ଶବର ଶେଷ ସାଥୀ ଚିନ୍ମୟୀ

799

କରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ପ୍ରିୟଜନଙ୍କୁ ହରାଇବାର କଷ୍ଟକୁ ବି ବଳିଯାଉଛି ଶବକୁ ଶେଷ ବିଦାୟ ନ ଦେଇ ପାରିବା । ଧର୍ମ ଓ ଶାସ୍ତ୍ରାନୁମୋଦିତ ଏହି ଶେଷ ଅର୍ଘ୍ୟକୁ ଠିକ୍ ଭାବେ ଅନୁପାଳନ ନ କରିପାରି ଏବେ ଶହ ଶହ ଲୋକ ମାନସିକ ଚିନ୍ତାରେ ଥିବା ବେଳେ ଶବର ଶେଷ ସାଥୀ ହେବାକୁ ସହଯୋଗର ହାତ ବଢ଼ାଇଛନ୍ତି କିନ୍ନର ଚିନ୍ମୟୀ । ପୁରା ନାମ ଚିନ୍ନୟୀ ଦାସ ।  ଅନୁଗୁଳ ଜିଲ୍ଲାର ଜରପଡ଼ା ଅଂଚଳରେ ଏକ ଲେଡିଜ୍ କର୍ଣ୍ଣର କରିଥିବା  ଚିନ୍ମୟୀ କିନ୍ତୁ ଏଭଳି ବଦାନ୍ୟତା ପାଇଁ  କାହାଠାରୁ ସାହାଯ୍ୟ ନିଅନ୍ତି ନାହିଁ, ବରଂ ଆତ୍ମସନ୍ତୋଷ ପାଇଁ ଏ ସବୁ ପ୍ରବୃତିକୁ ଆପଣେଇଥିବା କହନ୍ତି ।

ସ୍ଥାନୀୟ ଅଂଚଳର ଗରିବ, ଦୁଃଖି, ବେସାହାରାଙ୍କୁ ସାହାରା ଦେବା ସହ ସେମାନଙ୍କ ବିପଦରେ ଛିଡ଼ା ହେବା ପାଇଁ ଚିନ୍ମୟୀ ଏଭଳି ସେବା ରାସ୍ତାରେ ପାଦ ଥାପିଛନ୍ତି । ଦିନେ ସମାଜ ଆଖିରେ ଅବହେଳିତ ଓ ଘୃଣ୍ୟ ପାଲଟିଥିବା କିନ୍ନର ଚିନ୍ନୟୀ ଏବେ କରୋନା ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଦେବଦୂତ ସଦୃଶ୍ୟ । ଯାହାକି ତାଙ୍କୁ ଅନ୍ୟମାନଙ୍କ ଆଗରେ କେବଳ ପ୍ରଶଂସିତ କରିନି, ଏଥିପାଇଁ ତାଙ୍କ ମର୍ଯ୍ୟାଦା ବି ବଢ଼ାଇଛି । ବୃତିରେ ଯଦିଓ ସେ କୌଣସି ଅଙ୍ଗନବାଡ଼ି  ଦିଦି, ଆଶାକର୍ମୀ, ଏଏନ୍‌ଏମ୍ ନୁହଁନ୍ତି ତଥାପି ତାଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ତାଙ୍କୁ ଅନ୍ୟ ତୁଳନାରେ ସ୍ୱତନ୍ତ୍ର କରିପାରିଛି । ନିଜର ନିଚ୍ଛକ ସେବା ମନୋଭାବ ଯୋଗୁଁ ଚିନ୍ନୟୀ ଇତିମଧ୍ୟରେ ୨୦ରୁ  ଅଧିକ ଶବର ସତ୍କାର କରିସାରିଛନ୍ତି

କେବଳ ଶବ ଦାହ ନୁହେଁ, ଜିଲ୍ଲାକୁ ଆସୁଥବା କରୋନା ପଜିଟିଭ୍ ରୋଗୀଙ୍କୁ କିପରି ସବୁ ପ୍ରକାର ସୁବିଧା ସହଜରେ ମିଳିପାରିବ ସେଥିପାଇଁ ସେ ଡାକ୍ତରୀ ବ୍ୟବସ୍ଥା ମଧ୍ୟ କରାଇ ଦେଉଛନ୍ତି । ରୋଗୀଙ୍କ ପାଇଁ ଅମ୍ଳଜାନ ସଂଗ୍ରହ କରିବା କଥା ହେଉ, କି କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ବନ୍ଦୋବସ୍ତ କରିବା ଅବା ଧାଡ଼ିରେ ଛିଡ଼ାହୋଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା କଥା । ସବୁଥିରେ ସବୁ କଥାରେ ଖୋଜା ପଡ଼ନ୍ତି ଚିନ୍ମୟୀ । ଏସବୁକୁ ଛାଡ଼ିଦେଲେ ବସ୍‌ଷ୍ଟାଣ୍ଡ, ଷ୍ଟେସନ୍‌, ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଇ ସେ କରୋନା ସଚେତନତାର ପାଠ ପଢ଼ାଉଛନ୍ତି । ଗାଁ ଲୋକ କିପରି କରୋନା ଭଳି ଜଟିଳ ଶବ୍ଦ ସହ ଅବଗତ ହୋଇପାରିବେ, ଏହାର ପ୍ରତିଷେଧକ ପାଇଁ  ବିଭିନ୍ନ ପନ୍ଥା ଗ୍ରହଣ କରିବେ, ସେଥିପାଇଁ ସେ  ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ ବି କରୁଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ଭଳି ପ୍ରତିଦିନ ଘରକୁ ଘର ବୁଲି ସେ ଲୋକଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି । ଆବଶ୍ୟକସ୍ଥଳେ  ଔଷଧ ଯୋଗାଇବା ଲୋକଙ୍କୁ ମାନସିକ ସ୍ତରରେ ସହାନୁଭୂତି ଯୋଗାଇବା କାମ ବି କରୁଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଦାୟିତ୍ୱରେ ଥିବା ଅଂଚଳରେ କରୋନା ସଚେତନତା ଦାୟିତ୍ୱ ମୁଣ୍ଡାଇବାବେଳେ ଚିନ୍ମୟୀ ଜିଲ୍ଲା ଯାକ ବିଭିନ୍ନ ସ୍ଥାନରେ ଏହି କାମକୁ ତ୍ୱରାନ୍ୱିତ କରୁଛନ୍ତି । ଜିଲ୍ଲାର ଯେକୌଣସି ସ୍ଥାନରୁ କରୋନା ରୋଗୀଙ୍କୁ ଡାକ୍ତରଖାନା ନେବା ଖବର ଆସେ ସେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ପହଂଚିଯାଆନ୍ତି ।

ଚିନ୍ମୟୀଙ୍କ ପ୍ରକୃତ ନାମ ହେଲା ଗଗନ ବିହାରୀ ଦାସ । ୧୯୮୪ ମସିହାରେ ଜଗତ୍‌ସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋଷେଇ ଗ୍ରାମରେ ଜନ୍ମ  ଗ୍ରହଣ କରିଥିଲେ ଗଗନ । ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଗଗନ ପିଲାବେଳୁ କିନ୍ନର ଥିବାରୁ ଗାଁରେ ଓ ସାହିପଡ଼ିଶାରେ ଟାହି ଟାପରା ସହିଛନ୍ତି । ଚାରି ଭାଇଭଉଣୀ ଓ ବାପା, ମା’ଙ୍କୁ ନେଇ  ଗଗନଙ୍କ ପରିବାର । ଦାରିଦ୍ର‌୍ୟ କଷାଘାତରେ ପୀଡ଼ିତ ହୋଇ  ଗଗନ ମାମୁଁଘର ଇରିକୁଣ୍ଡଳକୁ ଯାଇ ପିଲାବେଳେ କାଟିଥିଲେ । ଗରିବ ଗୋପାଳ ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳେ ଗାଁ ମଇଁଷି ଚରାଇ ପରିବାରର ବୋଝ ମୁଣ୍ଡାଇଥିଲେ । ପିଲାବେଳୁ ମାଇଚିଆ ସ୍ୱଭାବର ହୋଇଥିବାରୁ ତାଙ୍କ ସହ କେହି ସାଙ୍ଗ ହେଉ ନ ଥିଲେ । ନିଜକୁ ଅଶୁଭ ମନେକରି ଗଗନ  ନିଜେ ସମସ୍ତଙ୍କଠାରୁ ଦୂରେଇ ରହି ଏକଲା ଜୀବନ ବିତାଇଥିଲେ । ମାତ୍ର ପରିବର୍ତୀ ସମୟରେ ସେ ନିଜ ରୋଜଗାର ପନ୍ଥା ଆପଣେଇବାକୁ ଯାଇ ନିଜ ନାମ ପରିବର୍ତନ କରି ଚିନ୍ମୟୀ ରଖିଥିଲେ ।

ଚିନ୍ମୟୀ କହନ୍ତି ଏବେ କରୋନା ସମୟ । ତେଣୁ ବିପଦରେ ଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ସେବାର ମୂଲ୍ୟ । ମୁଁ ନିଜେ ଶୃଙ୍ଖଳିତ ଭାବେ ସମସ୍ତ  ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଛି । ଏବେ ସେବାର ପ୍ରକୃତ ମୂଲ୍ୟ ଦେବାର ସମୟ ଆସିଛି ବୋଲି କହନ୍ତି ଚିନ୍ମୟୀ ।

Leave A Reply

Your email address will not be published.

Close Bitnami banner
Bitnami