ପ୍ରଥମ ନିର୍ବାଚନରୁ ଭୋଟ ଦେଇ ଆସୁଛନ୍ତି ୧୦୪୯ ଜଣ

ପ୍ରୟାଗରାଜ: ଏବେ ଚାରିଆଡ଼େ ନିର୍ବାଚନ ମାହୋଲ । ସାଧାରଣ ନିର୍ବାଚନରେ ମତଦାନକୁ ନେଇ ଯୁବ ଭୋଟରଙ୍କଠାରୁ ଆରମ୍ଭ କରି ବୟୋଜ୍ୟଷ୍ଠଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ଏହା ମଧ୍ୟରେ ଭୋଟରଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ପ୍ରୟାଗରାଜର କିଛି ଭୋଟର ଚର୍ଚ୍ଚାରେ ଅଛନ୍ତି । ଏଠାକାର ୪୬ ଲକ୍ଷ ଭୋଟରଙ୍କ ମଧ୍ୟରେ ୧୦୪୯ ଜଣ ବୟୋଜ୍ୟଷ୍ଠ (ସୁପର ସିନିୟର) ସାମିଲ ଅଛନ୍ତି । ଏମାନଙ୍କ ବୟସ ୧୦୦ରୁ ୧୨୦ ମଧ୍ୟରେ ରହିଛି । ଏହି ବୟସ୍କ ବ୍ୟକ୍ତିମାନେ ଭାରତରେ ବ୍ରିଟିଶ ଶାସନର ଅନ୍ତ ସହିତ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଠାରୁ ରାଜନୈତିକ ଯାତ୍ରା ଦେଖି ଆସିଛନ୍ତି । କେବଳ ସେତିକି ନୁହେଁ, ସ୍ୱାଧୀନ ଭାରତର ୧୯୫୨ରେ ହୋଇଥିବା ପ୍ରଥମ ନିର୍ବାଚନରୁ ଆଜି ପର୍ଯ୍ୟନ୍ତ ସବୁ ନିର୍ବାଚନରେ ଭୋଟ ଦେଇ ବି ଆସୁଛନ୍ତି । ନିର୍ବାଚନ କମିଶନ ଜାରି କରିଥିବା ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ୧୦୦ରୁ ୧୦୯ ବର୍ଷ ବୟସ ମଧ୍ୟରେ ୪୧୪ ପୁରୁଷ ଏବଂ ୪୪୦ ମହିଳା ଭୋଟର ସାମିଲ ଅଛନ୍ତି । ସେହିପରି ୧୧୦ରୁ ୧୧୯ ବର୍ଷ ବୟସ ମଧ୍ୟରେ ୩ ପୁରୁଷ ଏବଂ ୧୦ ମହିଳା ଅଛନ୍ତି । ୧୨୦ରୁ ଅଧିକ ବୟସର ୪୪ ପୁରୁଷ ଏବଂ ୩୮ ମହିଳା ସାମିଲ ଅଛନ୍ତି । ସାରା ଦେଶରେ ୧୦୦ରୁ ଅଧିକ ବୟସର ପ୍ରାୟ ୨ ଲକ୍ଷ ୧୮ ହଜାର ଭୋଟର ଅଛନ୍ତି । ଚଳିତ ଥର ନିର୍ବାଚନରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏମାନେ ଘରେ ବସି ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇପାରିବେ ।

ଚଳିତ ବର୍ଷ ମତଦାନ କରିବାକୁ ଆଶା ରଖିଛନ୍ତି ଅନେକ ବୟୋଜ୍ୟଷ୍ଠ

ପ୍ରୟାଗରାଜ ହନୁମାନଗଞ୍ଜ ତହସିଲ ଅନ୍ତର୍ଗତ କରନପୁର ଗ୍ରାମର ୧୦୩ ବର୍ଷୀୟ ଦମ୍ପତି ଭାଗବତି ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ କଳାବତୀ ୧୯୫୨ରୁ ଭୋଟ ଦେଇ ଆସୁଛନ୍ତି । ଉଭୟେ ଚଳିତ ବର୍ଷ ମଇ ୨୫ରେ ମଧ୍ୟ ଭୋଟଦାନ କରିବାକୁ ଆଶା ରଖିଛନ୍ତି । ଭାଗବତି ପ୍ରସାଦ ନିଜ ସ୍ତ୍ରୀକୁ ଉତ୍ତମ ବନ୍ଧୁ କହିଛନ୍ତି । ସେ ତାଙ୍କ ସହ ସବୁ କିଛି ସେୟାର କରନ୍ତି । କିନ୍ତୁ ପତ୍ନୀ କାହାକୁ ଭୋଟ ଦେଉଛନ୍ତି ତାହା ଏ ପର୍ଯ୍ୟନ୍ତ ତାଙ୍କୁ କହିନାହାନ୍ତି । କଳାବତୀ ପ୍ରଥମେ ନେହେରୁଙ୍କୁ ପସନ୍ଦ କରୁଥିଲେ, କିନ୍ତୁ ଏବେ ନେତା ବଦଲାଇ ଦେଇଛନ୍ତି ବୋଲି ପ୍ରସାଦ ହସି ହସି କହିଛନ୍ତି । ସେହିପରି ଚକ ମରାପଟିର ୧୦୪ ବର୍ଷୀୟ ଗୁଲାବି ଦେବୀ ଅନେକ ଥର ଭୋଟ ଦେଇଥିବା କହିଛନ୍ତି ।

1049 super seniors1049 super seniors voting since 1st pollslokasabha election
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami