ତାଲିବାନ-ଚୀନ୍ ପ୍ରେମ, ଚିନ୍ତାରେ ଭାରତ

ଆଫଗାନିସ୍ତାନକୁ ଏକ ପ୍ରକାର ନିଜ କବଜାକୁ ନେଇ ସାରିଥିବା ତାଲିବାନ ଏବେ ଚୀନକୁ ନିଜର ଭରସାଯୋଗ୍ୟ ବନ୍ଧୁ ବୋଲି କହିଛି । ତାଲିବାନର ପ୍ରତିନିଧି ମଣ୍ଡଳୀ ବେଜିଂର ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଚୀନ୍ ଅଧିକାରୀଙ୍କ ସହିତ ତାଲିବାନୀ ନେତାଙ୍କ ଫଟୋ ନିଶ୍ଚିତ ରୂପେ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ ଚିନ୍ତା ବଢାଇ ଦେଇଥିବ । ବୁଧବାର ଦିନ ଅଚାନକ ତାଲିବାନର ଗୋଟିଏ ପ୍ରତିନଧି ମଣ୍ଡଳୀ ବେଜିଂରେ ପହଂଚିଥିଲା । ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନି ବରାଦର ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଚୀନ୍ ଗସ୍ତରେ ଯାଇ ସେଠାକାର ବୈଦେଶିକ ମନ୍ତ୍ରୀ ବାଙ୍ଗ୍ ୟିଙ୍କ ସହିତ ସାକ୍ଷାତ କରିଥିଲେ । ଆଉ ସାକ୍ଷାତକାର ପରେ ତାଲିବାନ ନେତା ଚୀନକୁ ନିଜର ଭରସାଯୋଗ୍ୟ ବନ୍ଧୁ ବୋଲି କହିଛନ୍ତି ।

ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନାର ପ୍ରତ୍ୟାବର୍ତ୍ତନ ମଧ୍ୟରେ ପ୍ରଥମ ଥର ପାଇଁ ଚୀନ ନେତା ଓ ତାଲିବାନ ନେତୃତ୍ୱ ମଧ୍ୟରେ ଏହି ବୈଠକ ହୋଇଛି ।

ଭାରତ ପାଇଁ ଚିନ୍ତାର କାରଣ

ତାଲିବାନ ଓ ଚୀନ୍ ମଧ୍ୟରେ ଏହି ପ୍ରେମ ଭାରତ ପାଇଁ ବିପଦର କାରଣ ହୋଇପାରେ । ତାଲିବାନକୁ ପାକିସ୍ତାନର ପ୍ରଛନ୍ନ ସମର୍ଥନ ରହିଛି । ପାକିସ୍ତାନୀ ମଦ୍ରାସାରୁ ତିଆରି ହୋଇଥିବା ତାଲିବାନ ୧୯୯୬ରୁ ୨୦୦୦ ମଧ୍ୟରେ ଆଫଗାନିସ୍ତାନ ଶାସନରେ ଥିଲା । ସେହି ସମୟରେ ଆଫଗାନିସ୍ତାନ ଭାରତ ବିରୋଧୀ କାର୍ଯ୍ୟର ଆଡ୍ଡା ବନିଥିଲା । ପାକିସ୍ତାନ ଚୀନକୁ ନିଜର ସବୁ ପାଗର ବନ୍ଧୁ କହୁଥିବା ବେଳେ ଏବେ ତାଲିବାନ ମଧ୍ୟ ସେହି ନୀତି ଧରିଛି । ଚୀନରେ ସକ୍ରୀୟ ଥିବା ଇସଲାମିକ ଆତାଙ୍କବାଦୀଙ୍କୁ ତାଲିବାନ ସମର୍ଥନ କରିପାରେ ବୋଲି ଚୀନ୍ ଆଶଙ୍କା କରୁଥିଲା । କିନ୍ତୁ ତାଲିବାନ ନେତା ଯେଉଁଭଳି ଭାବେ ଚୀନ ସମର୍ଥନରେ ବୟାନ ଦେଇଛନ୍ତି, ସେଥିରୁ ଚୀନ ପାଇଁ ବିପଦ ନଥିବା ଲାଗୁଛି । ଚୀନ ମଧ୍ୟ ତାଲିବାନକୁ ଇଷ୍ଟ୍ ତୁର୍କମେନିସ୍ତାନ ଇସଲାମିକ୍ ମୁଭମେଣ୍ଟଠାରୁ ସମ୍ପର୍କ ଛିନ୍ନ କରିବାକୁ ଆହ୍ୱାନ କରିଛି ।

ପାକ୍ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପରଦିନ ବେଜିଂରେ ତାଲିବାନ

ଜୁଲାଇ ୨୫ ତାରିଖ ଦିନ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈସି ଚେଙ୍ଗଦୁ ସହରରେ ବାଙ୍ଗଙ୍କୁ ସାକ୍ଷାତ କରିଥିଲେ । ଆଫଗାନିସ୍ତାନରୁ ଆତଙ୍କବାଦୀଙ୍କୁ ତଡିବା ପାଇଁ ଦୁଇ ଦେଶ ମିଳିତ ଅଭିଯାନ ଆରମ୍ଭ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । କୁରୈସିଙ୍କ ଗସ୍ତର ଗୋଟିଏ ଦିନ ପରେ ଅଚାନକ ତାଲିବାନ ନେତା ଚୀନରେ ପହଂଚିଥିଲେ । ଅନୁମାନ କରାଯାଉଛି ଯେ, କୁରୈସୀ ତାଲିବାନ-ଚୀନ୍ ଆଲୋଚନା ପାଇଁ ରାସ୍ତା ପରିସ୍କାର କରିଥିଲେ ।

ଚୀନକୁ ସନ୍ତୁଷ୍ଟ କରିବା ପାକିସ୍ତାନର ଲକ୍ଷ୍ୟ

ଚୀନର ମୁସଲିମ୍ ବହୁଳ ପ୍ରଦେଶ ଶିନଯିଆଙ୍ଗରେ ଅସ୍ଥିରତା ଲାଗି ରହିଛି । ସେଠାରେ ସକ୍ରୀୟ ଥିବା ଇସଲାମିକ ଆତଙ୍କବାଦୀ ଆଫଗାନିସ୍ତାନରୁ ଅପରେଟ୍ କରୁଛନ୍ତି । ଚୀନର ଆଶଙ୍କା ଯେ, ତାଲିବାନ ଏହି ଆତଙ୍କବାଦୀଙ୍କୁ ସଂରକ୍ଷଣ ଯୋଗାଇ ଦେବ । ତେବେ ପାକିସ୍ତାନ ହସ୍ପକ୍ଷେପ ପରେ ତାଲିବାନ ଇଟିଆଇଏମ୍ ସଂଗଠନର ନାମ ନନେଇ ସ୍ପଷ୍ଟ କରିଛି ଯେ, ନିଜ ଦେଶର ମାଟିକୁ ଚୀନ ବିରୋଧୀ କାର୍ଯ୍ୟ ପାଇଁ ବ୍ୟବହାର କରିବାକୁ ଦିଆଯିବ ନାହିଁ । ଏଭଳି ଆଶ୍ୱାସନା ପାଇବା ପରେ ଚୀନ୍ ଏବେ ପାକିସ୍ତାନ ଓ ତାଲିବାନ ପଛରେ ଛିଡା ହେବାର ସମ୍ଭାବନା ଅଧିକ ଦୃଢ ହେଉଛି ।

ଭାରତ ପାଇଁ କାହିଁକି ଚିନ୍ତାର ବିଷୟ

ତାଲିବାନ ୧୯୯୬ରୁ ୨୦୦୦ ପର୍ଯ୍ୟନ୍ତ ଆଫଗାନିସ୍ତାନରେ କ୍ଷମତାରେ ଥିଲା । ଏହି ସମୟରେ ତାଲିବାନ ଭାରତ ବିରୋଧୀ ଗତିବିଧିରେ ଲିପ୍ତ ଥିଲା । ଇଣ୍ଡିଆନ୍ ଏୟାରଲାଇନ୍ ବିମାନ ଅପହରଣ କାଳରେ ତାଲିବାନ ଅପହରଣକାରୀଙ୍କ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିଲା । ବନ୍ଧକଙ୍କ ବଦଳରେ ମୁକ୍ତ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ମଧ୍ୟ ତାଲିବାନ ସେଫ୍ ପାସେଜ୍ ଦେଇଥିଲା । ତାଲିବାନ ପୁଣି କ୍ଷମତାକୁ ଆସିଲେ ଓ ଚୀନ୍ ଭଳି ଶକ୍ତିଶାଳୀ ରାଷ୍ଟ୍ରର ସମର୍ଥନ ପାଇଲେ ଇସଲାମାବାଦ ଭାରତ ବିରୋଧରେ ନୁଆ ମୋର୍ଚ୍ଚା ଖୋଲିବ ବୋଲି ଆଶଙ୍କା କରାଯାଉଛି ।

AfhanistanAgainst Indiabeijing china foreign ministerChinachina foreign ministerEast turkmenistan islamic movementIndian airline hijackIndian Security Agencyislamic terroristsMakhdoom Shah Mahmood QureshiNATO armypakistan chinapakistan foreign ministersun jiangtalibantaliban chinataliban pakistantalibani leaderwang yiଇଣ୍ଡିଆନ୍ ଏୟାରଲାଇନ୍ ବିମାନ ଅପହରଣଇସଲାମିକ ଆତଙ୍କବାଦୀତାଲିବାନକୁ ପାକିସ୍ତାନର ପ୍ରଛନ୍ନ ସମର୍ଥନତାଲିବାନୀ ନେତାନାଟୋ ସେନାପାକିସ୍ତାନ ଚୀନକୁ ନିଜର ସବୁ ପାଗର ବନ୍ଧୁପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈସିବେଜିଂର ଚୀନ୍ ବୈଦେଶିକ ମନ୍ତ୍ରୀବୈଦେଶିକ ମନ୍ତ୍ରୀ ବାଙ୍ଗ୍ ୟିଙ୍କଭାରତ ବିରୋଧରେ ନୁଆ ମୋର୍ଚ୍ଚାଭାରତୀୟ ସୁରକ୍ଷା ଏଜେନ୍ସୀଶିନଯିଆଙ୍ଗ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami