ଦିନେ ପକ୍ଷଛେଦନ କରିଥିଲେ, ଏଇନା ସାହାଯ୍ୟ ମାଗୁଛନ୍ତି

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିଜ ସ୍ଥିତିକୁ ସୁହାଇବା ଲକ୍ଷ୍ୟରେ କେନ୍ଦ୍ରର ହେଭିୱେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱୟଂ ସେବକ ସଂଘର ପ୍ରଭାବଶାଳୀ ପଦଧିକାରୀ ତଥା ଏକଦା ଓଡ଼ିଶା ବିଜେପିର ହର୍ତ୍ତାକର୍ତ୍ତା ଥିବା ଦଳର ପୂର୍ବତନ ସଂଗଠନ ସଂପାଦକ ପ୍ରସନ୍ନ ମିଶ୍ରଙ୍କ ଶରଣରେ ପଶିଥିବା ବିଶ୍ୱସ୍ତ ସୂତ୍ର କହୁଛିରାଜ୍ୟ ସଂଘ ପରିବାର ସଂପର୍କରେ ଖବର ରଖୁଥିବା ମହଲରେ ପ୍ରସନ୍ନ ମିଶ୍ର ଏକ ଜଣାଶୁଣା ନାଁ । ୨୦୦୦ ମସିହାରେ ରାଜ୍ୟରେ ମେଣ୍ଟ ସରକାର ଥିବାବେଳେ ଢେର ବର୍ଷ ଯାଏ ରାଜ୍ୟ ପଦ୍ମ ପାର୍ଟିର ରିମୋର୍ଟ କଣ୍ଟ୍ରୋଲ୍ ଥିଲା ବାବୁ ପ୍ରସନ୍ନ ମିଶ୍ରଙ୍କ ହାତରେ । ମୋଟାମୋଟି ଗେରୁଆ ଦଳର ଓଡ଼ିଶା ମଠର ସର୍ବକ୍ଷମତାଧାରୀ ମହନ୍ତ ଥିଲେ ପ୍ରସନ୍ନ ମିଶ୍ର । ଦଳର ପଦ ପଦବୀରେ କିଏ କଅଣ ରହିବ, କାହାକୁ କେଉଁ ଯାଗାରୁ ଟିକେଟ୍ ମିଳିବ, ସେସବୁ ଫାଇନାଲ୍ ହେଉଥିଲା ପ୍ରସନ୍ନ ମିଶ୍ରଙ୍କ ନିଷ୍ପତ୍ତି ଅନୁସାରେ । ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସହ ନିବିଡ଼ ସଂପର୍କ ଥିଲେ ହେଁ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି ରାଜ୍ୟ ପଦ୍ମଗାଡ଼ିଆରେ ବଢ଼ିବା ପରେ କିନ୍ତୁ ପ୍ରସନ୍ନଙ୍କ ପତ୍ତା କଟିବା ଆରମ୍ଭ ହୋଇଥିଲା । ସୂତ୍ରର ସୂଚନା ଅନୁସାରେ, ଯେଉଁ କେତେଜଣଙ୍କ ଗୋଛି କାଟି ମୁକୁ ବାବୁ ନିଜ ରାସ୍ତାରୁ କଣ୍ଟା ସଫା କରିବାକୁ ଯୋଜନା କରିଥିଲେ, ସେହି ତାଲିକାରେ ସର୍ବାଗ୍ରେ ଥିଲେ ପ୍ରସନ୍ନ ମିଶ୍ର । ଦିଲ୍ଲୀ ଦରବାରରେ ନିଜ ଲବି ଲଗାଇ ରାଜ୍ୟ ବିଜେପିର ରାଜନୀତିକ ଓ ସାଂଗଠନିକ ଚିତ୍ରପଟରୁ ପ୍ରସନ୍ନ ଓ ତାଙ୍କ ଅନୁଗତଙ୍କୁ ସଂପୂର୍ଣ୍ଣ ବାଦ୍ ଦେଇ ମୁକୁ ଭାଇ ସଂଗଠନରେ ନିଜ ଖାସ୍ ଲୋକଙ୍କୁ ହିଁ ଆଣିଥିଲେ । ଏପରିକି ମୁକୁଙ୍କ ସେତେବେଳର ଉତ୍ପାତରେ ସଂଘର କିଛି ପୁରୁଖା ଲୋକ ବାଧ୍ୟ ହୋଇ ଦଳ ବି ଛାଡ଼ିଥିଲେ । ସୂତ୍ରର କହିବା ଅନିୁସାରେ, ସେତେବେଳେ କୁଆଡ଼େ ପ୍ରସନ୍ନ ମିଶ୍ରଙ୍କୁ ସଖୀକଣ୍ଢେଇ କରି ରଖିବା ଭଳି ଅପମାନସୂଚକ ପ୍ରସ୍ତାବ ବି ଦେବାକୁ ଧର୍ମେନ୍ଦ୍ର କ୍ୟାମ୍ପ ପଛାଇ ନଥିଲେ ।

ଚର୍ଚ୍ଚା ହେଉଛି, କୁଆଡ଼େ ପ୍ରସନ୍ନ ମିଶ୍ରଙ୍କ ଶରଣରେ ପଶିଛନ୍ତି ଧର୍ମେନ୍ଦ୍ର

ଏବେ କିନ୍ତୁ ରାଜ୍ୟ ବିଜେପିର ପାଣିପାଗ ବଦଳିଛି । ଧର୍ମେନ୍ଦ୍ର ଆଉ ଓଡ଼ିଶା ବିଜେପିର ପୋଷ୍ଟର ବୟ ହୋଇନାହାନ୍ତି କି ଦଳ ବି ରାଜ୍ୟରେ ମୁକୁ ଭାଇଙ୍କ ପୃଷ୍ଠପୋଷକତାର ଛାଇରେ ଚାଲୁନି । ପୁଣି ଲୋକସଭା ନିର୍ବାଚନ ଲଢି ସଂସଦକୁ ଆସିବା ପାଇଁ ଜାତୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଧର୍ମେନ୍ଦ୍ରଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି । ସେପଟେ ଜଣେ ହାରୁ ନେତାର ଟ୍ୟାଗ୍ ବି ତାଙ୍କୁ ଫି ଦିନ ଘାରୁଛି । ଏବେ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରଥମେ ଢେଙ୍କାନାଳକୁ ବାଛି ସେଠାରେ ପରାଜୟ ସୁନିଶ୍ଚିତ ବୋଲି ଜାଣିବା ପରେ ମୁକୁ ଭାଇ ସମ୍ବଲପୁର ମୁହାଁଇଛନ୍ତି । ରୋଚକ କଥା ହେଉଛି, ଦଳ ସହ ସିଧାସଳଖ ସଂପର୍କରେ ନଥିଲେ ବି ସଂଘ ପରିବାରର ସାଙ୍ଗଠନିକ ଅଫିସ ଖୋଲି ସମ୍ବଲପୁରରେ ବସିଛନ୍ତି ପୂର୍ବତନ ବିଜେପି ସଂଗଠନ ସଂପାଦକ ସେହି ପ୍ରସନ୍ନ ମିଶ୍ର । ସଂଘ ନେଟୱର୍କ ଓ ତୃଣମୂଳର ସ୍ୱଂୟ ସେବକଙ୍କ ସହ ବାବୁ ପ୍ରସନ୍ନ ମିଶ୍ରଙ୍କ ବଡ଼ଧରଣର ପ୍ରଭାବ କାହାକୁ ଅଛପା ନୁହେଁ । ଆଉ ଏହାର ପ୍ରଭାବ ଧର୍ମେନ୍ଦ୍ରଙ୍କ ଭୋଟ୍ ରାଜନୀତି ଉପରେ ପଡ଼ିବା ନିଶ୍ଚିତ ଥିବାରୁ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନିଜ ସ୍ଥିତି ରକ୍ଷା ସହ ଯେମିତି ବି ହେଉ ମୁହଁ ବଂଚାଇବାକୁ ମୁକୁ ଭାଇ ପ୍ରସନ୍ନଙ୍କ ଶରଣରେ ପଶିବାକୁ ବାଧ୍ୟ ହୋଇଥିବା ସୂତ୍ର କହୁଛି ।

Dharmendraodisha politicspolticis storyPrasanna Mishra!
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami