାମାରୀ ଯୋଗୁ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ପାଇଁ ତାଙ୍କ ରୋଜଗାର ବନ୍ଦ ହୋଇଯାଇଛି । ନିଜେ ବହୁବିଧ ଅସୁବିଧା ମଧ୍ୟ ଦେଇ ଗତି କରୁଛନ୍ତି । ମାତ୍ର ନିଜର ଭିନ୍ନ ଚିନ୍ତାଧାରା ପାଇଁ ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । କରୋନାର ପ୍ରଥମ ଲହରରେ ମାସ୍କ ଏବଂ ସାଇଟାଇଜର ଅଭାବୀକୁ ଦେଖି ପ୍ରଥମେ ମାସ୍କ ତିଆରି କରି ବାଂଟିବା ଆରମ୍ଭ କରିଥିଲେ । ଗରିବ ଅସହାୟ ଲୋକଟିଏ ମାସ୍କଟିଏ କିଣି ନ ପାରିବା ଏବଂ ଅଧିକ ଦର ଦେଇ ମାସ୍କ କିଣିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ଏଥିପାଇଁ ସେ ନିଜ ଖର୍ଚ୍ଚରେ ମାସ୍କ ତିଆରି କରି ବାଂଟିବା ଆରମ୍ଭ କରିଦେଇଥିଲେ । ବିଶେଷ କରି ରାଜଧାନୀର ବିଭିନ୍ନ ଛକମାନଙ୍କରେ କାମ ଅପେକ୍ଷାରେ ଥିବା ଶ୍ରମିକଙ୍କ ପାଇଁ ମାସ୍କ ତିଆରି କରି ଦେବା ପାଇଁ ନିଷ୍ପତି ନେଇଥିଲେ । ଏମିତିକି ଗତବର୍ଷ କରୋନା ସମୟରେ  କଳ୍ପନା ଛକ ନିକଟରେ ନିଜର ଟେଲରିଂ ମେସିନ୍ ପକାଇ ସଙ୍ଗେ ସଙ୍ଗେ ମାସ୍କ ତିଆରି କରି ଲୋକଙ୍କୁ ବାଂଟିଥିଲେ । ଏହି ସମୟରେ ୫ ଦିନ ଧରି ସେ ୭ ହଜାରରୁ ଊର୍ଦ୍ଧ୍ୱ ମାସ୍କ ଲୋକଙ୍କୁ ଦେଇଥିଲେ । ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବାବେଳେ ନିଜର ରୋଜଗାର ବନ୍ଦ ହୋଇଯାଇଥିବାରୁ ଘରଭଡ଼ା ଦେଇ ନ ପାରିବାରୁ ଘରେ ଆଣି ୩ଟି ମେସିନ୍ ପକାଇଛନ୍ତି । କିନ୍ତୁ ତାଙ୍କର ଏହି ମହତ୍ କାର୍ଯ୍ୟରୁ ବିଚ୍ୟୁତ  ହୋଇନାହାନ୍ତି ।  ଶାନ୍ତି କୌଣସି ପୁରୁଣା କିମ୍ବା ବଳକା କପଡ଼ାରେ ମାସ୍କ ତିଆରି କରନ୍ତି ନାହିଁ । ନିଜେ ନୂଆ କପଡ଼ା ଆଣି ସେଥିରେ ମାସ୍କ ସିଲାଉଛନ୍ତି । ଏବେ ବି ଚାଲିଛି ତାଙ୍କର ମାଗଣା ମାସ୍କ ବଂଟନ । ବସ୍ତି ହେଉ ଅବା କେଉଁ ରାସ୍ତାକଡ଼ ଲୋକଙ୍କୁ ମାସ୍କ ଦେଇ ଚାଲିଛନ୍ତି ସେ । ବର୍ତମାନ ସୁଦ୍ଧା ୧୮ ହଜାରରୁ ଊର୍ଦ୍ଧ୍ୱ ମାସ୍କ ବାଂଟି ସାରିଲେଣି । ଏଥିପାଇଁ ଅନେକ ସମୟରେ ଅନେକ ବ୍ୟକ୍ତି ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି । ଏ ସମ୍ପର୍କରେ ଶାନ୍ତି କୁହନ୍ତି, କରୋନା ସମୟରେ ମାସ୍କ କଳା ବଜାରୀ ବଢ଼ିଲା । ସାଧାରଣ ଗରିବ ଲୋକଟି ଏତେ ଟଙ୍କା ଦେଇ ମାସ୍କ କିଣିବା ପାଇଁ ଅସମର୍ଥ ହେବା ଦୃଶ୍ୟ ମୁଁ ନିଜେ ଦେଖିଛି ।  ଅନେକ ଲୋକଙ୍କ ପାଖରେ ଟଙ୍କା ନ ଥିବାରୁ ମାସ୍କ କିଣି ପାରନ୍ତି ନାହିଁ । ଯାହାକି ମୋତେ ବହୁତ କଷ୍ଟ ଦେଇଥିଲା । ନିଜେ ଅସୁବିଧାରେ ଥିଲେ ସୁଦ୍ଧା କୌଣସି ଉପାୟରେ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଥିବାରୁ ଖୁସି ଲାଗୁଛି ବୋଲି ଶାନ୍ତି କହିଛନ୍ତି। 

୧୮ ହଜାରରୁ ଊର୍ଦ୍ଧ୍ୱ ମାସ୍କmask womenshanti baliarsinghନିଜ ଖର୍ଚ୍ଚରେ ମାସ୍କ ତିଆରିପୁରୀ ଜିଲ୍ଲାମାଗଣା ମାସ୍କ ବଂଟନମାସ୍କ କଳା ବଜାରୀମାସ୍କ ତିଆରିମାସ୍କ ବାଂଟୁଛନ୍ତିମାସ୍କ ମହିଳାମାସ୍କର ଘୋର ଅଭାବଲକ୍‌ଡାଉନ୍ଶାନ୍ତିଲତା ବଳିଆରସିଂହସଟ୍‌ଡାଉନ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami