ନିରବଚ୍ଛିନ୍ନ ରୋଗୀ ସେବାରେ କାହ୍ନା

କରୋନାରେ ଯଦି ପରିବାରର କୌଣସି ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ନିକଟକୁ ଯିବାକୁ ନିକଟତମ ପରିଜନ ଏବଂ ରକ୍ତ ସମ୍ପର୍କ ଲୋକେ ମଧ୍ୟ ଭୟ କରନ୍ତି । ରୋଗୀଙ୍କ ପାଖକୁ ଯାଉଥିବା ଡାକ୍ତର ଏବଂ ନର୍ସ ପିପିଇ କିଟ୍ ପିନ୍ଧି ସେମାନଙ୍କ ସେବା କରନ୍ତି । କୋଭିଡ୍ ରୋଗୀଙ୍କ ସେବା କରୁଥିବା ଅନେକ କରୋନା ଯୋଦ୍ଧା ବିଶେଷ କରି ଡାକ୍ତର ଓ ନର୍ସଙ୍କ ବିଷୟରେ ପ୍ରତିଦିନ କିଛି ନା କିଛି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । କିନ୍ତୁ ଏମ୍‌କେସିଜି କୋଭିଡ୍ ହସ୍ପିଟାଲରେ ଏମିତି ଜଣେ ବ୍ୟକ୍ତି କୋଭିଡ୍ ରୋଗୀଙ୍କ ସେବାରେ ଲାଗି ପଡ଼ିଛନ୍ତି ଯାହାଙ୍କୁ ଅନେକ ଜାଣନ୍ତି ନାହିଁ । ସେ ଡାକ୍ତର କି ନର୍ସ ନୁହଁନ୍ତି, ସେ ହେଉଛନ୍ତି ଜଣେ ଝାଡ଼ୁଦାର । ନାଁ କାହ୍ମୁଚରଣ ନାୟକ (କାହ୍ନା) । ଘର ପୁରୁଣା ବ୍ରହ୍ମପୁର । କାହ୍ନା ଯଦି ହସ୍ପିଟାଲରେ ପହଂଚିବାରେ ସାମାନ୍ୟ ବିଳମ୍ବ ହୁଏ, ତେବେ ରୋଗୀଙ୍କଠାରୁ ଆରମ୍ଭ କରି ଡାକ୍ତର ଓ ନର୍ସ ପର୍ଯ୍ୟନ୍ତ ସମସ୍ତଙ୍କ ଡାକରା ପଡ଼େ । କାହ୍ନାଙ୍କ କାମ ହେଲା କୋଭିଡ୍ ହସ୍ପିଟାଲ ଡିଟିଏଚ୍‌-୧ ଏବଂ ୨ର ପାଇଖାନାଠାରୁ ଆରମ୍ଭ କରି ଚଟାଣ ପର୍ଯ୍ୟନ୍ତ ସମସ୍ତ ସଫେଇ କରିବା । ୨୦୨୦ରେ କରୋନାର ପ୍ରଥମ ଲହରରେ ମଧ୍ୟ ସେ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ୨୦୨୧ ଏପ୍ରିଲରୁ ବର୍ତମାନ ପର୍ଯ୍ୟନ୍ତ ସେ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି । ଠିକାଦାରଙ୍କ ଅଧୀନରେ କାହ୍ନା ଏପରି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ହସ୍ପିଟାଲ ପରିସର ସଫା ସୁତରା କରିବା ଡ୍ୟୁଟି କାହ୍ନାଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ କରନ୍ତି । କିନ୍ତୁ ସମସ୍ତଙ୍କ ମୁହଁରେ କାହ୍ନାଙ୍କ ନାଁ ହିଁ ରହିଥାଏ ଆଗରେ । କାହ୍ନା ସକାଳୁ ଘରୁ ବାହାରୁ ରାତି ହେଲେ ଘରକୁ ଫେରନ୍ତି । ଘରକୁ ଯିବା ପୂର୍ବରୁ ମେଡିକାଲରେ ନିଜେ ସଫାସୁତରା ହୁଅନ୍ତି ଏବଂ ଘରେ ପହଂଚିବା କ୍ଷଣି ଗରମ ପାଣିରେ ଗାଧୋଇ ଘର ଭିତରେ ପ୍ରବେଶ କରନ୍ତି ।  ଘରେ ସ୍ତ୍ରୀଙ୍କ ପାଖରେ ଦୁଇ ବର୍ଷର ପୁଅକୁ ଛାଡ଼ି ରୋଗୀ ସେବାରେ ଲାଗିପଡ଼ିଛନ୍ତି କାହ୍ନା । ତାଙ୍କ କହିବା ଅନୁଯାୟୀ, ସେ ଦୁଇ ବର୍ଷ ହେଲା ପୁଅକୁ ସ୍ନେହ ଦେଇପାରିନାହାନ୍ତି । ପ୍ରତିଦିନ ସେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେ ପୁଅକୁ ଟିକିଏ ଧରି ବି ପାରୁ ନାହାନ୍ତି । ଏପରିକି ବିଶ୍ୱ ପିତୃତ୍ୱ ଦିବସ ଭଳି ଦିନରେ ବି ସେ ପୁଅକୁ ସ୍ନେହ ଦେଇପାରିନାହାନ୍ତି । କାହ୍ନାଙ୍କୁ କୋଭିଡ୍ ହସ୍ପିଟାଲରେ ଡ୍ୟୁଟି କରିବା ପାଇଁ କେହି ବାଧ୍ୟ କରି ନାହାନ୍ତି । ତାଙ୍କୁ ଆଦେଶ ମିଳିବା କ୍ଷଣୀ ସେ କାର୍ଯ୍ୟରେ ଲାଗି ପଡନ୍ତି । ଏନେଇ କାହ୍ନା କହନ୍ତି, ହସ୍ପିଟାଲରେ ଅନେକ ବୟସ୍କ ଲୋକ ଘରଛାଡି ଏକୁଟିଆ ରହିଥାନ୍ତି । ସେମାନଙ୍କୁ ଦେଖିଲେ ମୋତେ ବିକଳ ଲାଗେ । ସେମାନେ ଟଏଲେଟ୍ ଗଲା ସମୟେ ସମୟେ ଅଜାଣତରେ ଅପରିଷ୍କାର କରି ଆସିଯାଇଥାନ୍ତି । ଏଥିରେ ମୋତେ ତିଳେମାତ୍ର ଖରାପ ଲାଗେ ନାହିଁ । ଏହି କାର୍ଯ୍ୟକୁ ମୁଁ ଭଗବାନଙ୍କ ଆଦେଶ ଭାବି କରି ଚାଲିଛି । ଭଗବାନଙ୍କ କୃପାରୁ ଏହି ଦୁଇ ବର୍ଷରେ କରୋନା ମୋତେ କିମ୍ବା ମୋ ପରିବାରକୁ ଛୁଇଁପାରିନି । ଆଗକୁ ଏମିତି ବିନା ଦ୍ୱିଧାରେ ସେବା କାର୍ଯ୍ୟ ଜାରି ରଖିବାକୁ ଇଚ୍ଛା କରିଥିବା କହନ୍ତି କାହ୍ନା ।

କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ମୋତେ ଦୁଃଖ ଲାଗେ । ଡାକ୍ତର ଓ ନର୍ସମାନେ ରୋଗୀଙ୍କ ବହୁତ ସେବା କରୁଥିବାବେଳେ ଆମେ ଭଳି କିଛି ଲୋକ କୋଭିଡ୍ ହସ୍ପିଟାଲ ପରିସର ଏବଂ ମେଡିକାଲ ଭିତର ଚକାଚକ କରି ରଖିଛୁ । ରୋଗୀ ଯେପରି ହସ୍ପିଟାଲ ଭିତରକୁ ଆସିଲେ ଘରଭଳି ସଫା ଅନୁଭବ କରିବ ସେନେଇ ଆମେ ସର୍ବଦା ସଜାଗ ରହିଛୁ ।

brahmapurhospital cleanerhospital housekeepingkanhakanhu charan nayakkanhucharan nayakmkcg covid hospitalmkcg medical college brahmapursweeperuninterrupted patient careଏମ୍‌କେସିଜି କୋଭିଡ୍ ହସ୍ପିଟାଲକାହ୍ନାକାହ୍ମୁଚରଣ ନାୟକଝାଡ଼ୁଦାରବିଶ୍ୱ ପିତୃତ୍ୱ ଦିବସବ୍ରହ୍ମପୁରରୋଗୀଙ୍କ ବହୁତ ସେବାହସ୍ପିଟାଲ ପରିସର ସଫା ସୁତରା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami