ଟିକାକରଣକୁ ନେଇ କେନ୍ଦ୍ରର ଦାବି ଓ ବାସ୍ତବତା ଭିତରେ ଆକାଶ ପାତାଳ ଫରକ

463

ଧିମା ଟିକାକରଣ କେନ୍ଦ୍ର ସରକାର ପାଇଁ ଚିନ୍ତାର ବିଷୟ

ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଏବେ ଧିମା ପଡିଥିବା ଭଳି ଲାଗୁଛି । ମେ ମାସର ଦୈନିକ 4 ଲକ୍ଷ ସଂକ୍ରମଣ ମାମଲା ତୁଳନାରେ ଜୁନର ଦୈନିକ ଏକ ଲକ୍ଷ ମାମଲା ନିଶ୍ଚୟ ଆଶ୍ୱସ୍ତିକର । ଏହାଭିତରେ କେନ୍ଦ୍ର ସରକାର ଟିକାକରଣକୁ ନେଇ ରୋଡ୍ ମ୍ୟାପ୍ ମଧ୍ୟ ଜାରି କରିସାରିଲେଣି । କେନ୍ଦ୍ରର ଦାବି ଯେ, ଡିସେମ୍ବର ସୁଧା ଦେଶର ସବୁ ନାଗରିକଙ୍କୁ ଟିକା ଦିଆଯିବ । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ 216 କୋଟି ଡୋଜ୍ ଟିକା ଦେଶରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି । 8 ଜୁନ୍ ସୁଧା ପ୍ରଥମ ଓ ଉଭୟ ଡୋଜ୍ ନେଇଥିବା ନାଗରିକଙ୍କ ସଂଖ୍ୟା 24 କୋଟି ରହିଛି । କିନ୍ତୁ ଧିମା ଟିକାକରଣ କେନ୍ଦ୍ର ସରକାର ପାଇଁ ଏବେ ମଧ୍ୟ ଚିନ୍ତାର ବିଷୟ ଏଥିରେ ସନ୍ଦେହ ନାହିଁ । ଟିକାକରଣକୁ ନେଇ କେନ୍ଦ୍ରସରକାର ଯେଉଁ ସବୁ ଦାବି କରୁଛନ୍ତି ଓ ତୃଣମୂଳ ସ୍ତରର ସତ ଭିତରେ ଆକାଶ ପାତାଳ ଫରକ ରହିଛି । ଫରକ ଏତେ ଅଧିକ ଯେ, ଡିସେମ୍ବର ସୁଧା ଦେଶର ସମସ୍ତଙ୍କୁ ଟିକା ଅସମ୍ଭବ ଲାଗୁଛି । ଅବଶ୍ୟ, ଯଦି ମୋଦି ଏହି ଅସମ୍ଭବକୁ ସମ୍ଭବ କରି ଦିଅନ୍ତି ତେବେ ମୋଦି ହୈ ତୋ ମୁମକିନ୍ ହୈ କହିବାକୁ ସମର୍ଥକଙ୍କୁ ସୁଯୋଗ ମିଳିବ । ତେବେ ଆସନ୍ତୁ ଜାଣିବା କେନ୍ଦ୍ରର ଦାବି କ’ଣ ପାଇଁ ବାସ୍ତବତା ସହିତ ମେଳ ଖାଉନାହିଁ ।

ଟ୍ରାଏଲ ଫେଜରେ ଟିକା

ଗତ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଅଗଷ୍ଟରୁ ଡିସେମ୍ବର ମାସରେ ଦେଶକୁ ବିଭିନ୍ନ ବ୍ରାଣ୍ଡର 216 କୋଟି ଡୋଜ୍ ଟିକା ମିଳିବ । ଯାହ ମଧ୍ୟରେ ରହିଛି କୋଭିସିଲ୍ଡର 75 କୋଟି ଡୋଜ୍, କୋଭାକ୍ସିନର 55କୋଟି, ବାୟୋ ଇ-ଭ୍ୟାକ୍ସିନର 30 କୋଟି ଡୋଜ୍, ନୋଭେକ୍ସର 20 କୋଟି ଡୋଜ୍, ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନର 10 କୋଟି ଡୋଜ୍, ଜେନୋଭା ଟିକାର 6 କୋଟି, ଜାଇଡସ କାଡିଲାର 5 କୋଟି ଡୋଜ୍ ଓ ସ୍ପୁଟନିକ୍ ଭିର 15 କୋଟି ଡୋଜ୍ । ଏହି ହିସାବରେ ଟିକା ଉତ୍ପାଦନକାରୀ କମ୍ପାନିଙ୍କୁ ପ୍ରତି ମାସରେ 36 କୋଟି ଟିକା ଉତ୍ପାଦନ କରିବାକୁ ପଡିବ । ଭାରତରେ ଏବେ ଟିକାକରଣ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନର ହିଁ ବ୍ୟାପକ ବ୍ୟବହାର ହେଉଛି ।

ବର୍ତ୍ତମାନ ମାସକୁ 6 କୋଟି ଡୋଜ୍ କୋଭିସିଲ୍ଡ ଉତ୍ପାଦିତ ହେଉଛି । ସିରମ ଇନଷ୍ଟିଚ୍ୟୁଟ୍ ଯଦି ନିଜ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରେ ତେବେ ଏହା ମାସକୁ 10କୋଟି ଡୋଜ୍ ଉତ୍ପାଦନ କରି ପାରିବ । ସରକାର କୋଭିସିଲ୍ଡର 75 କୋଟି ଡୋଜ୍ ଚାହୁଁଛନ୍ତି । ଯଦି ମାସକୁ 10 କୋଟି କୋଭିସିଲ୍ଡ ଉତ୍ପାଦିତ ହୁଏ ତେବେ ମଧ୍ୟ ଡିସେମ୍ବର ସୁଧା ଏହା 60 କୋଟି ଡୋଜ୍ ଉତ୍ପାଦନ କରି ପାରିବ । ଅର୍ଥାତ ଲକ୍ଷ୍ୟଠାରୁ 15 କୋଟି ଡୋଜ୍ ପଛରେ ରହିବ । ସେହିଭଳି ଭାରତ ବାୟୋଟେକ୍ ମାସକୁ 5 କୋଟି 35 ଲକ୍ଷ କୋଭାକ୍ସିନ୍ ଉତ୍ପାଦନ କରିଥିବା ଦାବି କରୁଛି । ଯଦି କମ୍ପାନିର ଦାବିକୁ ବିଶ୍ୱାସ କରାଯାଏ ତେବେ ଏହା ନିଜ ଲକ୍ଷ୍ୟଠାରୁ ଅଳ୍ପ ପଛରେ ରହିବ । ଅନ୍ୟପକ୍ଷରେ ସିରମ ଇନଷ୍ଟିଚ୍ୟୁଟରେ ନୋଭେକ୍ସ ଓ ଭାରତ ବାୟୋଟେକ୍ ଦ୍ୱାରା ନାଜାଲ ଟିକା ମଧ୍ୟ ତିଆରି ହେଉଛି । ଏହି ଦୁଇ ଟିକାର 30 କୋଟି ଡୋଜ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଗୋଟିଏ କଥା ହେଉଛି ଯେ, ଏହି ଦୁଇ ଟିକା ଯଦି ଉତ୍ପାଦିତ ହୁଏ ତେବେ କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନ ବାଧିତ ହେବ । କାରଣ ଏହି ସବୁ ଟିକା ଗୋଟିଏ ସ୍ଥାନରେ ତିଆରି ହେବ ।

ଏସଓପି ଓ ଗୁଡ୍ ମ୍ୟାନୁଫେକ୍ଚରିଂ ପ୍ରାକ୍ଟିସ ହେବ ପ୍ରତିବନ୍ଧକ

ବାୟୋଲଜିକ୍-ଇ’ର ଭାଇସ ପ୍ରେସିଡେଣ୍ଟ୍ ଡ. ବିକ୍ରମ ପରାଡକରଙ୍କ ଅନୁସାରେ ଦୁନିଆରେ ତିନିରୁଚାରି ପ୍ରକାରର ଟିକା ତିଆରି ହୋଇଥାଏ । ସବୁ ଟିକାର ଟେକନିକ୍ ଅଲଗା ଓ ସେମାନଙ୍କୁ ତିଆରି କରିବା ପାଇଁ ମଧ୍ୟ ସମୟ ଲାଗିଥାଏ । ଟିକାର ମହତ୍ୱପୂର୍ଣ୍ଣ ଅଙ୍ଗ ଆଣ୍ଟିଜେନ୍ ହୋଇଥାଏ । ଆଣ୍ଟିଜେନକୁ ତିଆରି କରିବା ପାଇଁ ତିନି ମାସର ସମୟ ଲାଗିଥାଏ । ଯଦି ଟିକା ଭାଇରସ ଆଧାରିତ ହୋଇଥାଏ ତେବେ ଭାଇରସକୁ ବିକଶିତ କରିବା ପାଇଁ ପ୍ରଥମ ସେଲ୍ ବିକଶିତ କରିବାକୁ ପଡିଥାଏ । ତା’ପରେ ତାହାର ରିକଭରି କରି ଆଣ୍ଟିଜେନ୍ ହାସଲ କରାଯାଏ । ଆଣ୍ଟିଜେନ୍ ହାସଲ କରିବା ପରେ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୁଏ । ଆଣ୍ଟିଜେନ୍ ଠିକଠାକ୍ ତିଆରି ହୋଇଛି ନା ନାହିଁ ଏହି ଟେଷ୍ଟରୁ ଜଣା ପଡେ । ଏହା ପରେ ଟିକା ତିଆରି ଆରମ୍ଭ ହୁଏ । ଏବେ ବ୍ୟବହାର କରାଯାଉଥିବା ଟିକା ଭାୟଲର କମ୍ପୋନେଟର ବିକାଶ ତିନିରୁ ଚାରି ମମାସ ଆଗରୁ ହୋଇଥାଏ । ଏହି ପ୍ରକ୍ରିୟାରେ ଲଗୁଥିବା ସମୟକୁ କମ କରାଯାଇ ପାରିବ ନାହିଁ । ଡକ୍ଟର ବିକ୍ରମଙ୍କ ଏହି ଗୋଟିଏ କଥା ସ୍ପଷ୍ଟ କରୁଛି ଯେ, କେନ୍ଦ୍ର ସରକାରଙ୍କ 216 କୋଟି ଡୋଜ୍ ଲକ୍ଷ୍ୟ ରାସ୍ତାରେ ଟିକା ବିକାଶ ପ୍ରକ୍ରିୟା ମଧ୍ୟ ବାଧା ସୃଷ୍ଟି କରିବ ।

ଟିକାକରଣର ଗତି ଚିନ୍ତାର ବିଷୟ

ଡିସେମ୍ବର ଶେଷ ସୁଧା ଦେଶର 18 ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟିକା ଦେବା ଲକ୍ଷ୍ୟ ପୁରଣ ପାଇଁ ପ୍ରତିଦିନ 50 ଲକ୍ଷ ଲୋକଙ୍କୁ ଟିକା ଦେବାକୁ ପଡିବ । ଜୁନ୍ ମାସରେ ହାରାହାରି ଟିକାକରଣ ଥିଲା 27 ଲକ୍ଷ । ଯେତେବେଳକି ମେ ମାସର ପ୍ରଥମ ତିନି ସପ୍ତାହରେ ଏହା ଥିଲା ହାରାହାରି 16.2 ଲକ୍ଷ । ଜୁନର ପ୍ରଥମ ସପ୍ତାହରେ ଟିକାକରଣର ହାରାହାରି ରହିଥିଲା 26 ଲକ୍ଷ । ଆଗକୁ ଏହାକୁ ଆହୁରି ବଢାଇବାର ଲକ୍ଷ୍ୟ ରହିଛି । କିନ୍ତୁ ଏହା ନିର୍ଭର କରିବ ଟିକା ଉପଲବ୍ଧତା ଉପରେ । ଯଦି ଟିକା ପର୍ଯ୍ୟାପ୍ତ ମାତ୍ରାରେ ମିଳେ ତେବେ ଡିସେମ୍ବର ମାସ ସୁଧା ସମସ୍ତଙ୍କୁ ଟିକା ମିଳିବ । କିନ୍ତୁ ଏବର ହାରରେ ବା ଗତିରେ ଯଦି ଟିକାକରଣ ଚାଲେ ତେବେ ସମସ୍ତଙ୍କୁ ଟିକା ମିଳିବା ପାଇଁ ଦୁଇରୁ ଅଢେଇ ବର୍ଷ ସମୟ ଲାଗିବ । ପ୍ରଶ୍ନ ହେଉଛି ଭାରତ ପାଖରେ ଏତେ ଅଧିକ ସମୟ ରହିଛି କି ?

Leave A Reply

Your email address will not be published.

Close Bitnami banner
Bitnami