ଚମତ୍କାର କଲେ ଭାରତୀୟ ବୋଲର

ମାତ୍ର ୧୨୦ ରନ କରିବା ପାଇଁ ସକ୍ଷମ ହୋଇଥିଲେ ଭାରତୀୟ ବ୍ୟାଟର। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍‌ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍‌ ବୁମ୍‌ରା। ଫଳରେ ଏକଦା ୨ ଉଇକେଟରେ ୭୩ ରନକରି ବିଜୟ ସ୍ଥିତିରେ ଥିବା ପାକିସ୍ତାନକୁ ୨୦ ଓଭରରେ ୧୧୩/୭ରେ ସୀମିତ ରଖି ଟି୨୦ ବିଶ୍ୱକପରେ ଅବିଶ୍ୱସନୀୟ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ନ୍ୟୁୟର୍କର ନାସାଉ କାଉଣ୍ଟି ଗ୍ରାଉଣ୍ଡରେ ଉଡ଼ିଲା ଭାରତର ବିଜୟ ଧ୍ୱଜା। ରବିବାର ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ୧୯ ଓଭରରେ ୧୧୯ ରନରେ ଅଲ୍‌ଆଉଟ ହେବାରୁ ଚିନ୍ତାରେ ରହିଥିଲେ ଦର୍ଶକ ଓ ଟିମ୍‌ ମ୍ୟାନେଜମେଣ୍ଟ।

ମାତ୍ର ବୋଲରଙ୍କ ଚମତ୍କାରିତା ମ୍ୟାଚର ମୋଡ଼ ସମୃର୍ଣ୍ଣ ବଦଳାଇ ଦେଇଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ ୩୧ ରନ କରିଥିଲେ। ଟପ୍‌ ଅର୍ଡରର ଆଉ ୪ ବ୍ୟାଟର ଭଲ ଆରମ୍ଭ କରି ଦୁଇଅଙ୍କ ସ୍ପର୍ଶ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଭାରତ ପକ୍ଷରୁ ମାତ୍ର ୧୪ ରନରେ ୩ ଉଇକେଟ ନେଇ ପାକିସ୍ତାନର ବଡ଼ ବିପର୍ଯ୍ୟୟ ଘଟାଇଥିଲେ ବୁମ୍‌ରା। ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ସ୍ପେଲ୍‌ ପାଇଁ ବୁମ୍‌ରା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ବିଜୟ ସହ ଭାରତ ଗ୍ରୁପ୍‌ ‘ଏ’ରେ ୨ ମ୍ୟାଚରୁ ୪ ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ପ୍ରଥମ ମ୍ୟାଚରେ ଦଳ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଆମେରିକାଠାରୁ ହାରିଥିବା ପାକିସ୍ତାନ ୨ ମ୍ୟାଚରୁ ୨ ପରାଜୟ ସହ ଆଶଙ୍କା ମଧ୍ୟରେ ରହିଛି।

ଟସ୍‌ ଜିତି ପାକିସ୍ତାନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ ପାଖାପାଖି ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଗୋଟିଏ ଓଭର ବୋଲିଂ ପରେ ଭାରତ ସ୍କୋର ୮ ଥିବାବେଳେ ପୁଣି ବର୍ଷା ହେବାରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଛାଡ଼ିବାପରେ ପିଚ୍‌ ପାକିସ୍ତାନ ବୋଲରଙ୍କୁ ସହାୟକ ହୋଇଥିଲା। ମାତ୍ର ୧୯ ରନରେ ୨ ଉଇକେଟ ହରାଇ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଚମତ୍କାର ରେକର୍ଡ ବହନ କରୁଥିବା ବିରାଟ କୋହଲି , ଏହି ମ୍ୟାଚରେ ମାତ୍ର ୪ ରନ କରିବାକୁ ସକ୍ଷମ ହୋଇଥିଲେ । ଏହାର ପରବର୍ତ୍ତୀ ଓଭରରେ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ୟାଭିଲିୟନ ପଠାଇ ଭାରତ ଉପରେ ଚାପ ପ୍ରୟୋଗ କରିଥିଲା ପାକିସ୍ତାନ। ପାଓ୍ବରପ୍ଲେ ୬ ଓଭରରେ ଭାରତ ୨ ଉଇକେଟ ହରାଇ ୫୦ ରନ କରିଥିଲା। ରିଷଭ ପନ୍ତ ଓ ଅକ୍ଷର ପଟେଲ ସତର୍କତାର ସହ ଖେଳି ଇନିଂସ ସମ୍ଭାଳିଥିଲେ। ମାତ୍ର ତୃତୀୟ ଉଇକେଟରେ ୩୯ ରନ ଯୋଗ ହେବାପରେ ଅକ୍ଷରଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ନସିମ ଶାହା।

ବ୍ୟାଟିଂ କ୍ରମରେ ଉପରେ ଆସିଥିବା ଅକ୍ଷର ୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ଖରାପ ଫର୍ମଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୭ ରନ କରିଥିଲେ ହେଁ ତାଙ୍କ ସହ ରିଷଭ ୫ମ ଉଇକେଟରେ ୨୨ ବଲ୍‌ରୁ ୩୧ ରନ ଯୋଡ଼ିଥିଲେ। ଶିବମ୍‌ ଦୁବେ ୩, ହାର୍ଦ୍ଦିକ ପାଣ୍ଡ୍ୟା ୭ ଏବଂ ରବୀନ୍ଦ୍ର ଜାଡେଜା ଡକ୍‌ (୦)ରେ ଆଉଟ ହେବାରୁ ଭାରତ ପୂରା ୨୦ ଓଭର ଖେଳିପାରି ନ ଥିଲା। ଏକାଧିକଥର ଜୀବନଦାନ ପାଇଥିବା ରିଷଭ ସର୍ବାଧିକ ୪୨ ରନ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ନସିମ ଶାହା ଓ ହାରିସ ରୌଫ ୩ଟି ଲେଖାଏଁ , ମହମ୍ମଦ ଅମିର ୨ଟି ଏବଂ ଶାହିନ ଶାହା ଆଫ୍ରିଦି ଗୋଟିଏ ଉଇକେଟ ନେଇଥିଲେ। ତେବେ ଏହି ବିଜୟ ପରେ ବେଶ ଖୁସି ଅଛନ୍ତି ଦର୍ଶକ ।

india vs pakIndia vs pakistanindia vs pakistan matchindia vs pakistan t20 world cup 2024jasprit bumrahjasprit bumrah bowlingt20 world cup 2024
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami