ଦୁର୍ଗମ ଅଂଚଳର ସାଥୀ ସରୋଜିନୀ

462

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଜଉଁରାଭଉଁରା ପଂଚାୟତର ଏଏନ୍‌ଏମ୍ ଦିଦି ସରୋଜିନୀ କୁଅଁର । ଏ ପଂଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଂଚଳରେ । ଚାଲିଚାଲି ଯିବାକୁ ପଡ଼େ । ତଥାପି ସେ ଦିନେ ଥକିନାହାନ୍ତି । ଏମିତି ଦିନ ନାହିଁ ଯେଉଁଦିନ ସେ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି । ଏବେ କରୋନା ସମୟରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି । ଏ ଦୁର୍ଗମ ଅଂଚଳରେ ଲୋକଙ୍କ ସାଥୀ ପାଲଟିଯାଇଛନ୍ତି ସରୋଜିନୀ । ବିିଭିନ୍ନ ସୁବିଧା ଅସୁବିଧାରେ ଛିଡ଼ା ହୋଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରିୟ ଦିଦି ପାଲଟିଯାଇଛନ୍ତି ସେ ।

ANM didi sarojini kuanr, sonepur district, Asha karmi, Anganwadi didi

ପ୍ରତିଦିନ ସକାଳ ୭ଟା ହେଲେ ସରୋଜିନୀ ବାହାରି ଯାଆନ୍ତି । ସ୍ଥାନୀୟ ଅଙ୍ଗନବାଡ଼ି ଦିଦି ଆଶା ଦିଦିଙ୍କୁ ନେଇ ଗାଁ ବୁଲନ୍ତି । ଏବେ ତାଙ୍କ ଅଧୀନରେ ୧୦ଟି ଗାଁ ଥିବାବେଳେ ୧୪ ଜଣ ଅଙ୍ଗନବାଡ଼ି ଦିଦି୭ ଜଣ ଆଶା ଦିଦି ଅଛନ୍ତି । ସୋନପୁର ଜିଲ୍ଲା ମୁଖ୍ୟାଳୟଠାରୁ ୩୫ କିଲୋମିଟର ଦୂରରେ ଥିବା ଏହି ପଂଚାୟତର ଅଧିକାଂଶ ଗାଁ ବଣପାହାଡ଼ ଘେରା । ଗୁଜା, ସାତମୁଣ୍ଡା, କୃଷ୍ଣପୁର, ଥେଲକୁ, ବେନ୍ନି, ବୌଦ୍ଧଚୁଡ, ତିଲି, ଜୁନେନ୍ ଭଳି ଗାଁଗୁଡ଼ିକୁ ବର୍ଷା  ଦିନେ ଯିବା ଆସିବାକୁ ରାସ୍ତାନାହିଁ । ଏକମାତ୍ର ବିକଳ୍ପ ହେଉଛି ପାଦଚଲା ଯାତ୍ରା । ନିଜ ସାଥୀ ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦିମାନଙ୍କୁ ମାନସିକ ଭାବେ ଦୃଢ଼  କରି ଲୋକଙ୍କ ପାଖରେ ପହଂଚିଯାଉଛନ୍ତି । କେତେବେଳେ ୨ କିଲୋମିଟର ତ ଆଉ କେତେବେଳେ ୫ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି । ସାହି ମୁରବୀମାନଙ୍କ ଜରିଆରେ ଲୋକଙ୍କୁ ବୁଝାଇ ଘରକୁ ଘର ବୁଲି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରୁଛନ୍ତି । ଥର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନସ୍ତର ମାପୁଛନ୍ତି

ଲୋକଙ୍କ ସହ ସ୍ଥାନୀୟ ଭାଷାରେ କଥାବାର୍ତା କରି କରୋନା ସମ୍ପର୍କରେ ସଚେତନ ବି କରୁଛନ୍ତି ସରୋଜିନୀ । କାହାର କରୋନାର କିଛି ଲକ୍ଷଣ ଥିଲେ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରୁଛନ୍ତି । ମାସ୍କ ପରିଧାନ, ସାମାଜିକ ଦୂରତାକୁ ଛାଡ଼ି ସାମାନ୍ୟ ଥଣ୍ଡା କାଶ ହେଲେ କେଉଁ ସବୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ସେସବୁ ବି ବୁଝୁଛନ୍ତି । କରୋନା ଛଡ଼ା ଡାଇରିଆ, ମ୍ୟାଲେରିଆ, ଡେଙ୍ଗୁ, ଟିବି ଆଦି ବାବଦରେ ବି ଲୋକଙ୍କୁ ବୁଝାଉଛନ୍ତି । ସଙ୍ଗରୋଧରେ ରହି କିପରି ଘରୋଇ ଉପଚାରରେ ଶାରୀରିକ ଯତ୍ନ ନେଇ ହେବ ସେ ବାବଦରେ ଶିକ୍ଷା ଦେଉଛନ୍ତି । ସ୍ଥାନୀୟ ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ସହ ମିଶି ସାବୁନରେ ହାତ ଧୋଇବା ତଥା ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ସେ ବୁଝାଇବାରେ ସଫଳ ହୋଇଛନ୍ତି । ବିଶେଷକରି ଗର୍ଭବତୀ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଟିକା ନେଇ ସେ ସର୍ବଦା ତତ୍ପର । ଏ ବାବଦରେ ସରୋଜିନୀ କହନ୍ତି ଏ  ଅଂଚଳର ଲୋକେ ଆଦିବାସୀ ହୋଇଥିବାବେଳେ ସହର ସହ ଯୋଗାଯୋଗ କମ୍ । ତେଣୁ କରୋନା ବାବଦରେ କିଛି ବୁଝନ୍ତି ନାହଁ । ଟିକା ପାଇଁ ଲୋକଙ୍କୁ ବୁଝାଇବା ସବୁଠାରୁ ବଡ଼ ସମସ୍ୟା । ୧୦ଟି ଗାଁରେ ୧୦୦୦ରୁ ଅଧିକ ଲୋକ ରହୁଥିବାବେଳେ ବର୍ତମାନ ସୁଦ୍ଧା ମାତ୍ର ୪୨୫ ଜଣ ଟିକା ନେବାକୁ ଜଉଁରାଭଉଁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଛନ୍ତି । ଏସବୁ ସମ୍ଭବ ହୋଇଛି ପ୍ରତିଦିନ ଗାଁକୁ ଯିବା ଦ୍ୱାରା । ପ୍ରଥମେ ପ୍ରଥମେ ଜଣେ ହେଲେ ଟିକା ନେବାକୁ ମଙ୍ଗୁ ନଥିଲେ । ଏବେ ଅନ୍ତତଃ ଶୁଣୁଛନ୍ତି ଓ ମାସ୍କ ପିନ୍ଧୁଛନ୍ତି । ଲୋକଙ୍କ ପାଇଁ  ଆମେ ପ୍ରତିଦିନ ନିଜ କାର୍ଯ୍ୟ ଶୈଳୀରେ ପରିବର୍ତନ କରିଛୁ । ପ୍ରତିଦିନ ଗାଁକୁ ଯିବାକୁ ଯୋଜନା ହୋଇଥିବାବେଳେ  କେଉଁ ଦିନ କେଉଁ ଗାଁକୁ ଯିବୁ ଓ ସାଥିରେ କେଉଁ ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦି ରହିବେ ତାହା ପୂର୍ବରୁ ନିର୍ଦ୍ଧାରିତ କରୁଛୁ । ଗାଁର ସରଳ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ଯେଉଁ ତୃପ୍ତି ମିଳେ, ତାହା ଅନ୍ୟ କୌଣସି କାର୍ଯ୍ୟରୁ ମିଳେ ନାହିଁ ବୋଲି କହିଛନ୍ତି ସରୋଜିନୀ

Leave A Reply

Your email address will not be published.

Close Bitnami banner
Bitnami