୧୧୫ ବର୍ଷ ଭିତରେ ୪ ଥର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ଚାଷୀ

915

ଚାଷୀଙ୍କ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି । ବିରୋଧୀ କହୁଛନ୍ତି ଅହଙ୍କାରର ଅନ୍ତ ହୋଇଛି । ସୋସିଆଲ ମିଡିଆ କହୁଛି ଝୁକତି ହୈ ଦୁନିଆ ଝୁକାନେ ବାଲା ଚାହିଏ । ଉତ୍ତର ପ୍ରଦେଶ ଓ ପଂଜାବ ଭଳି ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ ପୂର୍ବର ସେମିଫାଇନାଲ । ବିଜେପିକୁ ଯଦି ଲମ୍ବା ଇନିଂସ ଖେଳିବାର ଅଛି ତେବେ ଉତ୍ତର ଭାରତ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଥିବା ଚାଷୀଙ୍କୁ ଶାନ୍ତ କରିବା ଗୈରିକ ଦଳର ପ୍ରଥମ ଆବଶ୍ୟକତା ଥିଲା । ତେଣୁ ଦଳ ଭୋଟ୍ ପାଇଁ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ବୋଲି ସମାଲୋଚକ କହୁଛନ୍ତି । ନିଶ୍ଚିତ ଭାବେ ଚାଷ ଆଇନ ପ୍ରତ୍ୟାହାର ପଛରେ ଭୋଟ୍ ଅଙ୍କର ବଡ଼ ଭୂମିକା ରହିଛି । କିନ୍ତୁ ଇତିହାସର ଫର୍ଦ୍ଦ ଯଦି ଓଲଟା ଯାଏ ତେବେ ଦେଖିବାକୁ ମିଳିବ ଯେ, ଯେତେବେଳେ ଚାଷୀ ବିଲ ଛାଡି ରାସ୍ତା ଉପରକୁ ଆସିଛନ୍ତି ସେତେବେଳେ ଶକ୍ତିଶାଳୀ ସାମ୍ରାଜ୍ୟ ମଧ୍ୟ ନତମସ୍ତକ ହେବାକୁ ବାଧ୍ୟ ହୋଇଛି । ଗତ ୧୧୫ ବର୍ଷର ଇତିହାସରେ ୪ଥର ଚାଷୀ ସରକାରକୁ ସେମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି । କେତେବେଳେ ସହିଦ ଭଗତ ସିଂହଙ୍କ ଦାଦା ଅଜିତ ସିଂହ ବ୍ରିଟିଶ ସାମ୍ରାଜ୍ୟକୁ ଚାଷୀଙ୍କ ଆଗରେ ଅସ୍ତ୍ରତ୍ୟାଗ ପାଇଁ ବାଧ୍ୟ କରିଛନ୍ତି ତ’ କେତେବେଳେ ରାକେଶ ଟିକାଏତଙ୍କ ବାପାଙ୍କ ଆଗରେ ରାଜୀବ ଗାନ୍ଧୀଙ୍କ ସରକାର ଆତ୍ମସମର୍ପଣ କରିଥିଲା । ଆସନ୍ତୁ ନଜର ପକାଇବା ସେଇ ୧୧୫ ବର୍ଷର ଇତିହାସ ଉପରେ, ଯେତେବେଳେ ସରକାର ଚାଷୀଙ୍କ କଥା ମାନିବାକୁ ବାଧ୍ୟ ହୋଇଥିଲେ…

୧୯୦୭ : ପଗଡ଼ି ସମ୍ଭାଲ ଜତ୍ତା ଲହର

୧୯୦୭ରେ ବ୍ରିଟିଶ ସରକାର ୩ଟି କୃଷି ଆଇନ ଆଣିଥିଲେ । ଏହି ଆଇନ ଭିତରୁ ଗେୋଟିଏ ସରକାରଙ୍କୁ ଚାଷୀର ଜମି ଜବତ କରିବା ଅଧିକାର ଦେଇଥିଲା । ଯାହା ବିରୋଧରେ ସହିଦ ଭଗତ ସିଂହଙ୍କ ଦାଦା ଅଜିତ ସିଂହ ପଗଡ଼ି ସମ୍ଭାଲ ଜତ୍ତା ଲହର ଆନ୍ଦୋଳନ ଆରମ୍ଭ କରିଥିଲେ । ପଂଜାବ ଔପନିବେଶକ ଆଇନ, ବର୍ଦ୍ଧିତ କର ଓ ପାଣି ରେଟ୍ ବିରୋଧରେ କୃଷକ ଆନ୍ଦୋଳନ ଆରମ୍ଭ କରିଥିଲେଆନ୍ଦୋଳନର ତିବ୍ରତା ବ୍ରିଟିଶ ସରକାରଙ୍କୁ ଡରାଇ ଦେଇଥିଲା । ବ୍ରିଟିଶ ସରକାର ଭାବିଥିଲେ ଯେ, ଏହାର ପ୍ରଭାବରେ ବ୍ରିଟିଶ ସେନାରେ ଥିବା ପଂଜାବୀ ସୈନିକ ବିଦ୍ରୋହ କରିବେ । ଏହି ଡର ପାଇଁ ମେ ୧୯୦୭ରେ ବ୍ରିଟିଶ ସରକାର ଆଇନକୁ ରଦ୍ଦ କରିଥିଲେ । ଅବଶ୍ୟ ଅଜିତ ସିଂହ ଓ ଲାଲା ଲାଜପତ ରାୟଙ୍କୁ ଏଥିପାଇଁ ବର୍ମାର ମାଣ୍ଡଲା ଜେଲରେ ୬ ମାସ ବିତାଇବାକୁ ପଡିଥିଲା ।

ସାର ଛୋଟୁରାମଙ୍କ ଆନ୍ଦୋଳନ : ବ୍ରିଟିସ ସରକାର ବାଧ୍ୟରେ ଦେଇଥିଲେ ନାଇଟ୍ ଉପାଧି

ସାର ଛୋଟୁରାମ ଓରଫ ଦିନବନ୍ଧୁ ଚୌଧୁରୀଙ୍କୁ ବ୍ରିଟିଶ ସରକାର ୧୯୩୭ରେ ନାଇଟ୍ ଉପାଧି ପ୍ରଦାନ କରିଥିଲେ । କୃଷକଙ୍କ ଅଧିକାର ପାଇଁ ତାଙ୍କ ଆନ୍ଦୋଳନ ଯୋଗୁ ସେ ଚାଷୀଙ୍କ ତ୍ରାଣକର୍ତ୍ତା ଭାବେ ପରିଚିତ ଥିଲେସାର ଛୋଟୁରାମଙ୍କ ପାଇଁ ୧୯୩୮ ମସିହାରେ ସାହୁକାର ପଂଜିକରଣ ଆଇନ ଆସିଥିଲା । ଏହି ଆଇନ ଅନୁସାରେ କୌଣସି ସାହୁକାର ପଂଜିକରଣ ନକରିଥିଲେ କାହାରିକି ସୁଧରେ କରଜ ଦେଇ ପାରିବେ ନାହିଁ । ଏହା ସହିତ ଚାଷୀଙ୍କ ବିରୋଧରେ ଅଣପଂଜିକୃତ ସାହୁକାର ଅଦାଲତକୁ ଯାଇ ପାରିବେ ନାହିଁ । ସେହିଭଳି ସାର ଛୋଟୁରାଙ୍କ ପାଇଁ ଚାଷୀ ସେମାନଙ୍କ ବନ୍ଧା ପଡିଥିବା ଜମି ଫେରିପାଇଥିଲେ । ୧୯୩୮ ମସିହାରେ ଆସିଥିବା ଆଇନ ଅନୁସାରେ ୧୯୦୧ ପରେ ଯେଉଁ ଜବତ ଜମିକୁ ନିଲାମ ଜରିଆରେ ବିକ୍ରି କରାଯାଇଥିଲା କିମ୍ବା ୩୭ ବର୍ଷ ଧରି ବନ୍ଧା ପଡିଥିଲା ତାହା ଚାଷୀଙ୍କୁ ମାଗଣାରେ ଫେରାଇ ଦିଆଗଲା । ସେହିଭଳି ଛୋଟୁରାମଙ୍କ ପାଇଁ ଋଣ କ୍ଷମା ଆଇନ ମଧ୍ୟ ଆସିପାରିଥିଲା । ଏହି ଆଇନ ଅନୁସାରେ ଯଦି କରଜକାରୀ ଚାଷୀ ନେଇଥିବା ଋଣରାଶିଠାରୁ ଦୁଇ ଗୁଣ ଅଧିକ ସୁଧ ଦେଇ ସାରିଛନ୍ତ ତେବେ ତାଙ୍କ କରଜ ମାଫ କରିଦିଆଯିବ ।

ବାବା ଟିକାଏତ ଦିଲ୍ଲୀକୁ ଅଚଳ କରିଦେଇଥିଲେ

୩୨ ବର୍ଷ ତଳେ ରାକେଶ ଟିକାଏତଙ୍କ ପିତା ତଥା ଭାରତୀୟ କିଶାନ ୟୁନିୟନର ପ୍ରତିଷ୍ଠାତା ମହେନ୍ଦ୍ର ପ୍ରତାପ ସିଂ ଟିକାଏତ ଦିଲ୍ଲୀକୁ ଏକରକମ ଠପ୍ କରିଦେଇଥିଲେ । ତାଙ୍କ ଆହ୍ୱାନରେ ୫ ଲକ୍ଷ ଚାଷୀ ଦିଲ୍ଲୀରେ ଡେରା ପକାଇଥିଲେ । ସେତେବେଳେ ଦେଶରେ ରାଜୀବ ଗାନ୍ଧୀଙ୍କ ସରକାର ଥିଲା । ରାଜୀବ ୪୧୪ ଆସନ ସହିତ ମଜବୁତ ସ୍ଥିତିରେ ଥିଲେ । କିନ୍ତୁ ଦିଲ୍ଲୀ ତାଙ୍କ କବଜାରେ ନୁହେଁ ମହେନ୍ଦ୍ର ଟିକାଏତଙ୍କ ଅଧିକାରରେ ଥିଲା । ମହେନ୍ଦ୍ର ଟିକାଏତ ଆଲୋଚନା ପାଇଁ ସରକାର ପାଖକୁ ଯିବାରେ ବିଶ୍ୱାସ କରୁନଥିଲେ । ବରଂ ସେ ସରକାରଙ୍କୁ ତାଙ୍କ ପାଖକୁ ଆସିବାକୁ ବାଧ୍ୟ କରୁଥିଲେ । ୨୫ ଅକ୍ଟୋବର ୧୯୮୮ରେ ଟିକାଏତ ସିନିୟର ଦିଲ୍ଲୀର ବୋଟ୍ କ୍ଲବରେ ନିଜ ତମ୍ବୁ ପକାଇଥିଲେ । ତାଙ୍କ ସହିତ ଥିଲେ ୧୪ ରାଜ୍ୟରୁ ଆସିଥିବା ୫ ଲକ୍ଷ ଚାଷୀ । ଏହାପରେ ବିଜୟ ଚୌକରୁ ଇଣ୍ଡିଆ ଗେଟ୍ ଚାଷୀଙ୍କ ଅକ୍ତିଆରକୁ ଆସିଯାଇଥିଲା । ୭ ଦିନ ପାଇଁ ଦିଲ୍ଲୀ ଅଚଳ ହୋଇଥିଲାଫଳରେ ତତ୍କାଳୀନ ସରକାର ମାତ୍ର ୭ ଦିନରେ ମହେନ୍ଦ୍ରଙ୍କ ଆଗରେ ଆତ୍ମସମର୍ପଣ କରି ସବୁ ଦାବି ମାନି ନେଇଥିଲେ ।

ଏବଂ ୨୦୨୦ର ଆନ୍ଦୋଳନ

୨୦୨୦ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ମଧ୍ୟ ୧୧୫ ବର୍ଷର ସେହି ୪ ଆନ୍ଦୋଳନ ଭିତରେ ସାମିଲ ହୋଇଛି । ଧାରା ୩୭୦ ଉଛେଦ କରିଥିବା ସରକାର ମଧ୍ୟ ଶେଷରେ ଚାଷୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ କ୍ଷମା ମଧ୍ୟ ମାଗିବାକୁ ପଡିଛି ।

Leave A Reply

Your email address will not be published.

Close Bitnami banner
Bitnami