ମୋଦିଙ୍କ କଥା ମାନି ମୁକୁଲ ରହିଯିବେ କିନ୍ତୁ ଶୁଭ୍ରାଂଶୁ ବିଜେପିରେ ରହିବେ କି ?

ପଶ୍ଚିମବଙ୍ଗ ବିଜେପିରେ ଏବେ ରିଭର୍ସ ମାଇଗ୍ରେସନର ପଦଧ୍ୱନୀ ଶୁଣିବାକୁ ମିଳୁଛି । କୁହାଯାଉଛି ୩୩ ଜଣ ବିଜେପି ବିଧାୟକ ଓ ତୃଣମୂଳରୁ ଆସି ଟିକେଟ୍ ନପାଇଥିବା ଆଉ କିଛି ନେତା ପୁଣି ପୁରୁଣା ଘରକୁ ଫେରିବେ । ଅପେକ୍ଷା କେବଳେ ଦିଦିଙ୍କ ସବୁଜ ସଂକେତକୁ । ତୃଣମୂଳକୁ ଫେରିବାକୁ ଅପେକ୍ଷା କରି ବସିଥିବା ନେତାଙ୍କ ତାଲିକାରେ ଅଛି ବିଜେପି ରାଷ୍ଟ୍ରୀୟ ଉପ ସଭାପତି ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କ ନାମ

ପ୍ରଥମେ ଶୁଭ୍ରାଂଶୁଙ୍କ ଫେସବୁକ୍ ପୋଷ୍ଟ୍ ଏଭଳି ସଂକେତ ଦେଇଥିଲା । ଯେଉଁଥିରେ ଶୁଭ୍ରାଂଶୁ ଲେଖିଥିଲେ ଯେ, ବିଜେପି ନିର୍ବାଚିତ ସରକାର ଉପରେ ଆକ୍ରମଣ ନକରି ଆତ୍ମସମୀକ୍ଷା କରିବା ଉଚ୍ଚିତ । ଏହି ପୋଷ୍ଟକୁ ପରେ ସେ ଡିଲିଟ୍ କରି ଦେଇଥିଲେ । କିନ୍ତୁ ରାଜନୈତିକ ମହଲରେ ଯାହା ସଂକେତ ଯିବାର କଥା ଯାଇସାରିଥିଲା । ଏହାରି ଭିତରେ ମମତାଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଥିବା ପୁତୁରା ଅଭିଷେକ ବନାର୍ଜୀ ହସ୍ପିଟାଲକୁ ଯାଇ ଶୁଭ୍ରାଂଶୁଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସୂଚନାଯୋଗ୍ୟ ଯେ, ଶୁଭ୍ରାଂଶୁଙ୍କ ମା’ କରୋନା ସଂକ୍ରମିତ । ଅଭିଷେକ ବାନାର୍ଜୀ ଓ ଶୁଭ୍ରାଂଶୁଙ୍କ ଭେଟଘାଟ୍ ଗୋଟିଏ କଥା କହୁଛି । ଆଉ ତା’ ହେଲା ଆଗକୁ ଶୁଭ୍ରାଂଶୁ ଯଦି ବିଜେପି ଛାଡି ତୃଣମୂଳରେ ପୁଣି ଯୋଗ ଦିଅନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଶୁଭ୍ରାଂଶୁ ନିକଟରେ ଦେଇଥିବା କିଛି ବୟାନରୁ ମଧ୍ୟ ସ୍ପଷ୍ଟ ହେଉଛି ଯେ, ସେ ବିଜେପି ଛାଡି ପୁରୁଣା ଦଳକୁ ଫେରିବାକୁ ମନ ବଳାଇ ସାରିଛନ୍ତି । ଗୋଟିଏ ବୟାନରେ ସେ କହିଥିଲେ ଯେ, ପଶ୍ଚିମବଙ୍ଗ ବିଭାଜନ ରାଜନୀତିକୁ ଗ୍ରହଣ କରେନାହିଁ । ଏଭଳି ବୟାନ ବିଜେପି ତା’ର ବିରୋଧୀଙ୍କଠାରୁ ହିଁ ଆଶା କରିପାରେ । ନିର୍ବାଚନ ପ୍ରଚାର କାଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ କଥା କହୁଥିଲେ । ଦ୍ୱିତୀୟ ବୟାନରେ ଶୁଭ୍ରାଂଶୁ କହିଥିଲେ ଯେ, ଅନେକ ସମୟରେ ପିଲାଙ୍କ କର୍ମର ଫଳ ପିତାମାତାଙ୍କୁ ଭୋଗ କରିବାକୁ ପଡିଥାଏ, ମୋତେ ଲାଗୁଛି ମୋ କର୍ମଫଳ ମୋ ଅଭିଭାବକ ଭୋଗ କରୁଛନ୍ତି । ଏମିତି କହି ଶୁଭ୍ରାଂଶୁ ବିଜେପିରେ ଯୋଗଦାନ ନିଷ୍ପତ୍ତି ଠିକ୍ ନଥିଲା ବୋଲି କହିବାକୁ ଚାହୁଁଛନ୍ତି କି ? ଏହା ମଧ୍ୟ ଏକ ବଡ଼ ପ୍ରଶ୍ନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ୍ କଲ ପାଇବା ପରେ ହୁଏତ ମୁକୁଲା ରାୟ ନିଜ ମନ ବଦଳାଇ ପାରନ୍ତି । ମୁକୁଲ ରାୟ ବିଜେପିରେ ଅସନ୍ତୁଷ୍ଠ ଥିବା କୁହାଯାଉଛି । ବିଜେପି ଯେଉଁଭଳି ଭାବେ ତାଙ୍କୁ ଉପେକ୍ଷା କରି ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାନସଭାରେ ବିରୋଧି ଦଳ ନେତା କରିଲା ତାକୁ ନେଇ ସେ ଅସନ୍ତୁଷ୍ଠ ଅଛନ୍ତି । ଶୁଭେନ୍ଦୁଙ୍କର ନନ୍ଦିଗ୍ରାମ ଛାଡି ବାହାରେ କୌଣସି ପ୍ରଭାବ ନଥିଲା । କିନ୍ତୁ ମୁକୁଲ ବିଜେପିକୁ ୨୦୧୯ ଲୋକସଭା ନିର୍ବାଚନରେ ଏକ ଶକ୍ତିଭାବେ ଛିଡା କରାଇଥିଲେ । ଏହାସହିତ ବିଧାନସଭା ନିର୍ବାଚନରେ ଯେତିକି ବି ସିଟ୍ ବିଜେପି ପାଇଛି ତାହାର ଶ୍ରେୟ ମୁକୁଲଙ୍କୁ  ଯିବ ବୋଲି ରାଜନୈତିକ ବିଶ୍ଲେଷକଙ୍କ ମତ ।

ନିର୍ବାଚନ ଫଳାଫଳ ଆସିବା ପରଠାରୁ ମୁକୁଲ ଆଇସୋଲେସନରେ ଅଛନ୍ତି । କାରଣ ସେ କରୋନା ସଂକ୍ରମିତ ହୋଇଥିଲେ । ଯାହା ତାଙ୍କ ପାଇଁ ଏକ ପ୍ରକାର ଭଲ ହୋଇଛି । କାରଣ ପୁଅର ବୟାନକୁ ନେଇ ତାଙ୍କୁ ଏବେ କିଛି ମଧ୍ୟ କୈଫତ ଦେବାକୁ ପଡୁନି । କିନ୍ତୁ କୋଭିଡ୍ ଆଇସୋଲେସନରୁ ବାହାରିବା ପରେ ମୁକୁଲ ରାଜନୈତିକ ଆଇସୋଲେସନରୁ ବାହାରି କ’ଣ କହିବେ ତା’ ଉପରେ ସଭିଙ୍କ ନଜର ରହିଛି । ହୁଏତ ମୁକୁଲ ରାଜନୈତିକ ବାଧ୍ୟବାଧକତା ଓ ମୋଦିଙ୍କ ବୁଝାଇବାରେ ବିଜେପିରେ ରହି ପାରନ୍ତି କିନ୍ତୁ ପୁଅ ଶୁଭ୍ରାଂଶୁ ବିଜେପି ବାହାରେ ଭବିଷ୍ୟତ ଖୋଜୁଛନ୍ତି ଏଥିରେ ସନ୍ଦେହ ନାହିଁ । ଯଦି ମୁକୁଲ ବିଜେପିରେ ରୁହନ୍ତି  ଓ ପୁଅ ଟିଏମସିକୁ ଯାଆନ୍ତି ତେବେ ଏହା ମଧ୍ୟ ଆଉ ଗୋଟିଏ ରିଭର୍ସ ମାଇଗ୍ରାସେନ୍ ହେବ । ମନେପକାନ୍ତୁ ଜଶବନ୍ତ ସିହ୍ନାଙ୍କୁ । ଜଶବନ୍ତ ବିଜେପି ଛାଡି ଏବେ ତୃଣମୂଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିନ୍ତୁ ପୁଅ ଜୟନ୍ତ ସିହ୍ନା ମୋଦି ସରକାର ପାର୍ଟ ଟୁରେ ମନ୍ତ୍ରୀ ନହୋଇ ପାରଥିଲେ ବି ଦଳ ଛାଡି ନାହାନ୍ତି । ଯଦି ମୁକୁଲ ବିଜେପିରେ ରୁହନ୍ତି ଓ ପୁଅ ଟିଏମସିକୁ ଯାଆନ୍ତି ତେବେ ଏହା ସିହ୍ନା ପରିବାରର ଓଲଟା ହେବ ।

୩୩ ଜଣ ବିଜେପି ବିଧାୟକAbhisek bannerjeeJeshwant SinhaMukul Roy TMC ReturnMukul Roys sonNandigram seatPM ModiReverse Migration of BJP leadersSubhranshu Roy Facebook PostSuvendu AdhikariWest Bengal electionsଅଭିଷେକ ବନାର୍ଜୀଜଶବନ୍ତ ସିହ୍ନାଟିଏମସିତୃଣମୂଳନନ୍ଦିଗ୍ରାମପଶ୍ଚିମବଙ୍ଗ ବିଜେପିପଶ୍ଚିମବଙ୍ଗ ବିଭାଜନ ରାଜନୀତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିମମତାଙ୍କ ଉତ୍ତରାଧିକାରୀମୁକୁଲ ରାୟମୁକୁଲ ରାୟ ବିଜେପିରେ ଅସନ୍ତୁଷ୍ଠରିଭର୍ସ ମାଇଗ୍ରେସନଶୁଭେନ୍ଦୁ ଅଧିକାରୀଶୁଭ୍ରାଂଶୁ ରାୟଶୁଭ୍ରାଂଶୁଙ୍କ ଫେସବୁକ୍ ପୋଷ୍ଟ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami