ସିକ୍କିମରୁ ଶୁଭୁଛି ରକ୍ଷାକର ଚିତ୍କାର । ଛୋଟିଆ ପାହାଡ଼ି ରାଜ୍ୟ ସିକ୍କିମ ଯେତିକି ସୁନ୍ଦର, ଏଠାକାର ଲୋକ ବି ସେତିକି ସରଳ । ଏହି ରାଜ୍ୟର ଜୀବନରେଖା ତୀସ୍ତା ନଈ। ହେଲେ କିଏ ଜାଣିଥିଲା, ସେଇ ଜୀବନରେଖା ଅଚାନକ ଆସି ନେଇଯିବ ଜୀବନ। ସିକ୍କିମରେ ଜଳ ପ୍ରଳୟ। ଜଳ ତାଣ୍ଡବରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ତିସ୍ତା ନଦୀକୂଳରେ ଥିବା ଅଞ୍ଚଳ ପାଲଟିଛି ଅଭିଶପ୍ତ। ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଜୀବନ ନେଇଛି, ଛାରଖାର କରିଦେଇଛି। ହେଲେ ଏ ପ୍ରଳୟ ନେଇ ୧୦ ବର୍ଷ ଆଗରୁ ଦିଆଯାଇଥିଲା ଚେତାବନୀ।
ଜଳବାୟୁ ପରିବର୍ତ୍ତନ ହେତୁ ଗ୍ଲେସିୟର ତରଳିବାର ଆଶଙ୍କା ରହିଛି । ସିକ୍କିମ୍ରେ ବିପତ୍ତି ଆସିବାର ସମ୍ଭାବନା ଅଧିକ ରହିଛି। ଏନେଇ ୨୦୧୩ରେ ଚେତାବନୀ ଦେଇଥିଲେ ବୈଜ୍ଞାନିକ। ଇସ୍ରୋର ବୈଜ୍ଞାନିକ ତଥା ତତ୍କାଳୀନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ବୈଜ୍ଞାନିକଙ୍କ ‘କରେଣ୍ଟ ସାଇନ୍ସ’ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ। ବୈଜ୍ଞାନିକ ଚେତାବନୀ ଦେଇଥିଲେ ଯେ ସିକ୍କିମର ଦକ୍ଷିଣ ଲୋହନକ ଗ୍ଲେସିଅର ପଛକୁ ଯାଉଛି। ଏହା ଯୋଗୁଁ ବିସ୍ଫୋରଣ ଏବଂ ବିପର୍ୟ୍ୟ ୟର ସମ୍ଭାବନା ବହୁତ ଅଧିକ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏନେଇ ଆଲର୍ଟ କରାଯାଇଥିଲେବି ଆବଶ୍ୟକ ପଦକ୍ଷେପ ନିଆଗଲାନି କାହିଁକି ? ୨୦୧୩ ଫେବୃଆରୀରେ, ଇସ୍ରୋର ବୈଜ୍ଞାନିକ ଏବଂ ସେହି ସମୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସହିତ ଜଡିତ ଥିବା ବୈଜ୍ଞାନିକ ଡକ୍ଟର ଏସ୍ ଏନ୍ ରମ୍ୟା ତାଙ୍କ ରିସର୍ଚ୍ଚ ପେପରରେ ସାଟେଲାଇଟ୍ରୁ ସଂଗୃହୀତ ତଥ୍ୟ ପ୍ରକାଶିତ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ୧୯୬୨ରୁ ୨୦୦୮ ମଧ୍ୟରେ ସିକ୍କିମ୍ର ଲୋହନକରେ ଥିବା ଗ୍ଲେସିୟର ୧.୯ କିଲୋମିଟର ପଛକୁ ଯାଇଛି। ଏହି କାରଣରୁ ବରଫାପୃତ ଲେକ୍ ଭାଙ୍ଗିବା କିମ୍ବା ଫାଟିଯିବାର ସମ୍ଭାବନା ୪୨ ପ୍ରତିଶତ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ଆଗୁଆ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ସିକ୍କିମର ଗ୍ଲେସିୟର ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଏସ୍.ଏନ୍ ରମ୍ୟାଙ୍କ ଦ୍ୱିତୀୟ ଗବେଷଣା ୨୦୧୯ରେ ରିପୋର୍ଟ ପ୍ରକାଶିତ ହୋଇଥିଲା।
ଏଥିରେ ୨୦୦୦ରୁ ୧୦୧୫ ଭିତରେ ମଧ୍ୟରେ ଦକ୍ଷିଣ ଲୋହନକ ଗ୍ଲେସିୟରର ଲମ୍ବ ଅଧା କିଲୋମିଟର ବୃଦ୍ଧି ପାଉଥିବା କୁହାଯାଇଛି। ଏହାର ଗଭୀରତା ହାରାହାରି ୫୦ ମିଟର ହୋଇଯାଇଛି। ଗ୍ଲେସିଅର ଫାଟିଲେ ୧୯ ନିୟୁତ ଘନ ମିଟର ଜଳ ନିର୍ଗତ ହୋଇପାରେ। ତେବେ ଲୋହନକ ବରଫାବୃତ ହ୍ରଦ ବିପଦରେ ରହିଥିବା ନେଇ ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଥିଲା। ଆଉ ଶେଷରେ ଯାହା ଆଶଙ୍କା କରାଯାଇଥିଲା, ତାହାହିଁ ଘଟିଲା। ଏହି ବିପର୍ୟ୍ୟଲୟରେ ଅନେକଙ୍କ ମୃତ୍ୟୁ ହୋଇଛି। ଶତାଧିକ ନିଖୋଜ ହୋଇଯାଇଛନ୍ତି। ଆଉ ନିଶ୍ଚିହ୍ନ ହୋଇଯାଇଛି ତିସ୍ତା ନଦୀକୂଳରେ ଗଢିଉଠିଥିବା ଘର।